Onn 3

ବସୁଧା ଯୋଜନାର ସଫଳ ରୂପାୟନ ହୋଇପାରୁନି, ପ୍ରକଳ୍ପ ଥାଇ ମେଣ୍ଟୁନି ଶୋଷ

State

ଗୋଳିଆ ପାଣି ପିଉଛନ୍ତି ବିଟିପୁରହେଉଛି ବାସୀ

ଆଗରପଡ଼ା: ସରକାର ୨୦୨୪ରେ ଗ୍ରାମାଂଚଳର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଯୋଜନା କରିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱ ହୀନତା ଯୋଗୁଁ ଏହାର ସଫଳ ରୂପାୟନ ହୋଇପାରୁନି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ବନ୍ତ ବ୍ଲକର ୨୫ ଟି ପଂଚାୟତର ବିଭିନ୍ନ ଗ୍ରାମରେ ଉକ୍ତ ପ୍ରକଳ୍ପ ନିର୍ମାଣ ହୋଇଛି । ନିର୍ମାଣ ସରିଥିବା ବିଭିନ୍ନ ଗ୍ରାମରେ ଜଳ ଯୋଗାଣ ଆରମ୍ଭରୁ ଆଣ୍ଠେଇ ପଡ଼ିଥିବା ଜଣାପଡ଼ିଛି । ପ୍ରକଳ୍ପ ଥାଇ ସୁଦ୍ଧା ମେଣ୍ଟି ପାରୁନାହିଁ ଶୋଷ । ସରକାରୀ ଅନୁଦାନରେ ଯେକୈାଣସି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କାର୍ଯ୍ୟସ୍ଥଳି ନିକଟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ନିର୍ମାଣ କରି ସେଥିରେ ସବିଶେଷ ସୂଚନା ଲେଖାଯିବାର ନିୟମ ଥିଲେ ସୁଦ୍ଧା ବନ୍ତ ବ୍ଳକର ବିଭିନ୍ନ ପଂଚାୟତରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଆରଡ଼ବ୍ଲ୍ୟୁଏସଏସ ମାଧ୍ୟମରେ ରାଜ୍ୟ ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଅଧିନରେ ବସୁଧା ଯୋଜନାରେ ଗ୍ରାମାଂଚଳ ରେ ପାନୀୟ ଜଳ ଯୋଗାଇ ଦେବା ଉଦେଶ୍ୟରେ କୋଟିକୋଟି ଟଙ୍କାରେ ନିର୍ମିତ ପ୍ରକଳ୍ପ ବର୍ତ୍ତମାନ ଫେଲ ମାରିଛି । ବିଟିପୁର ପଂଚାୟତ,କାଦବରାଙ୍ଗ ପଂଚାୟତ,ବଡ଼ବର୍ଚ୍ଚିକୟାଁ ପଂଚାୟତ,ଓଡ଼ଙ୍ଗ ପଂଚାୟତ,ଚାରିଗାଁ ପଂଚାୟତ ଏହିପରି ବିଭିନ୍ନ ପଂଚାୟତରେ ବସୁଧା ଯୋଜନାରେ ନିର୍ମିତ ଜଳ ଯୋଗାଣ ପ୍ରକଳ୍ପ ଲୋକଙ୍କ କାମରେ ଆସିପାରୁନାହିଁ ।

ଗୋଟେ ଗୋଟେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ୧୩୫.୯୫ ଲକ୍ଷ ଅଟକଳ ମୂଲ୍ୟରେ ନିର୍ମିତ ହୋଇଥିବାବେଳେ ଠିକାଦାରଙ୍କ ମନମୁଖି କାର୍ଯ୍ୟ ଓ ଠିକାଦାର ଏବଂ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରୁ ପ୍ରକଳ୍ପର ସଫଳ ରୂପାୟନ ହେବା ପରିବର୍ତ୍ତେ ଅର୍ଥ ଚଳୁ ହେଇଯାଉଛି । ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ବିଭିନ୍ନ ସ୍ଥାନରୁ ପାଇପ୍ ଫାଟି ପାଣି ବୋହିବା ସହ ବହୁ ଜାଗାରେ ପାଣି ପହଂଚି ପାରୁନି । ଏହିସବୁ କାରଣରୁ ଅଂଚଳବାସୀ ବିଶୁଦ୍ଧ ପାନୀୟ ଜଳ ପାଇବା ନେଇ ସନ୍ଧିହାନ ହୋଇପଡ଼ିଥିବା ବେଳେ ବିଟିପୁର ପଂଚାୟତରେ ହୋଇଥିବା ନିମ୍ନମାନର କାର୍ଯ୍ୟ ଯୋଗୁଁ ବାରମ୍ବାର ପାଇପ ଫାଟିଯାଇ ଗୋଳିଆ ପାଣି ନିର୍ଗତ ହେଉଛି । ଯାହାକି ଅନ୍ୟ କିଛି ଉପାୟ ନ ପାଇ ପଂଚାୟତବାସୀ ଏହି ପାଣି ପିଇ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଥିବାର ଜଣାପଡ଼ିଛି । ଏ ସମ୍ପର୍କରେ ସ୍ଥାନୀୟ ସରପଂଚଙ୍କ ସମେତ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନଥିବା ଜଣାପଡ଼ିଛି । ତେଣୁ ଲକ୍ଷାଧିକ ଟଙ୍କାରେ ନିର୍ମିତ ପ୍ରକଳ୍ପକୁ ପ୍ରହସନରେ ପରିଣତ ନକରି ନିର୍ମିତ ପ୍ରକଳ୍ପ ଗୁଡ଼ିକର ପୁନଃ ତଦାରଖ କରିବା ଏବଂ ନିର୍ମାଣଧିନ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ଠିକ ଭାବେ କରିବା ସହ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଯୋଜନାର ସଫଳ ରୂପାୟନ କରିବାକୁ ଚେଷ୍ଟିତ ହେବାକୁ ଗ୍ରାମବାସୀମାନଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।