ଭୁବନେଶ୍ୱର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି, ପଣା ସଂକ୍ରାନ୍ତି ଓ ଓଡିଆ ନବବର୍ଷ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସମସ୍ତଙ୍କର ସୁଖସମୃଦ୍ଧି କାମନା କଲେ ରାଷ୍ଟ୍ରପତି । ରାଷ୍ଟ୍ରପତି କହିଛନ୍ତି, ପଣା ସଂକ୍ରାନ୍ତି ସମାଜକୁ ପ୍ରେମ ଓ ଶାନ୍ତିର ବାର୍ତ୍ତା ଦେଇଥାଏ । ଦେଶ ପାଇଁ ସମର୍ପିତ ହୋଇ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥାଏ । ଏହି ଅବସରରେ ସମସ୍ତଙ୍କର ସୁଖସମୃଦ୍ଧି କାମନା କରିଛନ୍ତି ।
ଓଡ଼ିଆ ନବବର୍ଷ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଗାମୀ ବର୍ଷ ଆପଣଙ୍କ ସ୍ବପ୍ନ ସାକାରର ବର୍ଷ ହେଉ ବୋଲି ମୋଦି ଟ୍ବିଟ୍ କରିଛନ୍ତି। ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମସ୍ତଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି । ଆମ ସଂସ୍କୃତି ଓ ପରମ୍ପରା ଉପରେ ଆଧାରିତ ଏହି ଦିବସରେ ଓଡ଼ିଶାର ଗୌରବକୁ ନୂଆ ଶିଖରରେ ପହଞ୍ଚାଇବା ସହ ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ ହୋଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ୍ ଦେଇଛନ୍ତି ।
ନୂଆ ବର୍ଷ ସମସ୍ତଙ୍କ ପାଇଁ ଆନନ୍ଦ, ଉଲ୍ଲାସ ଏବଂ ସମ୍ଭାବନାର ବର୍ଷ ହେଉ ବୋଲି ଟ୍ବିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମହାପ୍ରଭୁ ଜଗ୍ନନାଥଙ୍କ କୃପା ଓ ଆଶୀର୍ବାଦରୁ ନବବର୍ଷଟି ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ ବୋଲି କାମନା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ।