ବାରିପଦା: ସମଗ୍ର ଶିକ୍ଷା, ମୟୂରଭଞ୍ଜ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ “ପ୍ରବେଶ ଉତ୍ସବ” ଏବଂ “ଖଡି ଛୁଆଁ” କାର୍ଯ୍ୟକ୍ରମ-୨୦୨୫ ଓ ଶିକ୍ଷା ସଚେତନତା ରଥ ର ଶୁଭାରମ୍ଭ ଶୁଳିଆପଦା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଡଢେଙ୍କିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି “ପ୍ରବେଶ ଉତ୍ସବ” ଏବଂ “ଖଡି ଛୁଆଁ” କାର୍ଯ୍ୟକ୍ରମର ପ୍ରମୁଖ ଅଂଶୀଦାର ଭାବରେ ଜାତୀୟ ଶିକ୍ଷାନୀତି -୨୦୨୦ ଆଧାରରେ ନୂଆ ଭାବେ ଖୋଲିଥିବା ଶିଶୁ ବାଟିକା ରେ ପ୍ରବେଶ ନିମନ୍ତେ ନାମ ଲେଖା ପାଇଁ ୫+ ବର୍ଷ ବୟସର ସମସ୍ତ ପିଲା, ବିଦ୍ୟାଳୟର ଛାତ୍ରଛାତ୍ରୀ, ପିତାମାତା, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ଗୋଷ୍ଠୀ ସଦସ୍ୟ, ଶିକ୍ଷକ/ ଶିକ୍ଷୟିତ୍ରୀ, ଶିକ୍ଷା ବିଭାଗର କର୍ମକର୍ତ୍ତା, ଜିଲ୍ଲାସ୍ତରୀୟ ଅଧିକାରୀ, ଗଣ ମାଧ୍ୟମର ସଦସ୍ୟ ଉପସ୍ଥିତ ଥିଲେ ।
ପ୍ରାରମ୍ଭରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥିଭାବେ ମାନ୍ୟବର ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦାନ କରିଥିଲେ । ସମ୍ମାନିତ ଅତିଥିଭାବେ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀଯୁକ୍ତ ହେମକାନ୍ତ ସୟ, ପୂର୍ବତନ ବିଧାୟକ ଶୁଳିଆପଦା ଶ୍ରୀଯୁକ୍ତ କାନ୍ଦରା ସୋରେନ, ମୟୂରଭଞ୍ଜ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ଗୁରୁ ଚରଣ ମଲ୍ଲିକ ମୟୂରଭଞ୍ଜ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଶ୍ରୀମତୀ ନିହାରିକା ମହାନ୍ତି, ଶୁଳିଆପଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଅନୁପମା ଘୋଷ, ଶୁଳିଆପଦା ତହସିଲଦାର ଶ୍ରୀଯୁକ୍ତ ନାରାୟଣ ହେମ୍ବ୍ରମ, ଶୁଳିଆପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ମାଳତୀ ଟୁଡୁ, ସ୍ଥାନୀୟ ସରପଞ୍ଚ ଓ ୱାର୍ଡ ମେମ୍ବର ପ୍ରମୁଖ ଯୋଗଦାନ କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶଶୀଧର ସିଂହ ଓ ଶ୍ରୀମତୀ ଦୀପ୍ତି ନାଏକ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ମାନ୍ୟବର ମନ୍ତ୍ରୀ ତାଙ୍କ ଉଦବୋଧନରେ ପ୍ରତ୍ୟେକ ଶିଶୁର ଶିକ୍ଷା ଅଧିକାର ସୁନିଶ୍ଚିତ କରିବା ନିମନ୍ତେ ସରକାର ସଂକଳ୍ପ ବଦ୍ଧ ଏବଂ ସମସ୍ତଙ୍କୁ ଶିକ୍ଷା ସ୍ରୋତରେ ସାମିଲ ହେବା ନିମନ୍ତେ ଆହ୍ଵାନ ଦେଇଥିଲେ । ଜିଲ୍ଲାପାଳ ମୟୂରଭଞ୍ଜ ତାଙ୍କ ଅଭିଭାଷଣରେ ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ କରାଯିବା ସହିତ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ଗୁରୁତ୍ଵ ପ୍ରଦାନ କରିଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଓ ଜିଲ୍ଲାପାଳ ୪୦ ଜଣ ଶିଶୁଙ୍କର ଖଡି ଛୁଆଁ କରାଇ ବିଦ୍ୟାଳୟ ଶିକ୍ଷାକୁ ପ୍ରବେଶ କରାଇଥିଲେ । ପ୍ରତ୍ୟେକ
