Onn 3

ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

State

ବାରିପଦା: ନିର୍ମାଣ ଶ୍ରମିକ ତଥା ସେମାନଙ୍କ ପରିବାର ର ସୁରକ୍ଷା ର ପରିକଳ୍ପନା, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ସମ୍ବେଦନଶୀଳ ଚିନ୍ତାଧାରା ର ଆଉ ଏକ ନିଦର୍ଶନ | 2009 ମସିହା ରୁ ଏହାକୁ କାର୍ଯ୍ୟକାରୀ କରାଯାଇ 2014 ମସିହା ରୁ ସଂଗଠିତ ଓ ଅଣସଂଗଠିତ ନିର୍ମାଣ ଶ୍ରମିକ ମାନଙ୍କୁ ପଞ୍ଜିକୃତ କରାଯାଇ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ନିର୍ମାଣ ଶ୍ରମିକ ତଥା ସେମାନଙ୍କ ପରିବାର ବର୍ଗ ଙ୍କୁ ବିଭିନ୍ନ ପ୍ରକାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି |

ଏହି କ୍ରମରେ ଆଜି ସ୍ଥାନୀୟ ପ୍ରୟାସ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ ବିଭାଗ ଆନୁକୂଲ୍ୟରେ ଏକ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି | ମୟୁରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷl ଶ୍ରୀମତୀ ଭାରତୀ ହାଁସଦା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନ୍ୟାନ୍ୟ ଅତିଥିଙ୍କ ଉପସ୍ଥିତି ରେ ପ୍ରଦୀପ ପ୍ରଜ୍ବଳନ କରି ଏହି ଶିବିର କୁ ଉଦଘାଟନ କରିଥିଲେ |ପ୍ରାରମ୍ଭ ରେ ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଅନନ୍ତ ପଦ୍ମନାଭ ମହାମାନସିଂ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ର ଆଭିମୁଖ୍ୟ,ଏହାର କାର୍ଯ୍ୟକାରିତା ତଥା ଏହି ଯୋଜନା ରେ ପ୍ରଦାନ କରାଯାଉଥିବା ବିଭିନ୍ନ ଆର୍ଥିକ ସହାୟତା ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିବା ସହ ଆମ ଜିଲ୍ଲା ରେ ଏପର୍ଯ୍ୟନ୍ତ ଦିଆଯାଇଥିବା ଆର୍ଥିକ ସହାୟତା ର ବିବରଣୀ ଉପସ୍ଥାପନ କରିଥିଲେ | ମୁଖ୍ୟ ଅତିଥି ଶ୍ରୀମତୀ ହାଁସଦା ତାଙ୍କ ଅଭିଭାଷଣ ରେ କହିଥିଲେ କି ଏକ ବିକାଶଶୀଳ ରାଜ୍ୟ, ଦେଶ ତଥା ରାଷ୍ଟ୍ର ରେ ଶ୍ରମିକ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ |ରାଷ୍ଟ୍ର ଗଠନ ରେ ଶ୍ରମିକଟି ଯେଉଁ ଶ୍ରମ ଦାନ କରିଥାଏ ତାର ମୂଲ୍ୟ ଅକଳନୀୟ |

ସେହିପରି ଅନ୍ୟତମ ଅତିଥି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ )ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ତାଙ୍କ ଅଭିଭାଷଣ ରେ ଏହି ଯୋଜନା ରେ ଶିକ୍ଷା ସହାୟତା ବ୍ୟବସ୍ଥା ଟି ନିଶ୍ଚିତ ଭାବେ ମହତ୍ୱପୂର୍ଣ୍ଣ | ଯଦି ଶ୍ରମିକ ର ସନ୍ତାନ ଟି ଉପଯୁକ୍ତ ଶିକ୍ଷାଲାଭ କରି ଜୀବନ ରେ ଉନ୍ନତି କରେ ତେବେ ତାର ଜୀବନ ଶୈଳୀ ରେ ଯଥେଷ୍ଟ ପରିବର୍ତନ ର ସମ୍ଭାବନା ରହିଛି ବୋଲି ମତବ୍ୟକ୍ତ କରିବା ସହ ଜିଲ୍ଲା ରେ ନିର୍ମାଣ ଶ୍ରମିକ ଙ୍କ ପଞ୍ଜିକରଣ କିପରି ଅଧିକ ରୁ ଅଧିକ ହେବ ସେ ସମ୍ଭନ୍ଧ ରେ ସଚେତନତା କୁ ବ୍ୟାପକ କରିବାକୁ ପରାମର୍ଶ ଦେଇଥିଲେ | ଅନ୍ୟତମ ଅତିଥି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷ ଶ୍ରୀ ଦେବାଶିଷ ମାର୍ଣ୍ଡି ତାଙ୍କ ବକ୍ତବ୍ୟ ରେ କହିଥିଲେ କି ବିରାଟ ବିଳାସବ୍ୟସନ ପରିପୂର୍ଣ୍ଣ ନଭଶଚୁମ୍ବି ପ୍ରାସାଦର କୋଠରୀ ରେ ବାସ କଲା ବେଳେ ସେଇ ପ୍ରାସାଦ ନିର୍ମାଣ ରେ ଶ୍ରମିକଟିର ଶ୍ରମଦାନ ବିଷୟରେ ଯଦି ଆମେ ମନେ ପକାଇବା ତେବେ ଶ୍ରମିକ ତଥା ସେମାନଙ୍କ ପରିବାର ସୁରକ୍ଷା କଥା ନିଶ୍ଚୟ ଆମ ହୃଦୟ ରେ ଆସିବ |

ଏହି ଅବସରରେ ଅତିଥି ମାନେ ବାରିପଦା ସବ ଡିଭିଜନ ଅନ୍ତର୍ଗତ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ର ହିତାଧିକାରୀ ମାନଙ୍କୁ ବିବାହ, ପ୍ରସୂତିକାଳୀନ, ଅନ୍ତ୍ୟଷ୍ଟିକ୍ରିୟା ଓ ମୃତ୍ୟୁକାଳୀନ ସହାୟତା ପ୍ରଦାନ କରିବା ସହ ନୂତନ ଭାବେ ପଞ୍ଜିକୃତ ହୋଇଥିବା ଶ୍ରମିକ ଙ୍କୁ ତାଙ୍କର କାର୍ଡ ପ୍ରଦାନ କରିଥିଲେ | ଜିଲ୍ଲା ଶ୍ରମ କମିସନ ଶ୍ରୀ ମହେଶ୍ୱର ନାଏକ ଙ୍କ ତତ୍ତ୍ୱlବଧାନ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ସହକାରୀ ଶ୍ରମ ଅଧିକାରୀ ବିନୋଦ ବିହାରୀ ନାଏକ, ଶୁଚିସ୍ମିତା ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖଙ୍କ ସମେତ ବିଭାଗୀୟ ପଦାଧିକାରୀ, କର୍ମଚାରୀ,ବିଭିନ୍ନ ଶ୍ରମିକ ସଂଗଠନ ର କର୍ମକର୍ତ୍ତା ଓ ନିର୍ମାଣ ଶ୍ରମିକ ମାନେ ଉପସ୍ଥିତ ଥିଲେ | ପରିଶେଷରେ ସହକାରୀ ଶ୍ରମ ଅଧିକାରୀ ପାନମଣି ସୋରେନ ଧନ୍ୟବାଦ ଅର୍ପଣ କରିଥିଲେ |