Onn 3

ଦୁର୍ଘଟଣା ପୀଡିତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ ଗଞ୍ଜାମ ଏସପି

State

ଗଞ୍ଜାମ: ମାନବିକତା ଦେଖାଇଲେ ଗଞ୍ଜାମ ଜିଲ୍ଲା ଏସପି ଜଗମୋହନ ମୀନା। ଦୁର୍ଘଟଣାଗ୍ରସ୍ତ ପୀଡିତଙ୍କୁ ଉଦ୍ଧାର କରି ନିଜ ଗାଡିରେ ନେଇ ଡାକ୍ତରଖାନାରେ କଲେ ଭର୍ତ୍ତି। ସରକାରୀ କାର୍ଯ୍ୟରେ ଭଞ୍ଜାନଗରରୁ ଆସିକା ଯାଉଥିବାବେଳେ ରାସ୍ତାରେ ଜଣେ ଯୁବକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ। ଏସପି ଏହା ଦେଖି ଗାଡିରୁ ତୁରନ୍ତ ଓହ୍ଲାଇ ନିଜ ଗାଡିରେ ଯୁବକଙ୍କୁ ନେଇ ଆସିକା ମେଡିକାଲରେ ଭର୍ତ୍ତି କରିଥିଲେ। ଗୁରୁତର ଯୁବକ ଜଣଙ୍କ ଆସିକା କଲେଜ ସ୍କୋୟାରର ୨୭ ବର୍ଷିୟ ଶତ୍ରୁଘ୍ନ ସାମଲ ବୋଲି ଜଣାପଡିଛି।

ସୂଚନା ଅନୁସାରେ ଶତ୍ରୁଘ୍ନ ସାମଲ ନାମକ ଏହି ଯୁବକ ମୋଟରସାଇକେଲରେ ଯାଉଥିବାବେଳେ ଏକ ଅଜ୍ଞାତ ଗାଡି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ବାଇକରୁ ଖସିପଡି ଘଟଣାସ୍ଥଳରେ ଗୁରୁତର ହୋଇଯାଇଥିଲେ। ଏହି ସମୟରେ ଏସପି ଜଗମୋହନ ମୀନା ସେହି ରାସ୍ତା ଦେଇ ଯାଉଥିଲେ ଏବଂ ଗୁରୁତର ଯୁବକଙ୍କୁ ଦେଖି ତାଙ୍କୁ ଉଦ୍ଧାର କରି ମେଡିକାଲକୁ ଭର୍ତ୍ତି କରାଇଥିଲେ। ଡାକ୍ତରଙ୍କ ସହ ଚିକିତ୍ସା ସମ୍ବନ୍ଧୀୟ ଆଲୋଚନା କରି ଆବଶ୍ୟକୀୟ ଚିକିତ୍ସା ଯୋଗାଇବାକୁ ସୁନିଶ୍ଚିତ କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସାମଲଙ୍କୁ ବ୍ରହ୍ମପୁର ଏମକେଜି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି। ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରିବାକୁ ଏସପି ନିର୍ଦ୍ଦେଶ ଦେଇଛନ୍ତି।