Onn 3

ନିୟନ୍ତ୍ରଣହୀନ ଡେଙ୍ଗୁ, ରାଜ୍ୟ ସରକାର ପଙ୍ଗୁ: ଦିଲୀପ ମହାନ୍ତି

Politics State

 

bj

ଭୁବନେଶ୍ୱର: “ଗଲି ଗଲି ମେ ଶୋର୍ ହୈ, ଡେଙ୍ଗୁ ବଡା ଜୋର୍ ହୈ”। ଦୁଃଖ ପରିତାପର ବିଷୟ ରାଜ୍ୟରେ ଡେଙ୍ଗୁ ରୋଗ “ନିୟନ୍ତ୍ରଣହୀନ” ହୋଇପଡିଥିବା ବେଳେ, ମୁକାବିଲାରେ ରାଜ୍ୟ ସରକାର “ପଙ୍ଗୁ” ହୋଇପଡିଛନ୍ତି ବୋଲି କହି ରାଜ୍ୟ ସରାକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଦିଲୀପ ମହାନ୍ତି।

ରାଜ୍ୟସାରା ଡେଙ୍ଗୁ ରୋଗ ଆତଙ୍କ ସୃଷ୍ଟି କରିଛି ଏବଂ ବିଶେଷ ଭାବେ ଦୈତ୍ୱନଗରୀ ଭୁବନେଶ୍ୱର ଓ କଟକରେ ଏହା ଭୟଙ୍କର ରୂପ ନେଇଛି। କେବଳ ଭୁବନେଶ୍ୱରରେ ୧୫ଶହ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୦ ରୁ ଅଧିକ ପୀଡିତଙ୍କ ମୃତ୍ୟୁ ସମସ୍ତଙ୍କୁ ଭୟଭୀତ କରିଛି।  ଭୁବନେଶ୍ୱର ଓ କଟକର ପ୍ରତି ତୃତୀୟ ଘରେ ଡେଙ୍ଗୁ ପୀଡିତ । ରାଜ୍ୟରେ ସ୍ୱାୟତ ଶାସନ ବାଟବଣା ହୋଇଛି । ରାଜଧାନୀ ସହରରେ ସ୍ୱାସ୍ଥ୍ୟ ବିଭାଗ ଓ ବିଏମ୍‌ସି ଉଭୟଙ୍କ ଦାୟିତ୍ୱହୀନତା ପାଇଁ ସାଧାରଣ ଲୋକ ଅକାଳରେ ପ୍ରାଣ ହରାଉଛନ୍ତି । ପ୍ରତି ବର୍ଷ ଡେଙ୍ଗୁ ରୋଗ କାୟା ବିସ୍ତାର କରିଚାଲିଛି । ୨୩ ବର୍ଷ ଶାସନରେ ଥିବା ସତ୍ତ୍ୱେ ବିଜେଡି ସରକାରର ‘ପରିମଳ ପରିଚାଳନା’ ସମ୍ପୂର୍ଣ୍ଣ ଫେଲ ହୋଇଥିବାରୁ ଡେଙ୍ଗୁ ରୋଗ ପ୍ରତି ବର୍ଷ ବୃଦ୍ଧି ପାଇଚାଲିଛି । ସର୍ବଦା ଚିତ୍କାର କରି ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ବୋଲି କହୁଥିବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଡେଙ୍ଗୁରେ ଆକ୍ରାନ୍ତ ପୀଡିତଙ୍କ ଜୀବନ କ’ଣ ମୂଲ୍ୟହୀନ ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି ପ୍ରଶ୍ନ କରିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମହାନ୍ତି କହିଛନ୍ତି ଯେ, ଦୀର୍ଘଦିନ ଏ ସରକାର ଶାସନ କରୁଥିବାରୁ ଅଫିସରମାନେ ଉପର ମୁହାଁ ହୋଇଛନ୍ତି । ଫଳରେ ‘ତୋଗଲକି ଶାସନ’ ଭଳି ଯାହା ପାଟିରୁ ବାହାରିଲା ତାହା ଆଇନରେ ପରିଣତ କରିଦେଉଛନ୍ତି । “ଲୋକଙ୍କ ଘରୁ ମଶା ବାହାରିଲେ ଜୋରିମାନା ଦେବାକୁ ହେବ” – ଏଭଳି ଅଦ୍‌ଭୁତ ଆଇନ ପ୍ରଣୟନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନର ଚରମ ଅବହେଳା କାରଣରୁ ରାସ୍ତା ଘାଟ, ନାଳ ନର୍ଦ୍ଦମାର ଦୁର୍ଦ୍ଦଶା ଚରମ ସୀମା ଅତିକ୍ରମ କରିଛି । ବର୍ଷା ପାଣି ଜମା ରହି ମଶା ବଂଶ ବୃଦ୍ଧିରେ ସହାୟକ ହେଉଛି । ରାଜ୍ୟ ସରକାର ସଠିକ୍ ସମୟରେ ମଶା ନିୟନ୍ତ୍ରଣର କାମ କଲେ ନାହିଁ, ଯଥା ମଶାତେଲ, ଜାଗା ଚିହ୍ନଟ କରି ଉପଯୁକ୍ତ ପଦକ୍ଷେପ ନେଲେ ନାହିଁ । ଡେଙ୍ଗୁ ରୋଗ ନିୟନ୍ତ୍ରଣହୀନ ହେବା ପରେ ନିଜ ଦୋଷ ଦୁର୍ବଳତାକୁ ଲୁଚାଇ ମିଛ ପ୍ରଚାର ପ୍ରସାର କରି ବାଃ ବାଃ ନେବା ପାଇଁ ଉଦ୍ୟମ କଲେ ସତ, କିନ୍ତୁ ଗ୍ରାଉଣ୍ଡ ଜିରୋରେ କୈାଣସି ପଦକ୍ଷେପ ନେଲେ ନାହିଁ । ଏପରିକି ଲୋକେ ଡେଙ୍ଗୁରେ ପ୍ରାଣ ହରାଉଥିଲେ ବି ଡେଙ୍ଗୁ ମୃତ୍ୟୁକୁ ସ୍ୱୀକାର ନକରି ‘ନେଡି ଗୁଡ କହୁଣୀକୁ ବୋହି ଗଲା’ ପରେ ଶାସକ ବିଜେଡିର ନେତା ଓ ମନ୍ତ୍ରୀମାନେ ନିଜ ଦାୟୀତ୍ୱ କର୍ତବ୍ୟରୁ ପଳାୟନପନ୍ଥୀ ହେଲେ । ବର୍ତମାନ ସୁଦ୍ଧା ରାଜ୍ୟରେ ଡେଙ୍ଗୁ ରୋଗରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି, ତାଙ୍କୁ କେଉଁ ସହାୟତା ମିଳିବ ଓ ଯେଉଁମାନେ ଚିକିତ୍ସିତ ଅଛନ୍ତି ସେମାନଙ୍କ ପାଇଁ କଣ ବ୍ୟବସ୍ଥା କରାଯାଇଛି ? ରାଜ୍ୟ ସରକାର ତାହା ସାର୍ବଜୀନନ କରନ୍ତୁ ବୋଲି ମହାନ୍ତି ଦାବି କରିଛନ୍ତି।

ରାଜ୍ୟ ସରକାର ୨୩ବର୍ଷ ଶାସନରେ ରହିବି ସହରାଂଚଳବାସୀଙ୍କୁ ମୌଳିକ ସେବା ଯୋଗାଇବାରେ ବିଫଳ ହୋଇଥିବାବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦଳୀୟ ନେତା, ମନ୍ତ୍ରୀମାନେ “ଓଡ଼ିଶାର ସ୍ୱାସ୍ଥ୍ୟସେବା” ବିଶ୍ୱସ୍ତରୀୟ ବୋଲି ଡିଣ୍ଡିମ ପିଟୁଛନ୍ତି । ଲୋକେ ଡେଙ୍ଗୁରେ ପ୍ରତ୍ୟେକ ଦିନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏନେଇ ବିଏମ୍‌ସି ଓ ସିଏମ୍‌ସି ଭଳି ଅନୁଷ୍ଠାନ ସ୍ୱାୟତ ଶାସନକୁ ଦିଗହରା କରିବା ସହ ଲୋକଙ୍କ ମୌଳିକ ସୁବିଧା ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ । ଡେଙ୍ଗୁ ରୋଗ ମୁକାବିଲା ନେଇ ରାଜ୍ୟ ସରକାରଙ୍କ “ନିଷ୍କ୍ରିୟତା ଓ ଉଦାସିନତା” ଲୋକଙ୍କ ମନରେ କ୍ଷୋଭ ସୃଷ୍ଟି କରିଛି ବୋଲି ମହାନ୍ତି କହିଛନ୍ତି ।

