Onn 3

‘୪ନମ୍ବର ସ୍ଥାନ ବହୁଦିନର ସମସ୍ୟା’: ଭାରତ ଜର୍ସିରେ ପାକିସ୍ତାନ!

National & International sports

ନୂଆଦିଲ୍ଲୀ: ବିଶ୍ବକପ୍‌ ପୂର୍ବରୁ ଭାରତ ଗୁରୁତର ସମସ୍ୟାରେ ପଡ଼ିବା ଆଶଙ୍କା ଦେଖାଦେଇଛି। ଯୁବରାଜ ସିଂହଙ୍କ ଅବସର ପରଠୁ ୪ ନମ୍ବର ସ୍ଥାନରେ କେହି ଯୋଗ୍ୟ ହୋଇପାରୁନାହାନ୍ତି। ଏହି ସ୍ଥାନ ପାଇଁ ଅନେକ ପରୀକ୍ଷାନିରୀକ୍ଷା କରାଯାଇଛି, ହେଲେ ପୂର୍ଣ୍ଣ ଫଳାଫଳ କାହାଠୁ ଆସିପାରୁନଥିବାରୁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଚିନ୍ତା ପ୍ରକଟ କରିଛନ୍ତି। ବିଶ୍ବକପ୍‌କୁ ଆଉ ଦୁଇ ମାସରୁ କମ୍‌ ସମୟ ରହିଛି। ଗତ ୨୦୧୯ ବିଶ୍ବକପ୍‌ରେ ଭାରତ ସମାନ ଧରଣର ସମସ୍ୟା ଭିତରେ ଗତି କରିଥିଲା। ଆଗକୁ ଯୋଗ୍ୟ ଖେଳାଳିଙ୍କୁ ଖୋଜିବା ପାଇଁ ଏସିଆ କପ୍‌ ହିଁ ଶେଷ ସୁଯୋଗ ବୋଲି ରୋହିତ ସ୍ବୀକାର କରିଛନ୍ତି। ବିଶ୍ବକପ୍‌ ପୂର୍ବରୁ ଏସିଆ କପ୍‌ ଚଳିତ ମାସ ୩୦ ତାରିଖରୁ ପାକିସ୍ତାନ ଓ ଶ୍ରୀଲଙ୍କାରେ ଆୟୋଜିତ ହେବ।
ଦିନିକିଆରେ ୪ ନମ୍ବର ସ୍ଥାନ ପାଇଁ ହୋଇଥିବା ପରୀକ୍ଷାରେ ଶ୍ରେୟସ ଆୟର ସବୁଠୁ ସଫଳ ରହିଥିଲେ। ୨୦ ମ୍ୟାଚ୍‌ରେ ସେ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିଥିଲା ବେଳେ ୪୭.୩୫ ହାରରେ ୮୦୫ ରନ୍‌ ସଂଗ୍ରହ କରିପାରିଥିଲେ। ଏହାମଧ୍ୟରେ ୨ ଶତକ ଓ ୫ ଅର୍ଦ୍ଧଶତକ ସାମିଲ ଥିଲା। କିନ୍ତୁ ଆହତ ସମସ୍ୟା ଭିତରେ ସେ ଗତି କରିବାରୁ ତାଙ୍କ ସ୍ଥାନରେ ଅନ୍ୟ ଖେଳାଳିଙ୍କୁ ନେଇ ପରୀକ୍ଷା କରାଯାଇଥିଲା। ଭାରତୀୟ ଦଳର କିଛି ପ୍ରମୁଖ ଖେଳାଳି ଆହତ ହେବା ଆମକୁ ଚିନ୍ତାରେ ରଖିଥିବା ରୋହିତ କହିଛନ୍ତି। ଗତ ୪ରୁ ୫ ବର୍ଷ ମଧ୍ୟରେ ଅଧିକ ସଂଖ୍ୟାରେ ଖେଳାଳିମାନେ ଆହତ ହୋଇଛନ୍ତି। ହେଲେ ଆହତରୁ ଫେରିବା ବେଳକୁ ସେମାନେ ପର୍ଯ୍ୟାପ୍ତ ଅଭ୍ୟାସ କରିପାରିନଥାନ୍ତି କିମ୍ବା ସେମାନଙ୍କ ଲୟ ହରାଇ ସାରିଥାନ୍ତି।
କେଏଲ୍‌ ରାହୁଲ୍‌ ମଧ୍ୟ ୫ ନମ୍ବର ସ୍ଥାନରେ ୱିକେଟ୍‌କିପର-ବ୍ୟାଟର ଭାବେ ଖେଳିବାକୁ ‌ଅଧିକ ଯୋଗ୍ୟ ଥିଲେ। ହେଲେ ସେ ମଧ୍ୟ ଆହତ ହେବାରୁ କେବଳ ସେମାନଙ୍କ ଫେରିବା ବାଟକୁ ଚାହିଁରହିବା ଛଡ଼ା ଆଉ କିଛି ବାଟ ନାହିଁ। ତେଣୁ ପ୍ରତ୍ୟେକ ସ୍ଥାନରେ ଯୁବ ଖେଳାଳିଙ୍କୁ ଯୋଗ୍ୟ ପ୍ରମାଣିତ କରିବା ପାଇଁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଶୃଙ୍ଖଳା ବହୁତ ଗୁରୁତ୍ବପୂର୍ଣ୍ଣ ଥିଲା। ସେଠାରେ ପରୀକ୍ଷା ହେବା ପରେ ଏସିଆ କପ୍‌ରେ ମଧ୍ୟ ଉପଯୁକ୍ତ ଖେଳାଳିଙ୍କୁ ବାଛିବା ପାଇଁ ଆଉ ଏକ ସୁଯୋଗ ରହିଛି। କିଛି ଦିନ ପରେ ଚୟନ ସମିତି ବୈଠକ ବସିବ। ସେଠାରେ କାହାକୁ ସ୍ବତଃ ଭାବେ କୌଣସି ସ୍ଥାନରେ ଖେଳିବା ପାଇଁ ବଛାଯାଇପାରିବନି। ଯେଉଁମାନେ ସଂପୃକ୍ତ ସ୍ଥାନ ପାଇଁ ଯୋଗ୍ୟ ହୋଇଥିବେ ସେମାନଙ୍କୁ ଦଳରେ ନିଆଯିବ। ତେଣୁ ଏହାକୁ ପରଖିବା ପାଇଁ ଯୁବ ବ୍ୟାଟରମାନେ ଚାପରେ କିଭଳି ଖେଳୁଛନ୍ତି, ତାହାକୁ ଦେଖିବାକୁ ହେବ। ବିଶ୍ବକପ୍‌ରେ ସମସ୍ତେ ଜିତିବା ପାଇଁ ଖେଳିବେ। ଏହାସତ୍ତ୍ବେ ଆମ ଆଗରେ ଅନେକ ପ୍ରଶ୍ନ ରହିଛି। ସେସବୁର ଉତ୍ତର ଏସିଆ କପ୍‌ରୁ ମିଳିଯିବ ବୋଲି ରୋହିତ ଆଶାବ୍ୟକ୍ତ କରିଛନ୍ତି।

