Onn 3

ONN ପ୍ରଭାବ : ଖବର ପ୍ରକାଶ ପରେ ନିଯୁକ୍ତି ପାଇଲେ ୨ ବିଶେଷଜ୍ଞ ଡ଼ାକ୍ତର

State

ଆଗରପଡ଼ା: ଗତ ମଇ ମାସ ୨୨ ତାରିଖରେ “ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତର ମରୁଡ଼ି, ଜଣେ ଡ଼ାକ୍ତରରେ ଚାଲିଛି ରୋଗୀ ସେବା”ଶୀର୍ଷକ ଖବର ‘ONN’ରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୨ ଜଣ ବିଶେଷଜ୍ଞ ଡ଼ାକ୍ତରଙ୍କୁ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ଦିଆଯାଇଥିବା ଜଣା ପଡ଼ିଛି । ଫାଇଲ ନଂ ଏଚଏଫଡ଼ବ୍ଲ୍ୟୁ-ଏମଏସଆଇ-ଇଏସଟିଟି-୦୦୩୯-୨୦୨୩ ୧୪୪୮୦/ଏଚ ତା-୧୯/୦୬/୨୩ ଅନୁଯାୟୀ ଡ଼ଃ ଜ୍ୟୋତି ରଂଜନ ଦାଶ (ଶିଶୁରୋଗ ବିଶେଷଜ୍ଞ) ଓ ଡ଼ଃ ସୁଶ୍ରୀ ସଙ୍ଗୀତା ବିଶ୍ୱାଳ (ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ)ଙ୍କୁ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗ ଦାନ କରିବାକୁ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଦେଶ ଦିଆଯାଇଥିବା ଜଣାପଡ଼ିଛି । ପ୍ରକାଶ ଥାଉକି; ଯେଉଁଠି ବିଶେଷଜ୍ଞ ଡ଼ାକ୍ତରଙ୍କ ସମେତ ୮ରୁ ୧୦ଜଣ ଡ଼ାକ୍ତର ରହିବା ଦରକାର ସେଠାରେ ଜଣିଏ ମାତ୍ର ଡ଼ାକ୍ତର ରୋଗୀ ସେବା କରୁଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

 

https://odishanewsnetwork.in/?p=27543

 

ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଭିତ୍ତି ଭୂମିରେ ସୁଧାର ଆଣିବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିବା ସ୍ଥଳେ ଡ଼ାକ୍ତର ସମସ୍ୟା ପ୍ରତି ଦୃଷ୍ଟି ନଦେଦା ବିଭାଗୀୟ ଅଧିକାରୀଙ୍କ ଅପାରଗତାକୁ ପଦାରେ ପକାଇ ଦେଇଥିଲା । ଯଦ୍ୱାରା ସ୍ୱାସ୍ଥ୍ୟ କେନ୍ଦ୍ର ନବକଳେବର ଯୋଜନା ପ୍ରହସନରେ ପରିଣତ ହେବାକୁ ଯାଉଥିଲା । ୧୯୯୨ ମସିହାରେ ଆଗରପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା ପାଇଥିଲା । ଇତି ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତାକୁ ୩୦ ବର୍ଷ ବିତିଯାଇଥିଲେ ସୁଦ୍ଧା ଏଠାରେ ଲାଗି ରହିଥିବା ସମସ୍ୟାର ସମାଧାନ ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ନଦେବା ବଡ଼ ଦୁଃଖ ଓ ଅନୁତାପର ବିଷୟ ପାଲଟିଥିଲା । ବ୍ଲକର ଏକମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବ୍ଲକର ୨୫ଗୋଟି ପଂଚାୟତ ବାସୀଙ୍କ ସମେତ ପଡ଼ୋଶୀ କେନ୍ଦୁଝର ଜିଲ୍ଲା ହାଟଡ଼ିହୀ ଓ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ଅଧିକାଂଶ ପଞ୍ଚାୟତବାସୀ ନିର୍ଭର କରିଥାନ୍ତି । ଏହାକୁ ଆଖି ଆଗରେ ରଖି ସରକାର ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟିକୁ ୨୦୧୬ ମସିହାରେ ଏଫଆରୟୁ ମାନ୍ୟତା ପ୍ରଦାନ କରିଥିଲେ । ଜିଲ୍ଲାରେ ୨ଗୋଟି ଏଫଆରୟୁ ମାନ୍ୟତା ପାଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟିରୁ ଏହା ଅନ୍ୟତମ । ଶିଶୁ ବିଭାଗ ବିଶେଷଜ୍ଞଙ୍କ ଅବସର ପରେ ଉକ୍ତ ବିଭାଗ ସମେତ ଅସ୍ତ୍ରୋପଚାର ଓ ମେଡ଼ିସିନ ବିଭାଗରେ ବିଶେଷଜ୍ଞ ପଦବୀ ଖାଲିପଡ଼ିଥିଲା ।

