Onn 3

ଶିକ୍ଷକ ନିଯୁକ୍ତିରେ ଆଦିବାସୀ ବର୍ଗଙ୍କୁ ଉପେକ୍ଷା, ମାସା ଆର୍ମି ପକ୍ଷରୁ ଦୃଢ଼ ବିରୋଧ

State

ବାରିପଦା: ମୟୂରଭଞ୍ଜ ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ଶିକ୍ଷକ ପଦବୀ ନିଯୁକ୍ତିରେ ଆଦିବାସୀ ବର୍ଗଙ୍କୁ ଉପେକ୍ଷା ପ୍ରତିବାଦରେ ମାସା ଆର୍ମି ରାଜ୍ୟ ସାଧାରଣ ସମ୍ପାଦକ ଅର୍ଜୁନ ମୁର୍ମୁଙ୍କ ନେତୃତ୍ଵରେ ମୟୂରଭଞ୍ଜ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦୁମ୍ନ କୁମାର ଦାସଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନାମୁତାବକ ଚଳିତବର୍ଷ ମୟୂରଭଞ୍ଜ ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ଶିକ୍ଷକ ନିଯୁକ୍ତି ନିମନ୍ତେ ତା- ୧୫/ ୦୭/୦୨୩ ରିଖ ଦିନ ପତ୍ରସଂଖ୍ୟା- ୨୯୧୧ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ସେଥିରେ ଜିଲ୍ଲାପାଇଁ ଖାଲି ପଡିଥିବା ଉଭୟ ପୁରୁଷ ଓ ମହିଳା ନିମନ୍ତେ ୧୧୭ଟି ପଦବି ପ୍ରକାଶ ପାଇଛି । ମାତ୍ର ଜିଲ୍ଲା କେଡାର୍ ନିଯୁକ୍ତିରେ ଜିଲ୍ଲାସ୍ତରୀୟ ଆରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ନ କରିବା ମାସା ଆର୍ମି ଏହାକୁ ବିରୋଧ କରିଛି । ମୟୂରଭଞ୍ଜ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାବେଳେ ଏଠାରେ ଏସ୍‌ଟି ମାନଙ୍କ ପାଇଁ ଗୋଟିଏ ହେଲେବି ପଦବି ବାହାର ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ଏଠାରେ ହଜାର ହଜାର ଆଦିବାସୀ ଶିକ୍ଷିତ ବେକାର ଯୁବକ ଯୁବତୀମାନେ ଶିକ୍ଷକ ହେବାପାଇଁ ଦିନରାତି ପରିଶ୍ରମ କରୁଛନ୍ତି ।ଏଭଳି ପରିସ୍ଥିତିରେ ଏସ୍‌ଟି ମାନଙ୍କ ପାଇଁ ଗୋଟିଏ ହେଲେ ବି ପଦବି ବାହାର ନ କରିବା ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ନିରାଶ କରିଛି । ତେଣୁ ଶିକ୍ଷିତ ବେକାର ଯୁବତୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପୁନଃ ବିଚାର କରାଯାଇ ଶିକ୍ଷକ ନିଯୁକ୍ତି ନିମନ୍ତେ ଜିଲ୍ଳାସ୍ତରୀୟ ଆରକ୍ଷଣ ବ୍ୟବସ୍ଥା ଅନୁଯାୟୀ ଏସ୍‌ଟି ସଂରକ୍ଷଣ ପଦବି ବାହାର କରିବାପାଇଁ ମାସା ଆର୍ମି ପକ୍ଷରୁ ଦୃଢ ଦାବି କରାଯାଇଛି ।

ଅନ୍ୟପକ୍ଷରେ ମାସା ଆର୍ମି ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଛାତ୍ରୀ ନିବାସର ସଂଖ୍ୟା ୬୫୦୦ରେ ପହଞ୍ଚିଛି । ଛାତ୍ରୀ ନିବାସରେ ରହୁଥିବା ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିୟମିତ କରାଯାଉ ନାହିଁ । ଯୌନଶୋଷଣ ଭଳି ଘଟଣା ପଦାକୁ ଆସୁଥିବାରୁ ଏସବୁ ବିଦ୍ୟାଳୟ ଓ ଛାତ୍ରୀନିବାସରେ ମହିିଳା ମେଟ୍ରନ ଓ ଶିକ୍ଷୟିତ୍ରୀ ନିଯୁକ୍ତି ଦିଆଯାଉ । ସୁରକ୍ଷା ଦୃଷ୍ଟିରୁ ବିଦ୍ୟାଳୟ ଓ ଛାତ୍ରୀ ନିବାସରେ ସିସିଟିଭି ଲଗାଯାଉ । ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଦିଆଯାଉ । ଅନେକ ବିଦ୍ୟାଳୟ ଶିକ୍ଷକ ଅଭାବରୁ ଠିକ ଭାବେ ଚାଲିପାରୁ ନାହିଁ । ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଗଲେ ଏବଂ ମାସା ଆର୍ମିର ଏହି ଦାବି ପ୍ରତି ତୁରନ୍ତ ବିଚାର କରାଯାଇ ପଦକ୍ଷେପ ଗ୍ରହଣ କରାନଗଲେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଦାବିପତ୍ର ପ୍ରଦାନ ସମୟରେ ମାସା ଆର୍ମି ରାଜ୍ୟ ସାଧାରଣ ସମ୍ପାଦକ ଅର୍ଜୁନ ମୁର୍ମୁ ସମେତ ଜିଲ୍ଲା ସାଧାରଣ ସମ୍ପାଦକ ଚୈତନ ସୋରେନ୍ , ତଫାନ ହେମ୍ବ୍ରମ ଏବଂ ଧ୍ୟାନଚାନ୍ଦ ଟୁଡ଼ୁ ପ୍ରମୁଖ ଉପସ୍ଥିତ ଥିଲେ ।