Onn 3

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ‘ଶିମିଳିପାଳର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ’ ଉପରେ ଜାତୀୟ ଆଲୋଚନାଚକ୍ର ଉଦ୍‌ଯାପିତ

State

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ‘ଶିମିଳିପାଳର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଉଦ୍‌ଯାପିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦିଗ୍‌ଦର୍ଶନରେ ଆୟୋଜିତ ଦ୍ୱିଦିବସୀୟ ଏହି ଆଲୋଚନାଚକ୍ରର ପ୍ରଥମ ଦିବସରେ ଶିମିଳିପାଳ ଜାତୀୟ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ରୀୟ ଉପନିର୍ଦ୍ଦେଶକ ଡ. ସମ୍ରାଟ ଗୌଡ଼ା ଓ ପରିବେଶବିତ ଡ. ଜୟକୃଷ୍ଣ ପାଣିଗ୍ରାହୀ ଶିମିଳିପାଳରେ ଦେଖାଯାଉଥିବା ସମସ୍ୟା ଓ ସମାଧାନ ସମ୍ବନ୍ଧରେ ଅଲୋଚନା କରିଥିଲେ । ଅନ୍ୟତମ ବକ୍ତା ଭାବରେ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ସୁଶୀଲ କୁମାର ଦତ୍ତ ଶିମିଳିପାଳକୁ ନେଇ ଆଜି ପର୍ଯ୍ୟନ୍ତ କରାଯାଇଥିବା ଧାରାବାହିକ ଗବେଷଣାର ପର୍ଯ୍ୟାୟକୁ ଆଲୋଚନା କରିଥିଲେ । ଓଡିଶା ଏନ୍‌ଭାଇରନ୍‌ମେଣ୍ଟ ସୋସାଇଟିର ସଭାପତି ଡ. ସୁନ୍ଦର ନାରାୟଣ ପାତ୍ର ଓ ରାଷ୍ଟ୍ରୀୟ ପାଦପ ଆନୁବଂଶିକ ସଂସାଧନ ବ୍ୟୁରୋର ମୁଖ୍ୟ ବୈଜ୍ଞାନିକ ଡ. ରମେଶ ଚନ୍ଦ୍ର ମିଶ୍ର ଶିମିଳିପାଳର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଅନୀଲ କୁମାର ବିଶ୍ୱାଳ ଶିମିଳିପାଳରେ ଦେଖାଯାଉଥିବା ବିଭିନ୍ନ ପ୍ରକାର ବୃକ୍ଷ, ଗୁଳ୍ମ, ପୁଷ୍ପ ଓ ଫଳ ସମ୍ବନ୍ଧରେ ଆଲୋଚନା କରିଥିଲେ ।

ଦ୍ୱିତୀୟ ଦିବସରେ କଲିକତାସ୍ଥ ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆର ବୈଜ୍ଞାନିକ ଡ. ପ୍ରତ୍ୟୁଷ କୁମାର ମହାପାତ୍ର ଶିମିଳିପାଳରେ ଦେଖାଯାଉଥିବା ବିଭିନ୍ନ ପ୍ରକାର ସରୀସୃପ ଜୀବମାନଙ୍କ ସମ୍ପର୍କରେ ଏବଂ ଏହି ସଂସ୍ଥାର ଅନ୍ୟତମ ବୈଜ୍ଞାନିକ ଡ. ଗିରିଜା ଶଙ୍କର ସେଠୀ ଶିମିଳିପାଳରେ ଦେଖାଦେଉଥିବା କୀଟପତଙ୍ଗ ମାନଙ୍କ ଉପରେ ଆଲୋଚନା କରିଥିଲେ । ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ଡ. ବିଭୁ କୁମାର ମହାନ୍ତି ଶିମିଳିପାଳ ଜୈବମଣ୍ଡଳର ପ୍ରାକୃତିକ ପରିବେଶ ଓ ଏହା ମଧ୍ୟରେ ବାସ କରୁଥିବା ଆଦିବାସୀମାନଙ୍କର ଜୀବନଶୈଳୀ ସମ୍ବନ୍ଧରେ ଆଲୋଚନା କରିଥିଲେ । ପରିବେଶବିତ ସନ୍ତୋଷ କୁମାର ମହାନ୍ତି ଶିମିଳିପାଳର ଜୀବଜଗତର ଐତିହାସିକ ପରିସଂଖ୍ୟାନ ସମ୍ବନ୍ଧରେ ଆଲୋଚନା କରିବା ସହ ବିଭିନ୍ନ ସମସ୍ୟା ଓ ସମାଧାନ ସମ୍ବନ୍ଧରେ ଆଲୋଚନା କରିଥିଲେ । ମୟୂରଭଞ୍ଜ ବାୟୋଲୋଜିକାଲ ରିସର୍ଚ୍ଚ ସ୍ୱେଚ୍ଛାସେବୀ ସଙ୍ଗଠନର କାର୍ଯ୍ୟକାରୀ ନିର୍ଦ୍ଦେଶକ ସମୀର କୁମାର ସାହୁ ଶିମିଳିପାଳରୁ ସଂଗୃହୀତ ବନ୍ୟଜାତ ଦ୍ରବ୍ୟକୁ ନେଇ ଆଦିବାସୀମାନଙ୍କ ଆର୍ଥିକ ଜୀବନ ସମ୍ବନ୍ଧରେ ଆଲୋଚନା କରିଥିଲେ । ଶକ୍ତିଶିଖା ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଂଯୋଜକ ତୁଷାରକାନ୍ତି ବେହେରା ଶିମିଳିପାଳରୁ ସଂଗୃହୀତ ବନ୍ୟଜାତ ଦ୍ରବ୍ୟର ବିକ୍ରି ପାଇଁ ଥିବା ସରକାରୀ ବ୍ୟବସ୍ଥା ସମ୍ବନ୍ଧରେ ଆଲୋଚନା କରିଥିଲେ । ଓଡ଼ିଶା ଇକୋକ୍ଲବ୍‌ର ମାଷ୍ଟର ଟ୍ରେନର ତଥା ମୟୂରଭଞ୍ଜର ଜିଲ୍ଲା ସଂଯୋଜକ ଡ. ରମାକାନ୍ତ ମହାନ୍ତ ଶିମିଳିପାଳର ଆଭ୍ୟନ୍ତରୀଣ ପରିବେଶ ସମ୍ବନ୍ଧରେ ଆଲୋଚନା କରିବା ସହିତ ଏ ନେଇ ଛାତ୍ରଛାତ୍ରୀମାନଙ୍କର ଜାଣିବା ଆବ୍ୟଶ୍ୟକତା ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହି ଆଲୋଚନାଚକ୍ରରେ ରେଭେନ୍‌ସା ବିଶ୍ୱବିଦ୍ୟାଳୟ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ୟୁନିସେଫ୍‌, କିସ୍‌ ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ଦେଓଗଡ଼ ମହାବିଦ୍ୟାଳୟ, ଓଡ଼ଶପୁର ମହାବିଦ୍ୟାଳୟର ଗବେଷଣାରତ ଛାତ୍ରଛାତ୍ରୀମାନେ ଶିମିଳିପାଳ ଉପରେ ନିଜର ପ୍ରବନ୍ଧ ଉପସ୍ଥାପନା କରିଥିଲେ । ଏହି ଜାତୀୟ ଆଲୋଚନାଚକ୍ରରେ ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଗବେଷକ ଯୋଗ ଦେଇଥିଲେ ।

ଉଦ୍‌ଯାପନୀ ପର୍ଯ୍ୟାୟରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ତଥା ଆଲୋଚନାଚକ୍ରର ଆବାହକ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଏକ ସଭା ଆୟୋଜିତ ହୋଇଥିଲା । ଏଥିରେ ନୃତତ୍ୱ ଜନଜାତି ବିଭାଗର ସହଯୋଗୀ ପ୍ରଫେସର ତଥା ସହ-ଆବାହକ ଡ. ବସନ୍ତ କୁମାର ମହାନ୍ତ, ବିଶ୍ୱବିଦ୍ୟାଳୟ ଆଇ.ଡି.ପି. ସଂଯୋଜକ ପ୍ରଫେସର ହୃଦୟନାଥ ଥାଟୋଇ ବକ୍ତବ୍ୟ ରଖିଥିବା ବେଳେ ବନ୍ୟପ୍ରାଣୀ ଓ ଜୈବବିବିଧତା ସଂରକ୍ଷଣ ବିଭାଗର ସହକାରୀ ପ୍ରଫେସର ଡ. ଦେବାଶିଷ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଆଲୋଚନାଚକ୍ରର କାର୍ଯ୍ୟକାରୀ ସଂପାଦକ ଜୈବପ୍ରଯୁକ୍ତି ବିଦ୍ୟା ବିଭାଗର ସହଯୋଗୀ ପ୍ରଫେସର ଡ. ବିଶ୍ୱଜିତ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ବିଭିନ୍ନ ବିଶ୍ୱବିଦ୍ୟାଳୟ୍, ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ବହୁ ବୁଦ୍ଧିଜୀବୀ ଯୋଗଦେଇଥିଲେ । ଏହି ଆଲୋଚନାଚକ୍ରରେ ପ୍ରବନ୍ଧପାଠ କରିଥିବା ଗବେଷକ ଓ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ବାରିପଦା ବନଖଣ୍ଡ ଅଧିକାରୀଙ୍କ ତରଫରୁ ପ୍ରଦର୍ଶିତ ବନ୍ୟଜାତ ଦ୍ରବ୍ୟ ଷ୍ଟଲ୍‌ ଶେଷଦିବସ ପର୍ଯ୍ୟନ୍ତ ପ୍ରଦର୍ଶନ କରାଯାଇଥିଲା ।