Onn 3

ଅଗଷ୍ଟ ୧୨ରେ ଡବ୍‌ଲ୍ୟୁଏଫ୍‌ଆଇ ନିର୍ବାଚନ

National & International sports

ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ୧୨ ତାରିଖରେ ଭାରତୀୟ ରେସଲିଂ ମହାସଂଘ (ଡବ୍‌ଲ୍ୟୁଏଫ୍‌ଆଇ) ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ମହାସଂଘ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି । ତେବେ ଏହି ନିର୍ବାଚନ ପ୍ରକ୍ରିୟାରେ ମତଦାନରୁ ମହାରାଷ୍ଟ୍ର ବଞ୍ଚିତ ହେବ ବୋଲି ରିଟର୍ଣ୍ଣିଂ ଅଫଇସର୍ ଜଷ୍ଟିସ୍ ଏମ୍‌ଏମ୍ କୁମାର ଘୋଷଣା କରିଛନ୍ତି । ପୂର୍ବରୁ ନିର୍ବାଚନ ଗତ ଜୁଲାଇ ୬ ତାରିଖରେ କରାଯିବା ସକାଶେ ନିଷ୍ପତ୍ତି ହୋଇଥିଲା । ତେବେ ମହାରାଷ୍ଟ୍ର ସହ ହରିଆଣା, ତେଲେଙ୍ଗାନା, ରାଜସ୍ଥାନ ଓ ହିମାଚଳ ପ୍ରଦେଶ ଏହା ବିରୋଧରେ କୋର୍ଟରେ ପହଞ୍ଚିବା ଫଳରେ ଏହା ଜୁଲାଇ ୧୧ ତାରିଖକୁ ଘୁଞ୍ଚିଥିଲା ।

ତେବେ ଆସାମ୍ ରେସଲିଂ ସଂଘ (ଏଡବ୍‌ଲ୍ୟୁଏ) ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବା ସକାଶେ ଆଇନର ଆଶ୍ରୟ ନେବାରୁ ଗୁଆହାଟୀ ହାଇକୋର୍ଟ ଜୁଲାଇ ୧୧ ତାରିଖରେ ହେବାକୁ ଥିବା ନିର୍ବାଚନ ଉପରେ ରୋକ ଲଗାଇଥିଲେ । ତେବେ ଏହି ମାମଲାରେ ସୁପ୍ରିମ୍‌କୋର୍ଟ ହସ୍ତକ୍ଷେପ କରିବା ସହ ଆସନ୍ତା ଅଗଷ୍ଟ ୧୨ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବା ନେଇ ରାୟ ଦେଇଥିଲେ । ଏହି ନିର୍ବାଚନରେ ୨୪ଟି ରାଜ୍ୟର ୪୮ ଜଣ ସଦସ୍ୟ ଅଂଶଗ୍ରହଣ କରିବେ । ନିର୍ବାଚନ ସକାଶେ ଆସନ୍ତା ୧ ତାରିଖରେ ପ୍ରାର୍ଥିପତ୍ର ଦାଖଲ ହେବ । ୭ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ୍ ହେବା ପରେ ଚୂଡ଼ାନ୍ତ ପ୍ରାର୍ଥିପତ୍ର ତାଲିକା ଘୋଷଣଶ କରାଯିବ ।