ଅଧିକାରୀଙ୍କ ଅଣଦେଖାରୁ ଅନ୍ଧକାରରେ ପିଲାଙ୍କ ଭବିଷ୍ୟତ
ଆଗରପଡ଼ା: ସରକାର ପ୍ରାଥମିକ ଶିକ୍ଷାକୁ ସୁଦୃଢ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିବା ସହ ଏଥି ବାବଦରେ କୋଟି କୋଟି ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଏହାର ସଫଳ ରୂପାୟନ ହୋଇପାରୁନଥିବା ଜଣାପଡ଼ିଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଲକ ବିଟିପୁର ପଂଚାୟତ ଅନ୍ତର୍ଗତ ଧାନଘର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ । ବିଭାଗୀୟ ଅଧିକାରୀଙ୍କ ଅଣଦେଖା ଯୋଗୁଁ ଉକ୍ତ ବିଦ୍ୟାଳୟର ୪୪ଜଣ ଛାତ୍ରଛାତ୍ରୀ ବିନା ଶିକ୍ଷକରେ ଶିକ୍ଷାଲାଭ କରୁଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ;ବର୍ଷେ କି ଦୁଇ ବର୍ଷ ନୁହେଁ ପ୍ରତିଷ୍ଠାକୁ ଦୀର୍ଘ ୧୫ ବର୍ଷ ବିତିବା ପରେ ଗତ ମାର୍ଚ୍ଚ ମାସ ୧୮ ତାରିଖ(ଶନିବାର) ନିଜସ୍ୱ ବିଦ୍ୟାଳୟରେ ଶିକ୍ଷାଲାଭର ସୁଯୋଗ ପାଇଥିବା ଛାତ୍ରଛାତ୍ରୀ ମାତ୍ର ୩ମାସ ପରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ,ଓସେପା,ଓଡିଶାଙ୍କ ଗତ ଜୁନ ମାସ ୧୯ ତାରିଖ ଆଦେଶ ଅନୁସାରେ ପୁଣି ଉକ୍ତ ସୁଯୋଗରୁ ବଂଚିତ ହେବାକୁ ଯାଉଥିବା ଜଣାପଡ଼ିଥିଲା । ଏହା ଜଣାପଡ଼ିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ,ଓସେପା,ଓଡିଶାଙ୍କ ଆଦେଶ ବିରୁଦ୍ଧରେ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା । ହାଇକୋର୍ଟ ଉକ୍ତ ମାମଲାକୁ ବିଚାରକୁ ନେଇ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ପିଲାମାନେ ପୁର୍ବପରି ନିଜସ୍ୱ ବିଦ୍ୟାଳୟରେ ଶିକ୍ଷାଲାଭ କରିବେ ବୋଲି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବା ସ୍ଥଳେ ଜିଲ୍ଲାପାଳ କିମ୍ବା ଜିଲ୍ଲା ଶିକ୍ଷାଧିକାରୀ କାହାରି ଅନୁମତି ନନେଇ ବିଦ୍ୟାଳୟ ପରିଚାଳନା କମିଟିକୁ କୌଣସି ସୂଚନା ନଦେଇ ବ୍ଲକ ଶିକ୍ଷାଧିକାରିଣୀ ଉକ୍ତ ବିଦ୍ୟାଳୟରେ ପିଲାଙ୍କୁ ଶିକ୍ଷାଦାନ ପାଇଁ ନିଯୁକ୍ତ ୨ଜଣ ଶିକ୍ଷକଙ୍କୁ କାଢି ନେଇଥିଲେ । ପରେ ବ୍ଲକ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ବିଦ୍ୟାଳୟ ପ୍ରତି ବିଭିନ୍ନ ପ୍ରକାର ବୈମାତୃକ ମନଭାବକୁ ନେଇ ଗ୍ରାମବାସୀ,ଅଭିଭାବକ ଓ ପରିଚାଳନା କମିଟି ସଭ୍ୟ/ସଭ୍ୟା ସମସ୍ତେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ମଧ୍ୟ କୌଣସି ସୁଫଳ ପାଇପାରିନଥିଲେ । ଇତି ମଧ୍ୟରେ ଘଟଣାକୁ ୨ମାସ ବିତିବାକୁ ବସିଥିଲେ ସୁଦ୍ଧା ନା ପ୍ରଶାସନିକ ଅଧିକାରୀ ନା ବିଭାଗୀୟ ଅଧିକାରୀ କେହିବି କୌଣସି ପଦକ୍ଷେପ ନେଉନଥିବାରୁ ହାଇକୋର୍ଟ ଙ୍କ ଆଦେଶ ଅନୁସାରେ ନିଜସ୍ୱ ବିଦ୍ୟାଳୟରେ ଶିକ୍ଷାଲାଭପାଇଁ ଆସୁଥିବା ୪୪ଜଣ ଛାତ୍ରଛାତ୍ରୀ ବିନା ଶିକ୍ଷକରେ ଶିକ୍ଷାଲାଭ କରୁଥିବା ଜଣାପଡ଼ିଛି ।
ପିଲାମାନେ ଆସୁଛନ୍ତି କିନ୍ତୁ ସରକାରଙ୍କ ପ୍ରଦତ୍ତ ସମସ୍ତ ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି । ଯଦ୍ୱାରା ସେମାନଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଉଥିବା ଜଣାପଡ଼ିଛି । ୨୦୦୮ ମସିହାରେ ଗ୍ରାମବାସୀଙ୍କ ଉଦ୍ୟମ କ୍ରମେ ଏକ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଏଠାରେ ପ୍ରତିଷ୍ଠା ହୋଇଥିଲା । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ପ୍ରତିଷ୍ଠାର ୧୨ବର୍ଷ ପରେ ଅର୍ଥାତ୍ ୨୦୨୦ ମସିହାରେ ଉକ୍ତ ବିଦ୍ୟାଳୟ ଏକ ସଂପୂର୍ଣ୍ଣ ବିଦ୍ୟାଳୟରେ ପରିଣତ ହୋଇଥିଲା । କିନ୍ତୁ ୨୦୨୦ ମାର୍ଚ୍ଚ ମାସରେ ସରକାର ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟା ଆରମ୍ଭ କରିଥିଲେ ଓ ଧାନଘର ପ୍ରକଳ୍ପ ବିଦ୍ୟାଳୟର ପାରିପାଶ୍ୱିର୍କ ପରିସ୍ଥିତିକୁ ବିଚାରକୁ ନେଇ ସରକାର ଉକ୍ତ ବିଦ୍ୟାଳୟକୁ ନିକଟସ୍ଥ ନୁଆପୋଖରୀ ପ୍ରାଥମିକ ବିଦ୍ୟାଳୟରେ ମିଶାଇ ଦେଇଥିଲେ । ଗ୍ରାମବାସୀମାନେ ଏହାକୁ ବିରୋଧ କରି ବିଦ୍ୟାଳୟ ନିର୍ମାଣ ସଂପୁର୍ଣ୍ଣ ହୋଇଥିବାରୁ ନିର୍ମାଣାଧିନ ସ୍ଥାନରେ ପିଲାମାନେ ପଢିବାପାଇଁ ସୁଯୋଗ ମିଳୁବୋଲି ଦାବି କରି ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ହାଇକୋର୍ଟ ଉକ୍ତ ମାମଲାର ବିଚାର କରି ଗତ ୦୩.୦୧.