Onn 3

ହରିୟାଣା : ଶୋଭାଯାତ୍ରା ବେଳେ ପଥର ମାଡ଼ ଓ ଗୁଳିମାଡ଼ରେ ୨୦ରୁ ଅଧିକ ଆହତ; ମନ୍ଦିରରେ ଆଶ୍ରୟ ନେଇଛନ୍ତି ୨୫୦୦ ଶ୍ରଦ୍ଧାଳୁ

National & International

ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦ ଓ ମାତୃଶକ୍ତି ଦୁର୍ଗା ବାହିନୀ ପକ୍ଷରୁ ହରିୟାଣାର ମେଓ୍ଵାତ୍ ଜିଲ୍ଲାର ନୁହଠାରେ ଚାଲିଥିବା ବ୍ରଜମଣ୍ଡଳ ଯାତ୍ରା ବେଳେ ସାମ୍ପ୍ରଦାୟିକ ସଂଘର୍ଷ ହୋଇଥିବା ସୂଚନା ମିଳିଛି । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ପଥରମାଡ଼ ଓ ନିଆଁ ଲାଗିଥିବା ଖବର ମିଳିଛି। ଦୁର୍ବୃତ୍ତମାନେ ଅନେକ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ପୁଲିସ ଉପରକୁ ମଧ୍ୟ ପଥର ମାଡ଼ କରାଯାଇଛି । ଏହି ହିଂସାକାଣ୍ଡରେ ଏପର୍ଯ୍ୟନ୍ତ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ପୁଲିସ ସୂଚନା ଦେଇଛି । କେତେକ ସ୍ଥାନରେ ଲୋକମାନେ ଗୁଳିଚାଳନା ମଧ୍ୟ କରିଥିବା ସୂଚନା ମିଳିଛି । ଏହି କାରଣରୁ ଗୁରୁଗ୍ରାମରୁ ସୋହନା ପର୍ଯ୍ୟନ୍ତ ରାସ୍ତାକୁ ବନ୍ଦ କରି ଦିଆଯାଇଛି । ଅଂଚଳରେ ୧୪୪ ଧାରା ଲାଗୁ ସହ ଇଣ୍ଟରନେଟକୁ ବନ୍ଦ କରାଯାଇଛି ।
ଅନ୍ୟପକ୍ଷରେ ବାହାରେ ହିଂସାକାଣ୍ଡ ଜାରି ରହିଥିବାରୁ ଗୋଟିଏ ମନ୍ଦିରରେ ପ୍ରାୟ ୨୫୦୦ ପୁରୁଷ, ମହିଳା ଓ ଶିଶୁ ଅଟକି ରହିଛନ୍ତି। ଗୁରୁଗ୍ରାମ ନିକଟରେ ଥିବା ନୁହ୍ଲାର ମହାଦେବ ମନ୍ଦିରରେ ଏହି ଲୋକମାନେ ଆଶ୍ରୟ ନେଇଛନ୍ତି। ମନ୍ଦିର ବାହାରେ ସେମାନଙ୍କ ଯାନବାହନ ରହିଛି। ବାହାରକୁ ବାହାରିଲେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେମାନେ ପରିସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ ବାହାରି ପାରିବେ ନାହିଁ। ଏପର୍ଯ୍ୟନ୍ତ ପୁଲିସ ଲୋକମାନଙ୍କୁ ସେଠାରୁ ବାହାର କରିବା ବ୍ୟବସ୍ଥା କରିପାରିନାହିଁ।
ଏହି ଘଟଣା ପୂର୍ବରୁ ଏହି ଅଞ୍ଚଳର ବାତାବରଣ ଉତ୍ତେଜନାପୂର୍ଣ୍ଣ ଥିଲା । କୁହାଯାଉଛି ଯେ ଶୋଭାଯାତ୍ରା ସମୟରେ କିଛି ଲୋକ ବିବାଦୀୟ ହିନ୍ଦୁବାଦୀ ନେତା ମୋନୁ ମାନେସର ଏବଂ ତାଙ୍କ ସାଥୀମାନଙ୍କୁ ଦେଖିଥିଲେ । ଏହାପରେ ନୁହ ସହର ନିକଟରେ ଗୁରୁଗ୍ରାମ-ଅଲୱାର ଜାତୀୟ ରାଜପଥରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ସଂଘର୍ଷ ସୃଷ୍ଟି ହୋଇଥିଲା ।
ସୂଚନାଯୋଗ୍ୟ ଯେ, ବିବାଦୀୟ ବଜରଙ୍ଗ ଦଳ ନେତା ତଥା ଗୋରକ୍ଷକ ମୋନୁ ପାନେସର ଉପରେ ରାଜସ୍ଥାନରେ ଦୁଇ ଗୋଚାଲାଣକାରୀଙ୍କ ହତ୍ୟା ଅଭିଯୋଗ ରହିଛି । କିଛିଦିନ ପୂର୍ବେ ସେ ଏକ ଭିଡିଓ ମାଧ୍ୟମରେ ଚ୍ୟାଲେଞ୍ଜ କରିଥିଲା ଯେ ସେ ଏହି ଶୋଭାଯାତ୍ରା ସମୟରେ ନୁହ ଜିଲ୍ଲାରେ ଉପସ୍ଥିତ ରହିବ ।