Onn 3

ବୁଡ଼ିଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର, ୧୪୪ ଧାରା ଜାରି କଲା ପ୍ରଶାସନ

State

ବଡମ୍ବା: ମହାନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁ କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଛି । ଏନେଇ ଭଟ୍ଟାରିକା ପୀଠରେ ୧୪୪ ଧାରା ଜାରି କରାଯାଇଛି । ଆଠଗଡ଼ ଦେବୋତ୍ତର ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି ହୋଇଛି । ବନ୍ୟାରେ ଜନଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଗତ କାଲି ରାତିରେ ବନ୍ୟା ଜଳ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢ଼ା ସମେତ ଗର୍ଭଗୃହରେ ପଶି ଯାଇଥିଲା। ଆଜିକୁ କ୍ରମଶଃ ଏହା ବୃଦ୍ଧି ପାଇ ଏବେ ପ୍ରାୟ ୫ ଫୁଟର ବନ୍ୟା ଜଳ ମନ୍ଦିର ଭିତର ଦେଇ ପ୍ରବାହିତ ହେଉଛି । ମନ୍ଦିରରେ ପାଣି ପଶିବାରୁ ମା’ଙ୍କ ବିଗ୍ରହକୁ ରତ୍ନଗିରି ପାହାଡ଼ସ୍ଥିତ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ଯଥା ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି। ବନ୍ୟା ଆଶ୍ରୟସ୍ଥଳିରେ ମା’ଙ୍କର ପୂଜାନୀତିରେ ଯେପରି ବ୍ୟାଘାତ ନଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ସେପଟେ ପରିସ୍ଥିତିକୁ ଦେଖି ଭଟ୍ଟାରିକା ପୀଠରେ ୧୪୪ ଧାରା ଜାରି କରିଛି ପ୍ରଶାସନ । ଏହି କଟକଣା ସମୟରେ କୌଣସି ବ୍ୟକ୍ତିଙ୍କୁ ମନ୍ଦିର ପରିସରକୁ ଯିବାକୁ ଅନୁମତି ନାହିଁ, ଯଦି କେହି ଏହି ନିୟମକୁ ଅବମାନନା କରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।