୨୦୨୩ରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ,ଓସେପା,ଓଡିଶାଙ୍କୁ ଏହାର ତଦନ୍ତ କରି ୨ସପ୍ତାହ ମଧ୍ୟରେ ଅଭିଯୋଗ କାରୀଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବା ସହ ଶେଷ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଧାନଘର ଠାରେ ସ୍ଥାପିତ ବିଦ୍ୟାଳୟରେ ପିଲାମାନଙ୍କୁ ଶିକ୍ଷାଦାନ କରିବାପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ବହୁ ବାଦବିବାଦ ପରେ ଶେଷରେ ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଡିଏଲସିସି ଭଦ୍ରକଙ୍କ ଆଦେଶ ଅନୁସାରେ ଜିଲ୍ଲା ଶିକ୍ଷାଧିକାରୀ ଭଦ୍ରକଙ୍କ କାର୍ଯ୍ୟାଳୟ ଆଦେଶ ନଂ ୩୧୨୨/୧୩.୦୩.୨୦୨୩ରେ ଜିଲ୍ଳା ଶିକ୍ଷାଧିକାରୀ ଧାନଘର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟକୁ ଖୋଲି ସେଠାରେ ପିଲାଙ୍କୁ ଶିକ୍ଷାଦାନ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ,ଓସେପା,ଓଡିଶାଙ୍କ ତରଫରୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ କରିବା ପାଇଁ ଆଦେଶ ଦେଇଥିଲେ । ଏହା ସହିତ ବ୍ଲକ ଶିକ୍ଷାଧିକାରୀଙ୍କୁ ଉକ୍ତ ବିଦ୍ୟାଳୟରେ ପିଲାଙ୍କୁ ଶିକ୍ଷାଦାନ ପାଇଁ ୨ଜଣ ଶିକ୍ଷକ ଯୋଗାଇ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଉକ୍ତ ନିର୍ଦ୍ଦେଶ ପାଇବା ପରେ ବ୍ଲକ ଶିକ୍ଷାଧିକାରିଣୀ ୨ଜଣ ଶିକ୍ଷକ ନିଯୁକ୍ତି କରିଥିଲେ । କିନ୍ତୁ ଗତ ଜୁନ ୧୯ ତାରିଖରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ,ଓସେପା,ଓଡିଶାଙ୍କ ଆଦେଶ ଅନୁସାରେ ବ୍ଲକ ଶିକ୍ଷାଧିକାରିଣୀ ସେହିମାସ ୨୨ ତାରିଖରେ ଜିଲ୍ଲାପାଳ କିମ୍ବା ଜିଲ୍ଲା ଶିକ୍ଷାଧିକାରୀ କାହାରି ଅନୁମତି ନନେଇ ବିଦ୍ୟାଳୟ ପରିଚାଳନା କମିଟିକୁ କୌଣସି ସୂଚନା ନଦେଇ ପିଲାଙ୍କ ଶିକ୍ଷାଲାଭ ପାଇଁ କୌଣସି ବିହିତ ପଦକ୍ଷେପ ନନେଇ ନିଯୁକ୍ତି ଦେଇଥିବା ୨ଜଣ ଶିକ୍ଷକଙ୍କୁ କାଢି ନେଇଥିଲେ । ଅଧିକାରୀଙ୍କ ଏହିପରି ବୈମାତୃକ ମନଭାବ ପିଲାଙ୍କ ଭବିଷ୍ୟକ୍ୁ ଅନ୍ଧକାରମୟ କରିପକାଇଛି । ତେଣୁ ସରକାର ପିଲାଙ୍କ ଭବିଷ୍ୟତକୁ ଆଖିଆଗରେ ରଖି ଅଭିଭାବକଙ୍କ ଦାବିକୁ ବିଚାରକୁ ନେଇ ସମସ୍ୟାର ଏକ ସ୍ଥାୟୀ ସମାଧାନ କରିବା ପାଇଁ ଚେଷ୍ଟିତ ହେବାକୁ ବୁଦ୍ଧିଜୀବୀଙ୍କ ସହ ଶିକ୍ଷାବିତ୍ଙ୍କ ମହଲରେ ଦାବି ହୋଇଛି ।