Onn 3

କଂଗ୍ରେସରୁ ସସପେଣ୍ଡ ପରେ ମୁହଁ ଖୋଲିଲେ ବିଧାୟକ ମହମ୍ମଦ ମୋକିମ୍‌

Politics State

ଭୁବନେଶ୍ବର: ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବିରୋଧରେ ସ୍ବର ଉଠିଛି। କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଂଜୀବ ବିଶ୍ବାଳଙ୍କୁ ଶନିବାର ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ନିଲମ୍ବନ ପରେ ପିସିସି ବିରୋଧରେ ଦଳର ନେତା ମୁହଁ ଖୋଲିଛନ୍ତି। ଦଳର ସାଧାରଣ ସମ୍ପାଦକ ନାରାୟଣ ଜେନା ଓ ମୁଖପାତ୍ର ନରେଶ ଜେନା ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ବିରୋଧରେ ବିଷ ଓଗାଳିଛନ୍ତି।

ନାରାୟଣ ଜେନାଙ୍କ ଅଭିଯୋଗ ହେଲା ଯେ, ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ଵାଳଙ୍କୁ ଦଳରୁ ନିଲମ୍ୱନ କରିବା ପଛରେ ଶରତ ପଟ୍ଟନାୟକ, ଚେଲା କୁମାର ଓ ବିଜୟ ପଟ୍ଟନାୟକଙ୍କ ହାତ ରହିଛି, ଯାହାକୁ ସାଧାରଣ କଂଗ୍ରେସ କର୍ମୀ ଗ୍ରହଣ କରିପାରି ନାହାନ୍ତି। ଶରତ ପଟ୍ଟନାୟକ ଦଳର ସଂଗଠନ ଭାଙ୍ଗିବା ଆଉ ଦଳକୁ ନିଶ୍ଚିହ୍ନ କରିବା ପାଇଁ ଯୋଜନା କରିଛନ୍ତି । ଦଳକୁ ବିଜେପି ହାତକୁ ଟେକି ଦେବା ପାଇଁ ସବୁ ପ୍ରକାର ଚାଲ କରୁଛନ୍ତି। ଶରତ ପଟ୍ଟନାୟକଙ୍କ ସହ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ରହିଛନ୍ତି। ଉଭୟ ଶରତ ଓ ବିଜୟ ଦଳକୁ ଶେଷ କରିବା ପାଇଁ ଆସିଛନ୍ତି। ଉଭୟଙ୍କୁ ଦଳରୁ ବିତାଡ଼ିତ କରିବା ପାଇଁ ସମସ୍ତ କଂଗ୍ରେସ କର୍ମୀ ଏକାଠି ହେବା ପାଇଁ ଆହ୍ବାନ ଦିଆଯାଇଛି। ଖୁବ୍ ଶୀଘ୍ର ଏକ ଟିମ୍ ଦିଲ୍ଲୀ ଯାଇ ଏଆଇସିସିକୁ ଅବଗତ କରିବ।

ସୂଚନାଯୋଗ୍ୟ, ଦଳ ବିରୋଧୀ କାର୍ଯ୍ୟ ପାଇଁ ଅଖିଳ ଭାରତୀୟ କଂଗ୍ରେସ କିମିଟି (ଏଆଇସିସି) ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କୁ କଂଗ୍ରେସରୁ ନିଲମ୍ବନ କରିଛନ୍ତି। ଏଆଇସିସି ଶୃଖଂଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ସଦସ୍ୟ ତଥା ସାଧାରଣ ସଂପାଦକ ତାରିକ ଅନୱର ଏ ସଂକ୍ରାନ୍ତରେ ଗତକାଲି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଶ୍ରୀ ଅନୱର କହିଛନ୍ତି, ବିଧାୟକ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ଦଳ ବିରୋଧୀ ଗତିବିଧିରେ ଲିପ୍ତ ଥିବା ନେଇ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ରିପୋର୍ଟ ପଠାଇଥିଲେ। ତାଙ୍କର ଏହି ଅଭିଯୋଗ ଉପରେ ଶୃଙ୍ଖଳାଗତ କମିଟିରେ ଆଲୋଚନା ହୋଇଥିଲା ଏବଂ ଉଭୟ ନେତାଙ୍କୁ କାରଣ ଦର୍ଶ‌ାଅ ନୋଟିସ ଜାରି କରାଯାଇଥିଲା। ଉଭୟ ନେତା ‌ସେମାନଙ୍କର ଉତ୍ତର ଦେଇଥିଲେ। ହେଲେ ଏହା ସନ୍ତୋଷଜନକ ନ ଥିଲା। ଏଣୁ ଉଭୟଙ୍କୁ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିବା କାରଣରୁ ତତ୍କାଳ କଂଗ୍ରେସ ଦଳରୁ ନିଲମ୍ବନ କରାଯାଇଛି।