Onn 3

ଛାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍: ୨ ମୃତ

State

ବରଗଡ଼: ବରଗଡ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ଧକ୍କାରେ ଚାଲିଗଲା ଦୁଇ ଛାତ୍ରୀଙ୍କ ଜୀବନ । ଏପରି ଦୁର୍ଘଟଣାକୁ ନେଇ ଗୋଡ଼ଭଗା-ବିନିକା ରାସ୍ତାରେ ଉତ୍ତକ୍ତ ଲୋକେ ରାସ୍ତା ଅବରାେଧ କରିଛନ୍ତି ।

ସୋମବାର ମଧ୍ୟାହ୍ନରେ ଘଟିଛି ଏହି ଏହି ଦୁର୍ଘଟଣା ।  ଗୋଡ଼ଭଗା-ବିନିକା ରାସ୍ତାର ପୋଡ଼ବାଡ଼ି ଛକରେ ଟ୍ରକ୍ ଧକ୍କାରେ ଦୁଇ ଜଣ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଆଉ ଜଣେ ଛାତ୍ରୀ ଗୁରୁତର ଅଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ମୃତ ଛାତ୍ରୀ ଦ୍ୱୟ ହେଉଛନ୍ତି ଅନୁପମା ମଲ୍ଲିକ ଓ ଜୟଶ୍ରୀ ରଣା।

ମୃତ ଦୁଇ ଛାତ୍ରୀ କାଦୋବାହାଲ ଗାଁର ଏବଂ ସେମାନେ କାଦୋବାହାଲ କଲେଜରେ ଯୁକ୍ତ ଦୁଇରେ ପଢୁଥିଲେ।  ଗୁରୁତର ଥିବା ଛାତ୍ରୀଙ୍କ ନାଁ  ପ୍ରିୟ ମଞ୍ଜରୀ ଜେନା। ସେ ମଧ୍ୟ  କାଦୋବାହାଲ ଗାଁର ଓ ଯୁକ୍ତ ଦୁଇରେ ପଢ଼ନ୍ତି।

ତିନି ସାଙ୍ଗ ଆଜି କଲେଜ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା ।  ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ତିନି ଜଣଙ୍କୁ ଉଦ୍ଧାର କରି ବୁର୍ଲା ବଡ଼ ଡାକ୍ତରଖାନା ପଠା ଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅନୁପମା ଓ ଜୟଶ୍ରୀଙ୍କ ମୃତ୍ୟୁ ହୋଇଥିଲା। ପ୍ରିୟ ମଞ୍ଜରୀ ଚିକିତ୍ସାଧୀନ ଅଛନ୍ତି।

ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକେ ତାତି ଉଠିଥିଲେ । ମୃତ ଛାତ୍ରୀ ଦ୍ୱୟଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ । ଅତିବିରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ଲାଗି ଚେଷ୍ଟା କରିଥିଲା । ପୋଲିସ ଟ୍ରକ ଡ୍ରାଇଭରଙ୍କୁ ଅଟକ ରଖିଛି ।