Onn 3

କର୍ପୋରେଟରଙ୍କୁ ଅଣଦେଖା ,ପତାକା ଉତ୍ତୋଳନ କରିବେ ଓ୍ବାର୍ଡ ଅଫିସର

State

bmc-office

ଭୁବନେଶ୍ବର: ବିଏମସିରେ ଅଫିସର ରାଜ୍ । ଗୋଟିଏ ପରେ ଗୋଟିଏ ନିର୍ଦ୍ଦେଶନାମାକୁ ନେଇ ବିବାଦ ଭିତରକୁ ଠେଲି ହୋଇଯାଉଛି ବିଏମସି । ଆସନ୍ତା ସ୍ବାଧୀନତା ଦିବସରେ ଓ୍ବାର୍ଡ ଅଫିସରେ କର୍ପୋରେଟରଙ୍କୁ ବାଦ୍ ଦେଇ ଓ୍ବାର୍ଡ ଅଫିସର ପତାକା ଉତ୍ତୋଳନ କରିବେ । ଯାହାକୁ ନେଇ ଏବେ କର୍ପୋରେଟର ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସବୁ ଜୋନ୍ ଅଫିସ ଓ ଓ୍ବାର୍ଡ ଅଫିସରେ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ଆୟୋଜିତ ହେବ  । ଏଥିରେ ସବୁ ବର୍ଗର ଲୋକେ ସାମିଲ ହେବେ । ମିଶନ ଶକ୍ତି ଗ୍ରୁପର ସଦସ୍ୟମାନେ ସାମିଲ ହୋଇ ଜାତୀୟ ସଙ୍ଗୀତ ପରିବେଷଣ କରିବେ । ଏବଂ ଏହି ଉତ୍ସବ  ପାଳନ ପାଇଁ ପ୍ରତି ଓ୍ବାର୍ଡକୁ ୧୦ ହଜାର ଟଙ୍କା ଲେଖାଏଁ  ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି ।

ତେବେ ବିଏମସି ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ କିଛି ତ୍ରୁଟି ପରିଲକ୍ଷିତ ହୋଇଛି  । କର୍ପୋରେଟର ଓ୍ବାର୍ଡର ମୁଖ୍ୟ ହୋଇଥିବାବେଳେ ନିୟମ ଅନୁସାରେ ସେ ହିଁ ପତାକା ଉତ୍ତୋଳନ କରିବା କଥା  । କିନ୍ତୁ ଓ୍ବାର୍ଡ ଅଫିସର କିମ୍ବା କମିଶନରଙ୍କ ଦ୍ବାରା ପଠାଯାଇଥିବା ଅଧିକାରୀ ହିଁ ପତାକା ଉତ୍ତୋଳନ କରିବା ନେଇ ଚିଠିରେ ନିର୍ଦ୍ଦେଶ ରହିଛି । ଯାହାକୁ ନେଇ କିଛି କର୍ପୋରେଟର ମାନେ ଆପତ୍ତି ଉଠାଇଛନ୍ତି । ଜଣେ ପ୍ରତିନିଧିଙ୍କ ପ୍ରତି ଏହା କି ପ୍ରକାର ବ୍ୟବହାର ବୋଲି ସାଧାରଣରେ ପ୍ରଶ୍ନ ଉଠିଥିବାବେଳେ ସବୁ ଓ୍ବାର୍ଡରେ କର୍ପୋରେଟର ମାନେ ହିଁ ପତାକା ଉତ୍ତୋଳନ କରିବା ନେଇ ସ୍ପଷ୍ଟ କରିଛନ୍ତି ବିଏମସି କମିଶନର  । ଯାହାକୁ ନେଇ ଦ୍ବନ୍ଦ ଉପୁଜିଛି ।