ଭାରତ ଜର୍ସିରେ ପାକିସ୍ତାନ!

ଶୁଣିବାକୁ ଅଜବ ଲାଗୁଥିଲେ ବି ଏହା ସତ ଯେ, ଭାରତୀୟ ଖେଳାଳିଙ୍କ ଜର୍ସିରେ ପାକିସ୍ତାନ ଲେଖାଯିବ। କାରଣ ଚଳିତ ମାସ ଶେଷ ଆଡ଼କୁ ହେବାକୁ ଯାଉଥିବା ଏସିଆ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ମୂଳ ଆୟୋଜକ ହେଉଛି ପାକିସ୍ତାନ। ପରେ ଭାରତ ସେଠାକୁ ଖେଳିବା ପାଇଁ ଯିବନାହିଁ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ ରୋକ୍‌ଠୋକ୍‌ କହିବାରୁ ଶ୍ରୀଲଙ୍କାକୁ ସହ-ଆୟୋଜକ କରାଯାଇଛି। ଅଂଶଗ୍ରହଣକାରୀ ଦଳମାନଙ୍କ ଜର୍ସିରେ ପ୍ରତିଯୋଗିତା ଆୟୋଜନ କରୁଥିବା ଦେଶର ନାମ ଲେଖାଯିବା ନିୟମ ରହିଛି। ତେଣୁ ଭାରତୀୟ ଖେଳାଳିଙ୍କ ଛାତି ଉପର ଜର୍ସିରେ ପାକିସ୍ତାନ ନାମ ଲେଖାଯିବ। ସାମାଜିକ ଗଣମାଧ୍ୟମରେ ଭାରତୀୟ ଖେଳାଳିଙ୍କ ଛାତି‌ରେ ପାକିସ୍ତାନ ଲେଖାଥିବା କିଛି ଫଟୋ ଭାଇରାଲ ହେବା ସହ ପ୍ରଶଂସକମାନେ ମିଶ୍ରିତ ପ୍ରତିକ୍ରିୟା ରଖୁଛନ୍ତି। ପାକିସ୍ତାନ ସହ ଭାରତର ରାଜନୈତିକ ଓ କୂଟନୈତିକ ସଂପର୍କ ବିଗିଡ଼ିବା ପରେ ସୁରକ୍ଷା ଜନିତ କାରଣ ପାଇଁ ଏହି ଦେଶକୁ ଖେଳିବାକୁ ଭାରତୀୟ ଖେଳାଳିଙ୍କୁ ଅନୁମତି ଦିଆଯାଉନାହିଁ। ପାକିସ୍ତାନ ମଧ୍ୟ ଭାରତ ଆଗରେ ଅନେକ ସର୍ତ୍ତ ରଖିଥିଲେ ମଧ୍ୟ ଶେଷରେ ବିସିସିଆଇର ପ୍ରସ୍ତାବ ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛି। ୧୯୮୭ ଓ ୧୯୯୬ ମସିହାରେ ପାକିସ୍ତାନ ଓ ଭାରତ ମିଳିତ ଭାବେ ବିଶ୍ବକପ୍‌ ଆୟୋଜନ କରିଥିଲେ। ଶେଷ ଥର ପାଇଁ ପାକିସ୍ତାନ ୨୦୦୮ ଏସିଆ କପ୍‌ର ଆୟୋଜକ ହୋଇଥିଲା ବେଳେ ଭାରତୀୟ ଖେଳାଳିଙ୍କ ଜର୍ସିରେ ଏହାର ନାମ ରହିଥିଲା। ଏହାପରଠୁ ପାକିସ୍ତାନ କୌଣସି ବଡ଼ ପ୍ରତିଯୋଗିତାର ଏକକ ଆୟୋଜକ ହୋଇପାରିନାହିଁ।