Onn 3

ଗ୍ୟାଙ୍ଗଷ୍ଟାରକୁ ଅପହରଣ ପରେ ହତ୍ୟା ଅଭିଯୋଗ, ୬ ଗିରଫ

Crime State

କେନ୍ଦ୍ରାପଡା: ଗ୍ୟାଙ୍ଗଷ୍ଟର ବିଭୁ ପ୍ରସାଦ ସାହୁଙ୍କୁ ଅପହରଣ ଓ ହତ୍ୟା ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ସୋମବାର ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରାପଡା ଏସପି ସନ୍ଦୀପ ସମ୍ପତ ମଡକର କହିଛନ୍ତି ଯେ ଏହି ୬ ଜଣ ବ୍ୟକ୍ତି ଗତ ମେ ୩୧ ତାରିଖରେ ଜିଲ୍ଲାର ମାର୍ଶାଘାଇ ଅଞ୍ଚଳର ଭଗବାନପୁର ଗ୍ରାମରୁ ବିଭୁଙ୍କୁ ଅପହରଣ କରିଥିବା ସ୍ୱୀକାର କରିଛନ୍ତି। ପରେ ମହାକାଳପଡା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ଉପକଣ୍ଠରେ ଥିବା ଏକ ପୁରୁଣା ଇଟାଭାଟି ନିକଟରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଗୁରୁତର କରିଥିଲେ।

ଗତ ୧ ତାରିଖରେ ପ୍ରମାଣ ନଷ୍ଟ କରିବା ପାଇଁ ସେମାନେ ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ରଥପଦାସ୍ଥିତ ଏକ କାଜୁ ଜଙ୍ଗଲରେ ନିଆଁ ଲଗାଇ ମୃତଦେହକୁ ପୋଡ଼ି ନଷ୍ଟ କରିଥିଲେ। କ୍ଷତବିକ୍ଷତ ଶବଟିକୁ ବିଭୁଙ୍କ ସ୍ତ୍ରୀ ସୌଦାମିନୀ ତାଙ୍କ କୃତ୍ରିମ ବାମ ଆଖିରୁ ଚିହ୍ନି ପାରିଥିଲେ। ଅପହରଣ ଦିନ ସେ ମାର୍ଶାଘାଇ ଥାନାରେ ଏତଲା ଦେଇଥିଲେ।

ଏହି ଘଟଣାରେ ବ୍ୟବହୃତ ୨ଟି କାର୍, ୩ଟି ବାଇକ୍, ୬ଟି ମୋବାଇଲ୍ ଫୋନ୍ ଓ ଦୁଇଟି କାଠ ଫାଣ୍ଡି ହ୍ୟାଣ୍ଡେଲକୁ ମଧ୍ୟ ପୁଲିସ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୧୨ ଜଣ ଏବେ ବି ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ ତନାଘନା ଆରମ୍ଭ କରିଥିବା ଏସପି କହିଛନ୍ତି।