Onn 3

ସହିଦ ନୀଳାଞ୍ଚଳଙ୍କ ଶେଷକୃତ୍ୟ ସମ୍ପନ୍ନ

State

ବରଗଡ: ଗାଁ ଦାଣ୍ଡ କୋହକୋହ । ଲୁହଭର୍ତ୍ତି ଆକାଶ ଆଉ କୋହଭର୍ତ୍ତି ପବନ । ଘରଠୁ ମଶାଣି ସବୁଆଡ ଲୋକାରଣ୍ୟ । ହେଲେ କାହା ମୁହଁରେ ଭାଷା ନ ଥିଲା । ଭାରି ହୃଦୟରେ ଏମାଟିର ବୀର ପୁଅକୁ ଶେଷଦର୍ଶନ ଟିକିଏ କରିବା ପାଇଁ ଆଖି ସେମାନଙ୍କର ଘୂରି ବୁଲୁଥିଲା । ଆଜି ଜନ୍ମମାଟିରେ ବୀର ସହିଦଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇ ଯାଇଛି ।  ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ବାଘପାଳି ଗ୍ରାମକୁ ସହିଦ ନିଳାଞ୍ଚଳଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ବାଘପାଳି ଗ୍ରାମରେ ଛାଇଯାଇଥିଲା ଶୋକାକୁଳ ପରିବେଶ  ।

କାନ୍ଦ ବୋବାଳିରେ ଫାଟିପଡୁଥିଲା ବାଘପାଳି ଗାଁ ଦାଣ୍ଡ  । ସହିଦ ନିଲାଞ୍ଚଳଙ୍କ ଗର୍ଭବତୀ ସ୍ତ୍ରୀ କାନ୍ଦି କାନ୍ଦି ଚେତାଶୁନ୍ୟ ହୋଇପଡୁଥିବା ବେଳେ ତାଙ୍କ ଦୁଇ କୁନି କୁନି ଝିଅ ବାପାଙ୍କ ଶବକୁ ଜାବୁଡି ଧରି ବାହୁନି ବାହୁନି କାନ୍ଦୁଥିଲେ | ଏପରି ଛାତିଥରା ଦୃଶ୍ୟ ଦେଖି ସହିଦ ପରିବାରକୁ ସ୍ଵାନ୍ତନା ଦେବାକୁ କାହାରି ପାଖରେ ନ ଥିଲା ଧୈର୍ଯ୍ୟ ।   ସମସ୍ତଙ୍କ ଆଖିରୁ ବହୁଥିଲା ଅଶ୍ରୁର ଧାରା | ସହିଦ ନିଳାଞ୍ଚଳଙ୍କ ଗର୍ଭବତୀ ସ୍ତ୍ରୀ ଓ ଦୁଇ କୁନି ଝିଅଙ୍କ ବ୍ୟତୀତ ଘରେ ୮୦  ବର୍ଷର ବୁଢୀ ମାଁ , ସାନ ଭଉଣୀ ଓ ଭାଇ ଅଛନ୍ତି । ନିଲାଞ୍ଚଳକୁ ହରାଇ ସମସ୍ତେ ମର୍ମାହତ  ।

ଦେଶ ଓ ମା ମାଟି ପାଇଁ ସହିଦ ହୋଇଥିବା ସୁଯୋଗ୍ୟ ସନ୍ତାନ ସ୍ଵର୍ଗତ ନିଲାଞ୍ଚଳ ପାଇଁ ପୁରା ପରିବାର ଗର୍ବିତ ମନେକରୁଥିବା ନିଜ ଭାଇ କହିଛନ୍ତି | ପରିବାରର ଗୋଟେ ପୁଅ କିଶାନ ହୋଇଥିବା ବେଳେ ଅନ୍ୟ ପୁଅ ଦେଶର ସୁରକ୍ଷା ପାଇଁ ଯବାନ ସାଜିଥିଲେ | ଆଜି ପରିବାରର ଯବାନ ପୁଅ ଦେଶ ପାଇଁ ସହିଦ ହୋଇଯାଇଛନ୍ତି |

ଗତ ଶୁକ୍ରବାର ୧୧ ତାରିଖ ରାତିରେ ନିଲାଞ୍ଚଳ ସହିଦ ହୋଇଯାଇଥିବାବେଳେ ଶନିବାର ଏହି ଖବର ଚାରିଆଡେ ଦ୍ରୁତ ଗତିରେ ପ୍ରଚାରିତ ହୋଇଥିଲା  । ଶନିବାର ଠାରୁ ପରିବାର ଲୋକେ ତଥା ନିଲାଞ୍ଚଳଙ୍କ ସାଙ୍ଗସାଥି ଓ ବାଘପାଳି ଗ୍ରାମବାସୀ ତାଙ୍କ ପାର୍ଥିବ ଶରୀରକୁ ଅପେକ୍ଷା କରିରହିଥିଲେ | ଆଜି ତାଙ୍କର ପାର୍ଥିବ ଶରୀର ବରଗଡ ପହଞ୍ଚିବା ଖବର ପାଇବା ମାତ୍ରେ ଭେଡେନ ବ୍ଲକ ସହଁରାଟିକ୍ରା ଠାରୁ ତାଙ୍କ ନିଜ ଗାଁ ବାଘପାଳି ପର୍ଯ୍ୟନ୍ତ ରାସ୍ତା କଡରେ ହଜାର ହଜାର ଲୋକେ ଅପେକ୍ଷା କରିରହିଥିଲେ ଶ୍ରଦ୍ଧାଞ୍ଜଳି ଦେବାକୁ  ।

ଭେଡେନକୁ ସହିଦ ନିଲାଞ୍ଚଳଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଶୋଭାଯାତ୍ରାରେ ପଛେ ପଛେ ହଜାର ହଜାର ଲୋକଙ୍କ ଜନସମୁଦ୍ର ଦେଖିବାକୁ ମିଳିଥିଲା | ବୀର ଯବାନ ଅମର ରହେ ସ୍ଲୋଗାନରେ ପୁରା ପରିବେଶ କମ୍ପି ଉଠିଥିଲା  । ସ୍ଥାନୀୟ ପ୍ରଶାସନ ସମେତ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଏବଂ ସଂକଳ୍ପ ପରିବାର , କୋଶଲ ସେନା, ଓକିଲ ସଂଘ, ଅମୃତ କୁଟୁମ, ସେବା ପରିବାର, ନାଗରିକ ସଂଘ, ସାମ୍ବାଦିକ ସଂଘ, ଭେଡ଼େନ କଲେଜ ଏବଂ ବିଭିନ୍ନ ଅନୁଷ୍ଠାନ ତଥା ହଜାର ହଜାର ଜନସାଧାରଣ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ | ପରେ ପ୍ରବଳ ଜନସମୁଦ୍ର ଭିତରେ ପରିବାରଲୋକଙ୍କ ନିକଟକୁ ପାର୍ଥିବ ଶରୀର ନିଆଯାଇଥିଲା ଏବଂ ପରେ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରିବା ପରେ ସହିଦ ନିଲାଞ୍ଚଳଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା  ।