ସ୍ମାର୍ଟ ସିଟି ରାଜଧାନୀ ଭୁବନେଶ୍ୱରର ବିଜେଡି ସରକାରରେ “ଡେଙ୍ଗୁ” ବି ବିଶ୍ୱସ୍ତରୀୟ ଏବଂ ଏହାକୁ ଏକ ଉପହାର ଭାବେ ବିଏମସି ଭୁବନେଶ୍ୱର ବାସିନ୍ଦାଙ୍କୁ ପ୍ରଦାନ କରିଛି । ପ୍ରତ୍ୟେକ ଦିନ ରାଜଧାନୀର ଡେଙ୍ଗୁ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବି ସେମାନଙ୍କ ପାଇଁ “ବେଡ୍‌”ର ସୁବିଧା ନାହିଁ । ନାଳ ନର୍ଦ୍ଦମା ସଫା ଆଳ କରି ସମସ୍ତ ଡ୍ରେନ ଓ ନାଳ ଖୋଲି ଦିଆଗଲା ସତ, କିନ୍ତୁ ଅଧାପନ୍ତରିଆ ହୋଇ ସଫା କାର୍ଯ୍ୟ ରହିଗଲା। କେଉଁଠି ସଫା ହେଲା ନାହିଁ ତ, ଆଉ କେଉଁଠି ଡ୍ରେନକୁ ଘୋଡା ଗଲା ନାହିଁ । ନାଳ ନର୍ଦ୍ଦମାରୁ ବାହାରିଥିବା ଆବର୍ଜନାକୁ ହଟା ଗଲା ନାହିଁ । ବିଏମସି ମେୟର ବୁଲି ବୁଲି ଯାହା ପ୍ରଚାର କରିଥିଲେ, ତାର ଠିକ ବୀପରିତ କାର୍ଯ୍ୟ କରାଗଲା। ଖର୍ଚ୍ଚ ପାଇଁ ଆସିଥିବା ଟଙ୍କାକୁ ମିଳିମିଶି ଖାଇଗଲେ । ମେୟର ଓ କମିଶନର ମିଥ୍ୟା ପ୍ରତିଶ୍ରୁତି ପାଇଁ ରାଜଧାନୀବାସୀ କାହିଁକି ସର୍ବଦା ଦୁଃଖ ଭୋଗିବେ ବୋଲି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି ।

ରାଜଧାନୀରେ ଡେଙ୍ଗୁ କାୟା ବିସ୍ତାର କରୁଥିବାବେଳେ ମେୟର ଓ କମିଶନର ଡେଙ୍ଗୁ ପାଇଁ ପଦକ୍ଷେପ ନନେଇ କ୍ରିକେଟ୍ ଖେଳୁଛନ୍ତି ଯାହା ରାଜଧାନୀବାସୀଙ୍କ ପ୍ରତି ଉପହାସ । ଡେଙ୍ଗୁ ମଶାଙ୍କ ନିୟନ୍ତ୍ରଣ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନରେ ବିଜେପି ଜିଲ୍ଲା ପକ୍ଷରୁ ଧୂଆଁ ଦ୍ୱାରା ମଶାଙ୍କ ନିପାତ ପାଇଁ ସବୁ ୱାର୍ଡରେ ବ୍ୟବସ୍ଥା କରାଯାଇଛି । କିନ୍ତୁ ସାଧାରଣଙ୍କ ଲୋକଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇ ହାତ ଟେକି ବସିଛନ୍ତି ରାଜ୍ୟ ସରକାର ଓ ମ୍ୟୁନିସପାଲଟି ବୋଲି ସିଂ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଏବଂ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।

Post Views: 6