Onn 3

ଦୁଇ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଇଞ୍ଜିନିୟର ଗିରଫ

Crime State

ନୟାଗଡ: ଭୁବନେଶ୍ୱରରେ ଜଣେ ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଜଣେ ସଫ୍ଟଓ୍ୱୟାର ଇଞ୍ଜିନିୟରଙ୍କୁ ଗିରଫ କରିଛି ସାଇବର ପୋଲିସ।

ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ ରଥଗଡାସାହିର ସିଦ୍ଧାର୍ଥ ପାଣିଗ୍ରାହୀ ଓରଫ ସାଗର କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ କରୁଛନ୍ତି। ନକଲି ସୋସିଆଲ ମିଡିଆ ଆକାଉଣ୍ଟ ଓ ଫେକ୍ ଓ୍ବେବସାଇଟ ଜରିଆରେ ସେ ଏପରି ଠକେଇ କରୁଥିବାର ପୂର୍ବରୁ ଅଭିଯୋଗ ରହିଛି।

କିଛି ଦିନ ତଳେ ସାଗର ଭୁବନେଶ୍ୱରସ୍ଥିତ ସାଇ ଇଲେକ୍ଟ୍ରୋ ଓ୍ୱାର୍ଲଡର ମାଲିକଙ୍କୁ ଫୋନ୍ କରି ନିଜକୁ ଏଚଡିଏଫସି ବ୍ୟାଙ୍କର ଜଣେ ଅଧିକାରୀ ବୋଲି ପରିଚୟ ଦେଇଥିଲା। ଦୋକାନୀ କହିଛନ୍ତି ଯେ ଶସ୍ତାରେ ଏୟାର କଣ୍ଡିସନର ଯୋଗାଇବା ପାଇଁ ବ୍ୟାଙ୍କ ଏକ ନୂଆ ଯୋଜନା ଆରମ୍ଭ କରିଛି ବୋଲି ଫୋନ୍ ବ୍ୟାଙ୍କ ଅଧିକାରୀର ପରିଚୟ ଦେଇ କହିଥିଲେ। ସାଗରଙ୍କ ବ୍ୟାକଗ୍ରାଉଣ୍ଡ ଯାଞ୍ଚ ନକରି ଦୋକାନ ମାଲିକ ୨୦ଟି ଏସି ପାଇଁ ଅର୍ଡର ଦେବା ସହ ଏଥିପାଇଁ ୨ ଲକ୍ଷ ଟଙ୍କାର ଡିଜିଟାଲ ପେମେଣ୍ଟ କରିଥିଲେ।

ଟଙ୍କା ଦେବା ପରେ ଦୋକାନ ମାଲିକ ତାଙ୍କ ନିର୍ଦ୍ଦେଶ ମୁତାବକ ଏସି ପାଇନଥିଲେ। ଏ ନେଇ ସାଗରଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିବାରୁ ପରବର୍ତ୍ତି ସମୟରେ ସାଗର ତାଙ୍କୁ ଏଡ଼ାଇ ଯାଇ ଟଙ୍କା ଫେରାଇ ନଥିଲେ। ଠକେଇର ଶିକାର ହୋଇଥିବା ଜାଣି ଦୋକାନ ମାଲିକ ସାଇବର ଥାନାରେ ଅଭିଯୋଗ କରିଥିଲେ।

ସାଇବର ପୋଲିସ ଘଟଣାର ତଦନ୍ତ କରିବା ପରେ ସାଗରକୁ ଗିରଫ କରିଛି। ତା’ ନିକଟରୁ ବ୍ୟାଙ୍କ୍ ପାସ୍ ବହି, ମୋବାଇଲ୍ ଫୋନ୍ ଓ ନଗଦ ୧ ଲକ୍ଷ ଟଙ୍କା ଜବତ କରାଯାଇଛି। ଏଥିସହିତ ୧ ଲକ୍ଷ ଟଙ୍କା ଥିବା ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଅଚଳ କରିଦିଆଯାଇଛି।

ଦୋକାନୀ ଦାବି କରିଛନ୍ତି ଯେ ସାଗର ଜଣେ ସାଇବର ଠକ ଏବଂ ତା’ ନାଁରେ ଖଣ୍ଡଗିରି, ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁର ଥାନାରେ ଏକାଧିକ ମାମଲା ରହିଛି। ସେମାନେ ଆହୁରି କହିଛନ୍ତି ଯେ, ଗତବର୍ଷ ସାଇବର ଠକେଇ ମାମଲାରେ ମଧ୍ୟ ତାଙ୍କୁ ଗିରଫ କରାଯାଇଥିଲା।