Onn 3

୩ ସାଇବର ଠକ ଗିରଫ

Crime State

ଭୁବନେଶ୍ବର: ଶିକ୍ଷିତ ବେକାରୀ ଯୁବକଙ୍କୁ ଚାକିରି ଲୋଭ ଦେଖାଇ ସାଇବର ଠକମାନେ ଶିକାର କରୁଛନ୍ତି। ଯୁବକମାନଙ୍କୁ ନିଜ ଜାଲରେ ପକାଇ ହଜାର ହଜାର ଟଙ୍କା ଠକି ନେଇ ଚମ୍ପଟ ମାରୁଛନ୍ତି। ଠକାମୀର ଶିକାର ହୋଇ ଯୁବକମାନେ ଥାନାର ଦ୍ବାରସ୍ଥ ହେଲା ପରେ ଘଟଣା ପଦାକୁ ଆସୁଛି। ଏଭଳି ଏକ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି। ସାଇବର ଠକମାନେ ଜାତୀୟସ୍ତରୀୟ କଂପାନି ନାଲ୍‌କୋ, ଜିନ୍ଦଲ, ବେଦାନ୍ତରେ ଚାକିରି ଦେବା ନାରେ ବଡ଼ଧରଣର ଠକେଇ କରିଛନ୍ତି। ଅଭିଯ‌ୋଗ ପରେ ଘଟଣାର ତଦନ୍ତ କରି ଭୁବନେଶ୍ୱର ସାଇବର ଥାନା ପୁଲିସ ୩ଜଣ ଠକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସନ୍ଦୀପ ବାଇ, ରାଜ ସିହ୍ନା ଓ ରାଜେଶ ସାମନ୍ତ ରଏ।

ସୂଚନା ଅନୁସାରେ ସାଇବର ଠକମାନେ ଯୁବକମାନଙ୍କୁ ଆକର୍ଷିଣୀୟ ଲୋଭ ଦେଖାଇ ସେମାନଙ୍କର ଜାଲରେ ଫସାଉଥିଲେ। ୪୦ ହଜାର ଟଙ୍କା ଦେଲେ ଉକ୍ତ କମ୍ପାନି ଚାକିରି ଦେବେ ବୋଲି ଲୋଭନୀୟ ଅଫର ଦେଉଥିଲେ। ବିଶ୍ୱାସ ଜନ୍ମାଇବା ପାଇଁ ଅନଲାଇନରେ ଇଣ୍ଟରଭ୍ୟୁ ମଧ୍ୟ ନେଉଥିଲେ। ଓଡ଼ିଶା ସମେତ ଛତିଶଗଡ଼ ଓ ଝାରଖଣ୍ଡର ଅନେକ ଚାକିରି ଆଶାୟୀ ପ୍ରାର୍ଥୀ ଏହି ଜାଲରେ ପଡ଼ିଥିଲେ।

ଅନ୍ୟପଟରେ ସାଇବର ଠକମାନେ ଜାଲି ଆକାଉଣ୍ଟ ଓ ପ୍ରିଆକ୍ଟିଭେଟ ସିମ୍ ମାଧ୍ୟମରେ ଟେଲି କଲିଂ ଓ ଅର୍ଥନୈତିକ କାରବାର କରୁଥିଲେ। ବିଭିନ୍ନ ଲୋକଙ୍କୁ ଦୁଇ ହଜାରରୁ ତିନି ହଜାର ଟଙ୍କା ଦେଇ ସେମାନଙ୍କ ଆକାଉଣ୍ଟ ଭଡ଼ାରେ ଆଣି ଏହି ଜାଲିଆତି କାମରେ ଲଗାଉଥିଲେ। ସାଇବର ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।