Onn 3

ଚୀନ ବୈଦେଶିକ ମନ୍ତ୍ରୀ ନିଖୋଜ ନେଇ ଟେନ୍‌ସନରେ ଜିନପିଙ୍ଗ ସରକାର, ପରକୀୟା ପ୍ରେମ ସଂପର୍କ ନେଇ ସନ୍ଦେହ

National & International

ପୁଣି ଚର୍ଚ୍ଚାରେ ଚୀନ । ଏଥର ଚୀନ ବୈଦେଶିକ ମନ୍ତ୍ରୀ ନିଖୋଜକୁ ନେଇ। ତିନି ସପ୍ତାହ ଧରି ନିଖୋଜ ଅଛନ୍ତି କିନ୍‌ ଗାଙ୍ଗ। ଶେଷଥର ପାଇଁ ଜୁନ ୨୫ ତାରିଖରେ ତାଙ୍କୁ ଦେଖାଯାଇଥିବା ନେଇ ବିଦେଶ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଅନ୍ତର୍ଦ୍ଧାନ ପଛରେ ହଂକଂର ଏକ ଟିଭି ଚ୍ୟାନେଲର ମହିଳା ସାମ୍ବଦିକ ଫୁ ଜିଆଓଟିଆନଙ୍କ ସହ ପ୍ରେମ ସଂପର୍କ ବୋଲି କୁହାଯାଉଛି। ତେବେ ଏହାକୁ ବେଜିଂ ଖଣ୍ଡନ କରିଥିଲେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀଙ୍କ ନିଖୋଜ ପରେ ଟେନ୍‌ସନରେ ଜିନପିଙ୍ଗ ସରକାର ।

କିନ୍‌ଙ୍କ ନିଖୋଜ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଚର୍ଚ୍ଚା ଜୋର ଧରିଛି। ଜାକର୍ତ୍ତା ଠାରେ ଏସିଆନର ସମ୍ମିଳନୀରେ କିନ୍‌ ଗାଙ୍ଗ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ସେ ସେଠାରେ ଯୋଗ ଦେଇନଥିଲେ। ତାଙ୍କ ସ୍ଥାନରେ ସମ୍ମିଳନୀରେ ସାମିଲ ହୋଇଥିଲେ ଚୀନ କୂଟନୀତିଜ୍ଞ ୱାଙ୍ଗ ୟି। କିନ୍‌ ଗାଙ୍ଗଙ୍କ ଅନ୍ତର୍ଦ୍ଧାନ ପଛରେ ଜଣେ ମହିଳା ସାମ୍ବାଦିକାଙ୍କ ସହ ପରକୀୟା ପ୍ରେମ ସଂପର୍କ ନେଇ ସନ୍ଦେହ କରାଯାଉଛି।

ତେବେ ସ୍ୱାସ୍ଥ୍ୟଗତ କାରଣରୁ ସେ ବାହାରରୁ ଆସୁନଥିବା ବେଜିଂ ପକ୍ଷରୁ କୁହାଯାଇଛି। ଶେଷ ଥର ପାଇଁ କିନ୍‌ଙ୍କୁ ଜୁନ ୨୫ ତାରିଖରେ ରୁଷର ବୈଦେଶିକ ବ୍ୟାପାର ଉପମନ୍ତ୍ରୀ ରୁଡେଙ୍କୋ ୟୁରେଭିକଙ୍କ ସହ ସାକ୍ଷାତ ବେଳେ ଦେଖାଯାଇଥିଲା। ଏହା ପରଠାରୁ ଆଉ ସେ ସାର୍ବଜନୀନ ସ୍ଥାନରେ ଦେଖିବାକୁ ମିଳି ନାହାଁନ୍ତି  ।

କିନ୍‌ ଗାଙ୍ଗଙ୍କ ସଂପର୍କ ହଂକଂର ଏକ ଟିଭି ଚ୍ୟାନେଲର ମହିଳା ସାମ୍ବଦିକଙ୍କ ସହ ରହିଥିବା ସନ୍ଦେହ କରାଯାଉଛି। ମହିଳା ସାମ୍ବାଦିକଙ୍କ ନାମ ଫୁ ଜିଆଓଟିଆନ ଓ ସେ ହଂକଂର ଫୋଏନିକ୍ସ ଟିଭିରେ କାର୍ଯ୍ୟରତ । କିନ୍‌ ଓ ଫୁ’ଙ୍କ ଏକାଠି ବୁଲିବାର ଫଟୋ କିଛିଦିନ ଧରି ବିଭିନ୍ନ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଏହି ଘଟଣା ପଦାକୁ ଆସିବା ପରେ ଚୀନର କ୍ଷମତାଶୀନ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ ଶୃଙ୍ଖଳା କମିଟି ଏନେଇ କିନ୍‌ଙ୍କୁ ଜବାବ ତଲବ କରିଥିବା ଚର୍ଚ୍ଚା ଚାଲିଛି।

ଫୁ ଜିଆଓଟିଆନ ଜଣେ ଆମେରିକା ନାଗରିକ ହୋଇଥିବାରୁ ଏହାକୁ ଗମ୍ଭୀରତାର ସହ ନେଇଛି ଜିନ୍‌ପିଙ୍ଗ ସରକାର। ଫୁ ଜିଆଓଟିଆନ ବିବାହିତା ଓ ତାଙ୍କର ଗୋଟିଏ ସନ୍ତାନ ରହିଥିବା ଜଣାପଡ଼ିଛି । କିନ୍‌ ଗାଙ୍ଗ ରାଷ୍ଟ୍ରପତି ଜିନ୍‌ ପିଙ୍ଗଙ୍କର ନିକଟତର ଥିଲେ । ବହୁ ବରିଷ୍ଠ କୂଟନୀତିଜ୍ଞଙ୍କୁ ଅଣଦେଖା କରି କିନ୍‌ଙ୍କୁ ବୈଦେଶିକ ବ୍ୟାପାର ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ଦାୟିତ୍ୱ ପ୍ରଦାନ କରିଥିଲେ ଚୀନ ରାଷ୍ଟ୍ରପତି । ତେବେ ଜିନ ନିଖୋଜ ଘଟଣା ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି।