Onn 3

ଆଇପିସି ପରିବର୍ତ୍ତନ ବିଲ୍‌ରେ ଉଚ୍ଛେଦ ହେଲା ଧାରା ୩୭୭; ପୁରୁଷଙ୍କ ବିରୋଧରେ ଯୌନ ଅପରାଧ ପାଇଁ ଦଣ୍ଡ ନାହିଁ

National & International

ନୂଆଦିଲ୍ଲୀ: ଭାରତରେ ଅପରାଧ ପାଇଁ ଦଣ୍ଡ ବିଧାନ କରୁଥିବା ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ରେ ସଂଶୋଧନ/ ଶୋଧନ କରିବା ପାଇଁ ସରକାର ଶୁକ୍ରବାର ସଂସଦରେ ଏକ ବିଲ୍‌ ଆଗତ କରିଛନ୍ତି। ବିଲ୍‌ରେ ପ୍ରସ୍ତାବିତ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ପ୍ରଚଳିତ ଭାରତୀୟ ଦଣ୍ଡବିଧି ସଂହିତାରେ ଥିବା ଧାରା ୩୭୭କୁ ଉଚ୍ଛେଦ କରିବା।
ବାସ୍ତବରେ, ପ୍ରସ୍ତାବିତ ଆଇନରେ ପୁରୁଷଙ୍କ ବିରୋଧରେ ଅପ୍ରାକୃତିକ ଯୌନ ଅପରାଧ ପାଇଁ କୌଣସି ଦଣ୍ଡ ବିଧାନ ନାହିଁ। ଦୁଷ୍କର୍ମ ଭଳି ଯୌନ ଅପରାଧକୁ ଜଣେ ପୁରୁଷଙ୍କ ଦ୍ୱାରା ଜଣେ ମହିଳା କିମ୍ବା ଶିଶୁଙ୍କ ବିରୋଧରେ କରାଯାଇଥିବା କାର୍ଯ୍ୟ ଭାବରେ ବ୍ୟାଖ୍ୟା କରାଯାଇଛି। ବର୍ତ୍ତମାନ, ପୁରୁଷଙ୍କ ବିରୋଧରେ ଯୌନ ଅପରାଧ ପାଇଁ ଆଇପିସିରେ ଧାରା ୩୭୭ ଅଧୀନରେ ରହିଛି। ମାତ୍ର ଏହି ଧାରାକୁ ହଟାଇ ଦିଆଯାଇଛି।
ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର ଧାରା ୩୭୭ରେ କୁହାଯାଇଛି ଯେ ‘ଯଦି କେହି ସ୍ୱେଚ୍ଛାକୃତ ଭାବରେ କୌଣସି ପୁରୁଷ, ମହିଳା କିମ୍ବା ପଶୁଙ୍କ ସହିତ ପ୍ରକୃତିର ନିୟମ ବିରୁଦ୍ଧରେ (ଅପ୍ରାକୃତିକ) ଯୌନ ସମ୍ପର୍କ ରଖିବେ, ତାଙ୍କୁ ଆଜୀବନ କାରାଦଣ୍ଡ କିମ୍ବା ଦଶ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡରେ ଦଣ୍ଡିତ କରାଯିବ ଏବଂ ଜରିମାନା ମଧ୍ୟ ହେବ’।
ଏହା ପୂର୍ବରୁ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ଆଇପିସିର ଧାରା ୩୭୭କୁ ପଢ଼ି ଏକ ରାୟ ଦିଆଯାଇଥିଲା, ଯେଉଁଥିରେ ‘ସମ୍ମତିପ୍ରାପ୍ତ ବୟସ୍କ’ଙ୍କ ମଧ୍ୟରେ ଯୌନ କ୍ରିୟା ଅପରାଧ ରୂପେ ପରିଗଣିତ ହେବ ନାହିଁ ବ‌ୋଲି କହାଯାଇଥିଲା।