Zzzzz

ଶକ୍ତି ଦେଖାଇ ସମୀରଙ୍କ ସମର୍ଥକଙ୍କ ଇସ୍ତଫା; ଦେଲେ ୨୪ ଘଣ୍ଟା ସମୟ

State

ଭୁବନେଶ୍ବର : ଶକ୍ତି ପ୍ରଦର୍ଶନ କରି ବିଜେଡି ଛାଡ଼ିଲେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କ ସମର୍ଥକ। ସମୀରଙ୍କ ଉପସ୍ଥିତିରେ ଭରା ସଭାରେ ସମର୍ଥକମାନେ ଇସ୍ତଫା ନେଇ ଘୋଷଣା କରିଛନ୍ତି। ଆଉ ନିଷ୍ପତ୍ତି ନେବା ପାଇଁ ସମୀରଙ୍କୁ ୨୪ ଘଣ୍ଟା ସମୟ ଦେଇଛନ୍ତି ସେମାନେ। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଶେଷ ନିଷ୍ପତ୍ତି ଜଣାଇବାକୁ ସମୀରଙ୍କୁ ତାଙ୍କ ସମର୍ଥକ ଅଲ୍‌ଟିମେଟ୍‌ମ ଦେଇଛନ୍ତି। କିନ୍ତୁ ଆଜି ସମୀର ବିଜେଡିରୁ ଇସ୍ତଫା ଦେଇନାହାନ୍ତି।
ଆଜି ଅପରାହ୍ନରେ ସମୀର ଦାଶଙ୍କ ସମର୍ଥକମାନେ ନିମାପଡ଼ା ଟାଉନ୍‌ ହଲ୍‌ ମୁକ୍ତାକାଶ ରଙ୍ଗମଞ୍ଚରେ ବିଶାଳ ସଭା ଆୟୋଜନ କରିଥିଲେ। ସଭାରେ ୫୮ ଜଣ ଜନ ପ୍ରତିନିଧିଙ୍କ ସମେତ ଶହଶହ ସମର୍ଥକ ଯୋଗଦେଇଥିଲେ। ସଭାରେ ଖୋଦ୍‌ ସମୀର ରଞ୍ଜନ ଦାଶ ମଧ୍ୟ ଉପସ୍ଥିତ ଥିଲେ। ଭାଷଣାବାଜି ପରେ ସମସ୍ତ କର୍ମୀ ବିଜେଡିରୁ ଇସ୍ତଫା ଦେଇଥିଲେ। ସେମାନେ ସାମୁହିକ ଇସ୍ତଫାପତ୍ର ସମୀରଙ୍କୁ ପ୍ରଦାନ କରିଥିଲେ। ଆଉ ଶେଷ ନିଷ୍ପତ୍ତି ନେବା ପାଇଁ ସମୀରଙ୍କୁ ୨୪ ଘଣ୍ଟା ସମୟ ଦେଇଛନ୍ତି ସମର୍ଥକ।
ନିମାପଡ଼ାରୁ ସମୀର ରଞ୍ଜନ ଦାଶ ଲଗାତାର ୩ଟି ଟର୍ମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସମୀର ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ଏଥର ବିଜେଡି ତାଙ୍କର ଟିକେଟ କାଟି ଦେଇଛି। ତାଙ୍କ ସ୍ଥାନରେ ଦିଲ୍ଲୀପ ଦାୟକଙ୍କୁ ପ୍ରାର୍ଥୀ କରିଛି ଦଳ। ଏହାକୁ ନେଇ ସମୀରଙ୍କ ସମର୍ଥକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ନିମାପଡ଼ା ବିଧାୟକ ପ୍ରାର୍ଥୀଙ୍କୁ ବଦଳାଇବାକୁ କିଛି ଦିନ ତଳେ ସମୀର ଓ ତାଙ୍କ ସମର୍ଥକମାନେ ବିଜେଡି ସୁପ୍ରିମୋଙ୍କୁ ଅନୁରୋଧ କରିଥିଲେ। ମାତ୍ର କିଛି ଲାଭ ହୋଇ ନଥିଲା।
ସୁପ୍ରିମୋଙ୍କ ମନ ଜିଣିବା ପାଇଁ ଶକ୍ତି ପ୍ରଦର୍ଶନ କରିଥିଲେ ସମୀର। ୩୦ ହଜାରରରୁ ଅଧିକ ସମର୍ଥକଙ୍କୁ ଏକଜୁଟ୍‌ କରି ଶକ୍ତି ପ୍ରଦର୍ଶନ କରିଥିଲେ ସେ। ପରେ ବିଭିନ୍ନ ଅଞ୍ଚଳ ବୁଲି ସମର୍ଥକଙ୍କ ସହ ମେଳି କରିଥିଲେ। ସେ ଭାବିଥିଲେ ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ବେଳେ ତାଙ୍କ ନାଁ ଆସିବ। ହେଲେ ସେ ନିରାଶ ହେଲେ। ଶେଷରେ ଆଜି ତାଙ୍କ ସମର୍ଥକମାନେ ଆଜି ସମୂହ ଇସ୍ତଫା ଦେଇଛନ୍ତି। ଆଉ ସମୀରଙ୍କୁ ୨୪ ଘଣ୍ଟା ସମୟ ଦେଇଛନ୍ତି।