Onn 3

ଗୁଳ୍ମ ଘେରରେ ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ, ଖବର ପ୍ରକାଶର ତିନି ମାସ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

State

ଆଗରପଡ଼ା: ଗତ ଜୁଲାଇ ମାସରେ“ବସୁଧା ଯୋଜନା ବାଟବଣା; ଗୁଳ୍ମ ଘେରରେ ସୋଲାର ୱାଟର ପମ୍ପପିଙ୍ଗ ସିଷ୍ଟମ” ଖବର ‘ଓଏନଏନ’ରେ ପ୍ରକାଶ ପାଇଥିଲା । ଖବର ପ୍ରକାଶକୁ ଇତି ମଧ୍ୟରେ ତିନି ମାସ ବିତି ଯାଇଥିଲେ ସୁଦ୍ଧା ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତରେ । ସରକାର ୨୦୨୪ରେ ଗ୍ରାମାଂଚଳର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଯୋଜନା କରିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦାଇତ୍ୱ ହୀନତା ଯୋଗୁଁ ଏହାର ସଫଳ ରୂପାୟନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ।

ବନ୍ତ ବ୍ଲକର ୨୫ ଟି ପଂଚାୟତର ବିଭିନ୍ନ ଗ୍ରାମରେ ଉକ୍ତ ପ୍ରକଳ୍ପ ନିର୍ମାଣ ହୋଇଛି । ନିର୍ମାଣ ସରିଥିବା ବିଭିନ୍ନ ଗ୍ରାମରେ ଜଳ ଯୋଗାଣ ଆରମ୍ଭରୁ ଆଣ୍ଠେଇ ପଡ଼ିଥିବା ଜଣାପଡ଼ିଛି । ପ୍ରକଳ୍ପ ଥାଇ ସୁଦ୍ଧା ମେଣ୍ଟି ପାରୁନାହିଁ ଶୋଷ । ଯେପରିକି ଓଡ଼ଙ୍ଗ ପଂଚାୟତର ପଂଚାୟତ କାର୍ଯ୍ୟାଳୟ ପରିସରରେ ବସୁଧା ଯୋଜନାରେ ଲକ୍ଷାଧିକ ଟଙ୍କାରେ ବସାଯାଇଥିବା ସୋଲାର ୱାଟର ପମ୍ପପିଙ୍ଗ ସିଷ୍ଟମ ଗୁଳ୍ମ ଘେରରେ ରହିଥିବାର ଦେଖିବାକୁ ମିଳିଥିଲା । ବିଭାଗ ତରଫରୁ ଏହାର ରକ୍ଷଣାବେକ୍ଷଣ କରାଯାଉନଥିବା ସ୍ପଷ୍ଟ ବାରି ହୋଇପଡ଼ିଥିଲା । ଯଦ୍ୱାରା ପ୍ରକଳ୍ପ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହେବା ବେଳକୁ ଏହା ନଷ୍ଟ ହୋଇଯାଇଥିବା ପରିସ୍ଥିତି ଉପୁଜିଥିବାର ସୂଚନା ଦେଇଥିଲା । । ସେହିପରି ସରକାରୀ ଅନୁଦାନରେ ଯେକୈାଣସି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କାର୍ଯ୍ୟସ୍ଥଳି ନିକଟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ନିର୍ମାଣ କରି ସେଥିରେ ସବିଶେଷ ସୂଚନା ଲେଖାଯିବାର ନିୟମ ଥିଲେ ସୁଦ୍ଧା ବନ୍ତ ବ୍ଳକର ବିଭିନ୍ନ ପଂଚାୟତରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଆରଡ଼ବ୍ଲ୍ୟୁଏସଏସ ମାଧ୍ୟମରେ ରାଜ୍ୟ ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଅଧିନରେ ବସୁଧା ଯୋଜନାରେ ଗ୍ରାମାଂଚଳ ରେ ପାନୀୟ ଜଳ ଯୋଗାଇ ଦେବା ଉଦେଶ୍ୟରେ କୋଟିକୋଟି ଟଙ୍କାରେ ନିର୍ମିତ ପ୍ରକଳ୍ପ ବର୍ତ୍ତମାନ ଫେଲ ମାରିଛି । କାଦବରାଙ୍ଗ ପଂଚାୟତ,ବଡ଼ବର୍ଚ୍ଚିକୟାଁ ପଂଚାୟତ,ଓଡ଼ଙ୍ଗ ପଂଚାୟତ,ଚାରିଗାଁ ପଂଚାୟତ ଏହିପରି ବିଭିନ୍ନ ପଂଚାୟତରେ ବସୁଧା ଯୋଜନାରେ ନିର୍ମିତ ଜଳ ଯୋଗାଣ ପ୍ରକଳ୍ପ ଲୋକଙ୍କ କାମରେ ଆସିପାରୁନାହିଁ ।

