Onn 3

ବନ୍ୟା ସ୍ଥିତି ମୁକାବିଲା ନେଇ ଏସଆରସିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ୭ ଜିଲ୍ଲାକୁ ଆଲର୍ଟ

State

ଭୁବନେଶ୍ୱର: ବନ୍ୟା ସ୍ଥିତି ମୁକାବିଲା ନେଇ ଏସଆରସିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ବନ୍ୟା ନେଇ ୭ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି। ତଳିଆ ଅଞ୍ଚଳ ଗୁଡ଼ିକୁ ଏନଡିଆରଏଫ, ଓଡ୍ରାଫ ଟିମ୍ ପଠାଯାଇଛି। ଅନୁଗୁଳ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଭାବିତ ଅଞ୍ଚଳ ପାଇଁ ଟିମ୍‌ ପ୍ରସ୍ତୁତ କରାଯାଇଛି।

୬୨ ଟି ଅଗ୍ନିଶମ ବିଭାଗ ଏବଂ ଜରୁରୀକାଳୀନ ସେବା ଟିମ ସହ ଡଙ୍ଗାର ବ୍ୟବସ୍ଥା କରାଯାଇଛି। ସମସ୍ତ ଦଳକୁ ୭ଟି ଜିଲ୍ଲା ପଠାଯାଇଛି। କେନ୍ଦ୍ରାପଡ଼ାରେ ୧୦, କଟକ ସଦରରେ ୧୦, ଆଠଗଡ଼ରେ ୮, ଜଗତସିଂହପୁରରେ ୯, ଖୋର୍ଦ୍ଧାରେ ୫, ନୟାଗଡ଼ରେ ୮, ପୁରୀରେ ୧୨ଟି ଦଳକୁ ପଠାଯାଇଛି। ୧୫ ଜିଲ୍ଲାରେ ୮ଟି ଏନଡିଆରଏଫ୍ ଟିମ, ୧୩ଟି ଓଡ୍ରାଫ ଏବଂ ୨୩ଟି ଅତିରିକ୍ତ ଅଗ୍ନିଶମ ବାହିନୀର ଟିମ ପଠାଯାଇଛି।

ଉପରମୁଣ୍ଡରେ ଲଗାଣ ବର୍ଷା ହେତୁ ମହାନଦୀରେ ବଢୁଛି ବନ୍ୟାଜଳ ପ୍ରବାହ। କଟକ ମୁଣ୍ଡୁଳିଠାରେ ଜଳସ୍ତର ବଢ଼ୁଥିବାରୁ ମହାନଦୀ ସିଷ୍ଟମରେ ଛୋଟ ଧରଣର ବନ୍ୟା ସମ୍ଭାବନା ଥିବା ନେଇ ଅନୁମାନ କରାଯାଇଛି। ତେଣୁ ଦୁର୍ବଳ ନଦୀ ବନ୍ଧ ଗୁଡ଼ିକରେ ୨୪ ଘଣ୍ଟିଆ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦରକାର ପଡ଼ିଲେ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ସ୍ଥାନୀୟ ପୋଲିସ, ଜଳସମ୍ପଦ ବିଭାଗ ଯନ୍ତ୍ରୀଙ୍କୁ ଏସଆରସି ପରାମର୍ଶ ଦେଇଛନ୍ତି। ନିରାପଦ ବିଲ୍ଡିଂରେ ରହିବା ଓ ଖାଇବାର ବ୍ୟବସ୍ଥା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।