Onn 3

ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ଚୋରି

Crime State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି , ଭଦ୍ରେଶ୍ୱର ଓ ସାଲେପୁର ଥାନା ସୀମାରେ ରହିଥିବା ଦୁଇଟି ମନ୍ଦିର ଓ ଦୁଇଟି ଦୋକାନରୁ ରବିବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ପୃଥକ ପୃଥକ ଭାବେ ଥାନାରେ ଅଭିଯୋଗ ହୋଇଛି । ନତକାଇ ଭୂୟାଁ ସାହି ର ଗ୍ରାମଦେବତୀ ମା’ମଙ୍ଗଳା ଙ୍କ ମନ୍ଦିରରୁ ଠାକୁରାଣୀଙ୍କ ସୁନା ଚିତା, ରୂପା ହାର , ଘଣ୍ଟ ଘଣ୍ଟା, ଥାଳି , କାଂସି ସମେତ ବିଭିନ୍ନ ପୂଜା ସରଞ୍ଜାମ ଦୁର୍ବୁତ୍ତମାନେ ନେଇ ଯାଇଥିବା ନିଶ୍ଚିନ୍ତକୋଇଲି ଥାନାରେ ଆଦିତ୍ୟ ଭୂୟାଁ ଅଭିଯୋଗ କରିଛନ୍ତି । ସେହିପରି ସାଲେପୁର ଥାନା ଅଧିନସ୍ଥ ରାମକୃଷ୍ଣପୁର ପଞ୍ଚାୟତ ରେ ଥିବା ଆରଓ ହାଇସ୍କୁଲ ନିକଟସ୍ଥ ଏକ ଗଣେଶ ମନ୍ଦିରରୁ ଦୁର୍ବୁତ୍ତମାନେ ହୁଣ୍ଡି ଭାଙ୍ଗି ଦାନ ଟଙ୍କା ନେଇଯାଇଥିଲାବେଳେ ମନ୍ଦିର ଭିତରେ ଥିବା ସମସ୍ତ ପୂଜା ସରଞ୍ଜାମକୁ ମଧ୍ୟ ଚୋରି କରି ନେଇଯାଇଥିବା ସ୍ଥାନୀୟ ବାସିନ୍ଦା ଲିପୁ ମଳିକ ଥାନାରେ ଅଭିଯୋଗ କରିଛନ୍ତି ।

ସେହିପରି ଭଦ୍ରେଶ୍ୱର ଥାନା ଅଧିନସ୍ଥ ନାଳୀପଡ଼ିଆ ବଜାରରେ ଦୀର୍ଘ ବର୍ଷ ହେବ ଚଳାଉଥିବା ଓସ୍ତପୁର ଗ୍ରାମର ସୁକାନ୍ତ କୁମାର ସାହୁ ଙ୍କ ଓମଫେଡ଼ କେନ୍ଦ୍ର ରୁ ଦୁଗ୍ଧମାନକ ଯନ୍ତ୍ର(ଲ୍ୟାପ୍ଟୋସ୍କାନ) ଯାହାର ମୂଲ୍ୟ ୧ଲକ୍ଷ ଟଙ୍କା ହେବ ତାହାକୁ ଚୋରି କରି ନେଇଥିଲାବେଳେ ବାକ୍ସ ଭାଙ୍ଗି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ନଗଦ ୬ ହଜାର ଟଙ୍କା ଏବଂ ସେହି ବଜାରର ସରୋଜ କୁମାର ନାୟକ ଙ୍କ ଦୋକାନ ଭାଙ୍ଗି ଗୋଟିଏ ଜେରକ୍ସ ମେସିନ , ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ଚୋରି ହୋଇଥିବା ଉଭୟ ଭଦ୍ରେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ସାଲେପୁର ଓ ଭଦ୍ରେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ସିସି ଫୋଟେଜ ରେ ଚୋରମାନଙ୍କର ଗତିବିଧିକୁ ଲକ୍ଷ୍ୟ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛନ୍ତି । ନିଶ୍ଚିନ୍ତକୋଇଲି ପୋଲିସ ପକ୍ଷରୁ କୌଣସି ତଦନ୍ତ କରାଯାଇନାହିଁ । ତୁରନ୍ତ ଏହାର ତଦନ୍ତ କରାଯାଇ ଚୋରକୁ ଧରିବା ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି ।