Onn 3

ୟୁନିୟନ ବ୍ୟାଙ୍କରୁ ଲୁଟ୍ ମାମଲା: ପଶ୍ଚିମବଙ୍ଗରୁ ଧରାହେଲା ମାଷ୍ଟରମାଇଣ୍ଡ

Crime State

ବାଲେଶ୍ୱର: ଚନ୍ଦନେଶ୍ୱରରେ ଥିବା ୟୁନିୟନ ବ୍ୟାଙ୍କରୁ ଲୁଟ୍ ମାମଲାରେ ବାଲେଶ୍ୱର ପୁଲିସକୁ ବଡ଼ ସଫଳତା ମିଳିଛି। ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଞ୍ଚଳରୁ ମାଷ୍ଟରମାଇଣ୍ଡକୁ ଗିରଫ କରିଛି ପୁଲିସ। ଏଥିସହ ୮୫୪ ଗ୍ରାମ୍ ସୁନା ଜବତ କରାଯାଇଛି। ପୂର୍ବରୁ ଏହି ଘଟଣାରେ ୬ଜଣଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାରେ ୧୪ ଜଣଙ୍କ ସମ୍ପୃକ୍ତି ଥିବା ବାଲେଶ୍ୱର ଏସପି ସାଗରିକା ନାଥ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୟୁନିୟନ ବ୍ୟାଙ୍କରେ ଲୁଟ୍ ମାମଲାର ମାଷ୍ଟରମାଇଣ୍ଡର ନାମ ତାୟବ ଅଲ୍ଲି ମୁଲ୍ଲା। ତା ନାଁରେ ପଶ୍ଚିମବଙ୍ଗର ବିଭିନ୍ନ ଥାନାରେ ବହୁ ମାମଲା ରହିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତ ଏପ୍ରିଲ୍ ମାସରେ ଜଳେଶ୍ୱରର ଚନ୍ଦନେଶ୍ୱରରେ ଥିବା ୟୁନିୟନ ବ୍ୟାଙ୍କରେ ଲୁଟ୍ ହୋଇଥିଲା। ୮ ଜଣ ଦୁର୍ବୃତ୍ତ ବନ୍ଧୁକ ମୁନରେ ଭୟଭୀତ କରାଇ ପ୍ରାୟ ୪୦ ଲକ୍ଷ ଟଙ୍କା ଓ ସୁନା ଲୁଟି ନେଇଥିଲେ। ବ୍ୟାଙ୍କ କର୍ମଚାରୀଙ୍କୁ ତାଲା ପକାଇ ସବୁ ଟଙ୍କା ଓ ସୁନା ଲୁଟ୍ କରି ଛୁ ମାରିଥିଲେ ଦୁର୍ବୃତ୍ତ।

ଘଟଣାସ୍ଥଳରେ ଜଳେଶ୍ୱର ପୁଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲା। ତେବେ ୮ ଦୁର୍ବୃତ୍ତ ଲୁଟ୍ କରିବା ପରେ କେଉଁଆଡେ ଫେରାର ହୋଇ ଯାଇଥିଲେ। ପୁଲିସ ଆଖପାଖରେ ଥିବା ସିସିଟିଭି ଯାଞ୍ଚ କରି ଦୁର୍ବୃତ୍ତଙ୍କୁ ଖୋଜିବାକୁ ପ୍ରାରମ୍ଭିକ ପ୍ରୟାସ ଜାରି ରଖିଥିଲା। ଏହି ଲୁଟ୍ ପଛରେ ବ୍ୟାଙ୍କର କର୍ମଚାରୀଙ୍କର ହାତ ଅଛି କି ନାହିଁ ତାହାର ଯାଞ୍ଚ ଆରମ୍ଭ କରିଥିଲା ପୁଲିସ । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଚଳାଇଥିଲା ପୁଲିସ । ଦିନ ଦ୍ୱିପ୍ରହରରେ ଏଭଳି ଲୁଟ୍ ହୋଇଥିବାରୁ ସାଧାରଣରେ ଭୟର ବାତାବରଣ ଖେଳିଯାଇଥିଲା।