Congress 1709824909

ଲୋକସଭା ନିର୍ବାଚନ ଲଢ଼ିବାକୁ କଂଗ୍ରେସକୁ ମିଳୁ ନାହାନ୍ତି ପ୍ରାର୍ଥୀ !

National & International

ନୂଆଦିଲ୍ଲୀ:ଆଉ କିଛି ସପ୍ତାହ ପରେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ପ୍ରାୟ ଅଧିକାଂଶ ରାଜନୀତିକ ଦଳ ଏଥିପାଇଁ ନିଜର ପ୍ରସ୍ତୁତିକୁ ଚୂଡ଼ାନ୍ତ କରି ସାରିଲେଣି।
କେନ୍ଦ୍ରରେ କ୍ଷମତାସୀନ ବିଜେପି ପ୍ରଥମ ପର୍ଯ୍ୟାୟରେ ୧୯୫ ଜଣ ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରି ସାରିଛି। ହେଲେ ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ ଏବେ ବି ଦ୍ୱନ୍ଦ୍ୱରେ ରହିଛି। ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସ ଘନଘନ ବୈଠକ କରୁଛି ହେଲେ ଦଳ ଟିକେଟରେ ପ୍ରାର୍ଥୀ ହେବାକୁ ଅଧିକାଂଶ ନେତା ରାଜି ହେଉ ନଥିବା ଜଣାପଡ଼ିଛି।
ନିକଟରେ କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ କଂଗ୍ରେସ ବାଜିମାତ କରିଥିଲା। ରାଜ୍ୟରେ ଦଳ ଲୋକସଭା ନିର୍ବାଚନରେ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି। କିନ୍ତୁ କର୍ଣ୍ଣାଟକାରେ ଦଳ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ପାଇବାରେ ସମସ୍ୟାର ସମ୍ମୁଖୀନ ହେଉଛି।
ରାଜ୍ୟରେ ମନ୍ତ୍ରୀ ଭାବେ କାମ କରୁଥିବା ଏକାଧିକ ବରିଷ୍ଠ ନେତାକୁ ଦଳ ସାଂସଦ ପ୍ରାର୍ଥୀ କରିବାକୁ ଚାହୁଁଥିଲା। କିନ୍ତୁ ସେମାନେ ହାଇକମାଣ୍ଡଙ୍କ ଅନୁରୋଧରେ ରାଜି ହେଉ ନାହାନ୍ତି। କାରଣ କେହି ବି ରାଜ୍ୟରେ ପାଇଥିବା କ୍ଷମତାକୁ ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି। ସେହିପରି ନିର୍ବାଚନ ଜିତିବା ନେଇ ସେମାନଙ୍କର ଆଶା ମଧ୍ୟ କମ ରହିଛି।
୨୦୧୯ ସାଧାରଣ ନିର୍ବାଚନରେ କର୍ଣ୍ଣାଟକାରେ ବିଜେପି ୨୫ଟି ଆସନ ଜିତିଥିବା ବେଳେ କଂଗ୍ରେସ ଓ ନିକଟରେ ବିଜେପି ସହ ହାତ ମିଳାଇଥିବା କୁମାରସ୍ୱାମୀଙ୍କ ଦଳ ଗୋଟିଏ ଲୋକସଭା ଆସନରେ ବାଜିମାତ କରିଥିଲା। ସେହିପରି ଆଉ ଗୋଟିଏ ଆସନରେ ବିଜେପି ସମର୍ଥିତ ପ୍ରାର୍ଥୀ ଜିତିଥିଲେ।
ଏଥର ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ କଂଗ୍ରେସ ଜିତି ସରକାର ଗଢ଼ିଛି। ସେହିପରି ରାଜ୍ୟରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରାର ପ୍ରଭାବ ମଧ୍ୟ ପଡ଼ିଥିଲା। ଲାଗୁଥିଲା ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସର ଭାଗ୍ୟ ବଦଳିବ। କିନ୍ତୁ ଏବେ ରାଜ୍ୟରେ ଦଳକୁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବାକୁ ନେତା ମିଳୁ ନାହାନ୍ତି।
ସୂତ୍ର ଅନୁସାରେ, କଂଗ୍ରେସର କେନ୍ଦ୍ରୀୟ ନେତୃବୃନ୍ଦ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ କ୍ୟାବନେଟରେ ଥିବା କିଛି ବିଧାୟକଙ୍କୁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିବାକୁ ଚାହୁଁଛନ୍ତି। ତାଲିକାରେ ସତୀଶ ଜାରକିହୋଲି, ବି ନଗେନ୍ଦ୍ର, କ୍ରିଷ୍ଣା ବି ଗୌଡ଼ା, କେଏଚ ମୁନିୟାପ୍ପା, ଏଚକେ ପାଟିଲ ଓ ଈଶ୍ୱର ଖାନ୍ଦ୍ରେ ପ୍ରମୁଖଙ୍କ ନାଁ ରହିଛି। କିନ୍ତୁ ଏମାନଙ୍କ ମଧ୍ୟରୁ କେହି ବି ଲୋକସଭା ନିର୍ବାଚନ ଲଢ଼ିବାକୁ ଚାହୁଁ ନାହାନ୍ତି।
ଲକ୍ଷ୍ମୀ ହେବ୍ବାଲକର ମଧ୍ୟ ସିଧାସଳଖ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବାକୁ ମନା କରି ଦେଇଛନ୍ତି। ସେ ଏବେ ସିଦ୍ଦରମୈୟାଙ୍କ ସରକାରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ରହିଛନ୍ତି। ଲକ୍ଷ୍ମୀ ତାଙ୍କ ପୁଅ ମ୍ରିନାଲ ହେବ୍ବାଲକର ଲୋକସଭା ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ହୁଅନ୍ତୁ ବୋଲି ଚାହୁଁଛନ୍ତି।
ସେ କହିଛନ୍ତି, “ଏହା ବେଲାଗାଭି ଲୋକଙ୍କ ଆଶା ଓ ନେତାମାନେ ଏଠାରେ ଅଛନ୍ତି। ମ୍ରିନାଲଙ୍କ ନାଁ ପ୍ରାର୍ଥୀ ଭାବେ ବିଚାର କରିବାକୁ ପ୍ରସ୍ତାବ ଦିଆଯାଇଛି। ମୁଁ ମିଡିଆରୁ ଜାଣିବାକୁ ପାଇଛି ଯେ ମୋ ଭାଇଙ୍କ ନାଁ ବିଧାନ ପରିଷଦ ସଦସ୍ୟ ଭାବେ ପ୍ରସ୍ତାବିତ ହୋଇଛି। ଜିଲ୍ଲାର ସମସ୍ତ ନେତା ମିଳିତ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି।”
ସାମାଜିକ କଲ୍ୟାଣ ମନ୍ତ୍ରୀ ଏସ୍‌ସି ମହାଦବାପ୍ପା ମଧ୍ୟ ବେଶ ସାଧାରଣ ଭାବେ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି, “ମୁଁ ଲୋକସଭା ପ୍ରାର୍ଥୀ ନୁହେଁ। ମୁଁ ନିର୍ବାଚନ ଲଢ଼ିବି ନାହିଁ। ହାଇକମାଣ୍ଡ ଯାହାକୁ ବି ଟିକେଟ ଦେବେ, ତାଙ୍କ ବିଜୟ ସୁନିଶ୍ଚିତ କରିବାକୁ ମୁଁ ଚେଷ୍ଟା କରିବି।”
ନେତାମାନେ ନିର୍ବାଚନ ଲଢ଼ିବାକୁ ଅମଙ୍ଗ ହେଉଥିବାରୁ ଏବେ ହାଇକମାଣ୍ଡ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏଥିପାଇଁ ହାଇକମାଣ୍ଡ କଡ଼ା ନିର୍ଦ୍ଦେଶ ଜାରି କରିବା ମୁଡରେ ଅଛନ୍ତି। ରାଜ୍ୟ କଂଗ୍ରେସ ମୁଖିଆ ଡିକେ ଶିବକୁମାର କହିଛନ୍ତି, “ହାଇକମାଣ୍ଡ ଯାହା ବି ନିଷ୍ପତ୍ତି ନେବେ, ତାକୁ ପାଳନ କରିବାକୁ ସମସ୍ତେ ବାଧ୍ୟ। ମୁଁ ମଧ୍ୟ ସବୁ ନିର୍ଦ୍ଦେଶକୁ ପାଳନ କରିବି। ଦଳ ପାଇଁ ଆଜି ଆମେ ଏଠାରେ ରହିଛୁ। ସମସ୍ତେ ନିଷ୍ପତ୍ତିକୁ ମାନିବେ ଓ ଆମେ ଅଧିକାଂଶ ଆସନ ଜିତିବୁ।”