ଗୋଟେ ଗୋଟେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଟ୧୩୫.୯୫ ଲକ୍ଷ ଅଟକଳ ମୂଲ୍ୟରେ ନିର୍ମିତ ହୋଇଥିବାବେଳେ ଠିକାଦାରଙ୍କ ମନମୁଖି କାର୍ଯ୍ୟ ଓ ଠିକାଦାର ଏବଂ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରୁ ପ୍ରକଳ୍ପର ସଫଳ ରୂପାୟନ ହେବା ପରିବର୍ତ୍ତେ ଅର୍ଥ ଚଳୁ ହେଇଯାଉଛି । ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ବିଭିନ୍ନ ସ୍ଥାନରୁ ପାଇପ୍ ଫାଟି ପାଣି ବୋହିବା ସହ ବହୁ ଜାଗାରେ ପାଣି ପହଂଚି ପାରୁନି । ଏହିସବୁ କାରଣରୁ ଅଂଚଳବାସୀ ବିଶୁଦ୍ଧ ପାନୀୟ ଜଳ ପାଇବା ନେଇ ସନ୍ଧିହାନ ହୋଇପଡ଼ିଛନ୍ତି । ଏହି ସବୁ ସମସ୍ୟାକୁ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ଯେଉଁ ଯେଉର୍ ସ୍ଥାନରେ ସମସ୍ୟା ଦେଖା ଯାଉଛି ସେହିସବୁ ସମସ୍ୟାର ସମାଧାନ ପାଇଁ ବିଭାଗ ତରଫରୁ ପଦକ୍ଷେପ ନିଆ ଯାଉଛି ଓ ଧାର୍ଯ୍ୟ ସମୟ ମଧ୍ୟରେ ସବୁ ସମସ୍ୟାର ସମାଧାନ ହୋଇ ଯିବ ବୋଲି ପ୍ରକାଶ କରିଥିଲେ । ତେଣୁ ଲକ୍ଷାଧିକ ଟଙ୍କାରେ ନିର୍ମିତ ପ୍ରକଳ୍ପକୁ ପ୍ରହସନରେ ପରିଣତ ନକରି ନିର୍ମିତ ପ୍ରକଳ୍ପ ଗୁଡ଼ିକର ପୁନଃ ତଦାରଖ କରିବା ଏବଂ ନିର୍ମାଣଧିନ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ଠିକ ଭାବେ କରିବା ସହ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଯୋଜନାର ସଫଳ ରୂପାୟନ କରିବାକୁ ଚେଷ୍ଟିତ ହେବାକୁ ଗ୍ରାମବାସୀମାନଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହୋଇଥିବା ଖବର ପ୍ରକାଶ ପାଇବାକୁ ଇତି ମଧ୍ୟରେ ତିନି ମାସ ବିତିଯାଇଥିଲେ ସୁଦ୍ଧା ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତେଣୁ ଉପରୋକ୍ତ ସମସ୍ୟାର ଶୀଘ୍ର ସମାଧାନ ପାଇଁ ବିଭାଗୀୟ ଅଧିକାରୀ ଚେଷ୍ଟିତ ହେବାକୁ ଦାବି ହେଉଛି ।