ସ୍ତ୍ରୀ ଓ ପ୍ରସୂତି ବିଭାଗ ଡ଼ାକ୍ତର(ଡ଼େପୁଟେସନ) ୩ଦିନ ପାଇଁ ଏଠାକୁ ଆସୁଥିବାବେଳେ ନିଯୁକ୍ତି ପାଇଥିବା ୪ଜଣ ଏମବିବିଏସ ଡ଼ାକ୍ତରଙ୍କ ମଧ୍ୟରୁ ବର୍ତ୍ତମାନ ଏଠାରେ ୨ଜଣ କାର୍ଯ୍ୟରତ ଅଛନ୍ତି । ଜଣଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ଦାଇତ୍ୱ ଅର୍ପଣ କରାଯାଇଥିବାରୁ ଅନ୍ୟ ଜଣଙ୍କ ସମେତ ଆୟୁଷ ଡ଼ାକ୍ତର ଓ ଫାର୍ମାସିଷ୍ଟ ରୋଗୀ ସେବା କରୁଛନ୍ତି । ଏଠାରେ ଡ଼ାକ୍ତରଙ୍କ ଅଭାବ ଲାଗି ରହିଥିବାରୁ ରୋଗୀମାନେ ଠିକ୍ ଭାବେ ସେବା ପାଉନଥିବାର ଅଭିଯୋଗ ହେଉଥିଲା । ଦନ୍ତ ଚିକିତ୍ସା ନିମନ୍ତେ ନିଯୁକ୍ତି ପାଇଥିବା ଡ଼ାକ୍ତର ସମୟାନୁସାରେ ଅନୁପସ୍ଥିତ ରହୁଥିବାରୁ ଦନ୍ତ ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀ ଠିକ୍ ଭାବେ ସେବା ପାଇ ପାରୁନଥିବା ଅଭିଯୋଗ ହେଉଛି । ୩ଜଣ ଫାର୍ମାସିଷ୍ଟ ଙ୍କ ମଧ୍ୟରୁ ଜଣେ ଫାର୍ମାସିଷ୍ଟଙ୍କୁ ଅନ୍ୟତ୍ର ଡ଼େପୁଟେସନରେ ପଠାଯାଇଛି । ତେଣୁ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତି ଭୂମିରେ ସୁଧାର ଆଣିବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିବାରୁ ଆବଶ୍ୟକୀୟ ଡ଼ାକ୍ତର ନିଯୁକ୍ତି ନକଲେ ଏହା ମୂଲ୍ୟହୀନ ହୋଇପଡ଼ିବା ସାର ହେବ ତେଣୁ ବିଭାଗୀୟ ଅଧିକାରୀ ବୈଠକରେ ଏହାକୁ ସୀମିତ ନରଖି ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଥିଲା । ଉକ୍ତ ଖବର ‘ଓଏନଏନ’ରେ ପ୍ରକାଶ ପାଇବା ପରେ ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୨ ଜଣ ବିଶେଷଜ୍ଞ ଡ଼ାକ୍ତରଙ୍କୁ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ଦିଆଯାଇଥିବା ଜଣା ପଡ଼ିଛି ।