ଶିଶୁକୁ ଏକ ଶିକ୍ଷା କିଟ ଓ ଶିଶୁ ବାଟିକା ପୁସ୍ତକ ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏହି ଅବସରରେ ମାନ୍ୟବର ମନ୍ତ୍ରୀଙ୍କ ଦ୍ଵାରା ଏକ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା । ସଭା ଶେଷରେ ଶୁଳିଆପଦା ବ୍ଲକ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସରୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଜିଲ୍ଲାର ଅନ୍ୟାନ୍ୟ ବ୍ଲକ ମାନଙ୍କରେ ମଧ୍ୟ “ପ୍ରବେଶ ଉତ୍ସବ” ଏବଂ “ଖଡି ଛୁଆଁ” କାର୍ଯ୍ୟକ୍ରମ-୨୦୨୫ ଓ ଶିକ୍ଷା ସଚେତନତା ରଥ ର ଶୁଭାରମ୍ଭ କରାଯାଇଥିଲା । ଏହିକ୍ରମରେ ମାନ୍ୟବର ବିଧାୟକ ରାଇରଙ୍ଗପୁର ଶ୍ରୀଯୁକ୍ତ ଜଲେନ ନାଏକ ବହଳଦା ବ୍ଲକ ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାଶିଙ୍ଗୀ, ତିରିଂ ବ୍ଲକର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରତନସାହି, ରାଇରଙ୍ଗପୁର ବ୍ଲକର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଡଗାଁ ଠାରେ “ପ୍ରବେଶ ଉତ୍ସବ” ଏବଂ “ଖଡି ଛୁଆଁ” କାର୍ଯ୍ୟକ୍ରମ-୨୦୨୫ ଉଦଘ।ଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ କରିଥିଲେ । ମାନ୍ୟବର ବିଧାୟକ ସାରସକଣା ଶ୍ରୀଯୁକ୍ତ ଭାଦବ ହାଁସଦା ଈଶ୍ଵର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ, ଖେରଣା ଠାରେ “ପ୍ରବେଶ ଉତ୍ସବ” ଏବଂ “ଖଡି ଛୁଆଁ” କାର୍ଯ୍ୟକ୍ରମ-୨୦୨୫ ଉଦଘ।ଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ କରିଥିଲେ । ମାନ୍ୟବର ବିଧାୟକ ବାରିପଦା ଶ୍ରୀଯୁକ୍ତ ପ୍ରକାଶ ସୋରେନ ଖୁଣ୍ଟା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କହ୍ନେଇବନ୍ଧ ଠାରେ “ପ୍ରବେଶ ଉତ୍ସବ” ଏବଂ “ଖଡି ଛୁଆଁ” କାର୍ଯ୍ୟକ୍ରମ-୨୦୨୫ ଉଦଘ।ଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଏହିଭଳି ଭାବରେ ଅନ୍ୟ ବ୍ଲକ ମାନଙ୍କରେ ମଧ୍ୟ ଜିଲ୍ଲା ପରିଷଦ ସଭ୍ୟ, ପଞ୍ଚାୟତ ସମିତି ସଭ୍ୟ ଓ ସଭାପତି, ବ୍ଲକ ଅଧିକାରୀ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଅଛି ।
ଜାତୀୟ ଶିକ୍ଷାନୀତି -୨୦୨୦ ଆଧାରରେ ପ୍ରତି ସରକାରୀ ଓ ଅନୁଦାନ ପ୍ରାପ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିଶୁ ବାଟିକା ନାମରେ ଏକ ନୂଆ ଶ୍ରେଣୀ ଆଜିଠାରୁ ଆରମ୍ଭ କରାଗଲା । ଜିଲ୍ଲାରେ ପୂର୍ବରୁ ସର୍ଭେ କରାଯାଇଥିବା ୩୭୨୭ ଗୋଟି ସରକାରୀ ଓ ଅନୁଦାନ ପ୍ରାପ୍ତ ସରକାରୀ ବିଦ୍ୟାଳୟ ଅନ୍ତର୍ଗତ ସାହି/ ପଡାମାନଙ୍କରେ ମୋଟ ୨୮,୨୫୯ ଜଣ ୫+ ବର୍ଷ ବୟସର ପିଲାଙ୍କର ଖଡି ଛୁଆଁ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଠିକ ସେହିପରି ମୋଟ ୨୧,୭୭୯ ଜଣ ୬+ ବର୍ଷ ବୟସର ପିଲାଙ୍କର ପ୍ରଥମ ଶ୍ରେଣୀରେ ନାମ ଲେଖା ପାଇଁ ପଦକ୍ଷେପ ନିଆଯାଇଛି ।