Onn 3

ରାସ୍ତା ଉପରେ ଖସିପଡି ଜଳିଗଲା ବିମାନ

National & International

ମାଲେସିଆ: ମାଲେସିଆର ସେଣ୍ଟ୍ରାଲ ସେଲାଙ୍ଗୋର ରାଜ୍ୟରେ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ଗତକାଲି ଅପରାହ୍ନରେ ଗୋଟିଏ ବିମାନ ଲ୍ୟାଣ୍ଡିଂ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ଉପରେ ଖସିପଡିଛି । ଏଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୬ ଜଣ ବିମାନ ଯାତ୍ରୀଙ୍କ ସହ ୨ ଜଣ କ୍ରୁ ସଦସ୍ୟ ଓ ଦୁଇ ଜଣ ସାଧାରଣ ଲୋକ ଅଛନ୍ତି ।

ସୂଚନା ଅନୁସାରେ, ମାଲେସିଆର ଉତ୍ତର କ୍ୱାଲାଲାମପୁରର ଏକ୍ସପ୍ରେସ ୱେରେ ଗତକାଲି ଅପରାହ୍ନରେ ଦେଖିବାକୁ ମିଳିଥିଲା ଏକ ଭୟଙ୍କର ଦୃଶ୍ୟ । ରାସ୍ତାରେ କାର୍‌, ବାଇକ୍‌ ଆଦି ଚଳାଚଳ କରୁଥିବା ବେଳେ ହଠାତ୍‌ ଉପରୁ ଖସିଥିଲା ଏକ ବିମାନ । ବିମାନଟି ରାସ୍ତାରେ ଯାଉଥିବା କାର୍‌, ବାଇକ୍‌ ଉପରେ ଚଢ଼ିଯିବା ସହ ଜଳି ଉଠିଥିଲା । ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।

ଦୁର୍ଘଟଣା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦୁର୍ଘଟଣାସ୍ଥଳରୁ କଳା ଧୂଆଁ ଉଠୁଥିବାର ଦେଖିବାକୁ ମିଳୁଛି । ପୋଲିସ ଓ ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ମୃତଦେହ ଉଦ୍ଧାର କରିଛନ୍ତି । ତେବେ କେଉଁ ପରିସ୍ଥିତିରେ ବିମାନ ଦୁର୍ଘଟଣାଗ୍ରସ୍ଥ ହେଲା ତାହା ଏ ଯାଏଁ ଜଣାପଡିନି । ପରିବହନ ମନ୍ତ୍ରୀ ଆନ୍ଥୋନୀ ଲୋକେ କହିଛନ୍ତି, ବିମାନକୁ ଲ୍ୟାଣ୍ଡି ପାଇଁ ଅନୁମତି ଦିଆଯାଇଥିଲା । ହେଲେ ଏହା ରନୱେର ଡାହାଣ ପାର୍ଶ୍ବକୁ ଚାଲିଯାଇ ରାସ୍ତା ଉପରେ ଖସି ପଡିଥିଲା । ଏହାପରେ ହଠାତ୍ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା । ବର୍ତ୍ତମାନ ଦୁର୍ଘଟଣାର କାରଣ ଯାଞ୍ଚ କରାଯାଉଛି ।