Onn 3

ଅଧପନ୍ତରିଆ ବିଶ୍ରାମାଗାର ପାଲଟିଛି ଜଳଖିଆ ଦୋକାନ

State

ଆଗରପଡ଼ା (୧୫/୭):ବରପଦା ଠାରୁ ଆଗରପଡ଼ା ପର୍ଯ୍ୟନ୍ତ ଲମ୍ବିଥବା ରାସ୍ତାର ବିଭିନ୍ନ ଛକ ଜାଗାରେ ସ୍ଥାୟୀ ବିଶ୍ରାମାଗାର ନଥିବାରୁ ଯାତ୍ରୀମାନେ ଖରାଦିନେ ଡ଼ହଡ଼ହ ଖରାରେ ଏଣେତେଣେ ବିଶ୍ରାମ ନେଉଥିବାର ଦେଖିବାକୁ ମିଳୁଥିଲା ଏବଂ ବର୍ତ୍ତମାନ ବର୍ଷାଦିନ ଚାଲୁଥିବା ବେଳେ ବର୍ଷା ସମୟରେ ମଧ୍ୟ ଯାତ୍ରୀମାନେ ନାହି ନଥିବା ସମସ୍ୟାର ସମ୍ମୁଖିନ ହେଉଥିବାର ଦେଖିବାକୁ ମିଳୁଛି । ଆଗରପଡ଼ା ଠାରୁ ଭଦ୍ରକ ପର୍ଯ୍ୟନ୍ତ ଲମ୍ବିଥବା ଏହି ବ୍ୟସ୍ତ ବହୁଳ ରାସ୍ତା ପାଶ୍ୱର୍ରେ ବିଭିନ୍ନ ସ୍ଥାନରେ ବିଶ୍ରାମାଗାର ମାନ ନିର୍ମାଣ ହୋଇଛି । ମାତ୍ର ଏହି ବିଶ୍ରାମାଗାର ଗୁଡ଼ିକ ଅବସ୍ଥା ଠିକ୍ ନଥିବାରୁ ଯାତ୍ରୀମାନେ ଏହା ମଧ୍ୟରେ ବସିବା ତ ଦୂରରକଥା,ଏହା ଭିତରକୁ ପଶିବାକୁ ଇଚ୍ଛା ପ୍ରକାଶ କରୁ ନାହାଁନ୍ତି । ଡ଼ହଡ଼ହ ଖରାରେ ଘଣ୍ଟା ଘଣ୍ଟା ଧରି ଖୋଲା ଆକାଶ ତଳେ ରହି ବସକୁ ଅପେକ୍ଷା କରିଥିବା ବେଳେ । ବର୍ଷା ସମୟରେ ରାସ୍ତା ପାଖରେ ଥିବା ବିଭିନ୍ନ ଦୋକାନର ସାହାରା ଖୋଜୁଛନ୍ତି । ଭଦ୍ରକ, ବାଲେଶ୍ୱର ଓ କେଉଁଝର ଜିଲ୍ଲାର ସୀମାବର୍ତ୍ତୀ ସ୍ଥାନରେ ଆଗରପଡ଼ା ଅବସ୍ଥିତ ଥିବାରୁ ଏହି ସ୍ଥାନ ଦେଇ ବିଭିନ୍ନ ସ୍ଥାନକୁ ଯାତ୍ରୀବାହୀ ବସ ଗୁଡ଼ିକ ଚଳାଚଳ କରିଥାଏ । ତେଣୁ ବିଭିନ୍ନ ସ୍ଥାନକୁ ଯିବା ପାଇଁ ଲୋକମାନେ ଏଠାରେ ଅପେକ୍ଷା କରିଥାନ୍ତି । ମାତ୍ର ସେପରି ସ୍ଥଳେ ସ୍ଥାନୀୟ କଲେଜ ଛକ ଠାରେ ଆଜିଯାଏ ବିଶ୍ରାମାଗାର ନିର୍ମାଣ ହୋଇପାରି ନାହିଁ । ମହତାବ ଛକ ଠାରେ ଥିବା ବିଶ୍ରାମାଗାରଟି ରାସ୍ତା ପ୍ରଶସ୍ତିକରଣ ସମୟରେ ଭାଙ୍ଗି ଦିଆଯାଇଛି । ସିନେମା ହଲ ଛକ ବିଶ୍ରାମାଗାର ବ୍ୟବହାର ଯୋଗ୍ୟ ହୋଇପାରୁ ନାହିଁ । ଏଠାରୁ ୨ କିମି ଦୂରବର୍ତ୍ତୀ ବିଶଲକଣା, ଶେଉଳଗଡ଼ିଆ, ଜାମବଣୀ ଛକ ରେ ଥିବା ବିଶ୍ରାମାଗାର ଅବ୍ୟବହୃତ ଅବସ୍ଥାରେ ରହିଛି ।

ସେହିପରି ରାସ୍ତା ପ୍ରଶସ୍ତିକରଣ ବେଳେ କାଦବରାଙ୍ଗ ବଜାରରେ ଥିବା ବିଶ୍ରାମାଗାର କୁ ଭଙ୍ଗା ଯାଇଥିବା ବେଳେ ସେଠାରେ କିଛି ଉଦ୍ୟମି ଯୁବକଙ୍କ ପ୍ରଚେଷ୍ଟାରେ ଏକ ଅସ୍ଥାୟୀ ବିଶ୍ରମାଗାର ନିର୍ମାଣ କରାଯାଇଛି । ବୋଡ଼କମହାଜୀବ ଛକରେ ଥିବା ବିଶ୍ରାମାଗାର ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରହିଛି । ବିଧାୟକଙ୍କ ଅନୁଦାନ ପାଣ୍ଠିରୁ ଏହା ନିର୍ମାଣ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇପାରି ନାହିଁ । ଅର୍ଥଶ୍ରାଦ୍ଧ କେବଳ ସାର ହୋଇଛି । ଯାହାଫଳରେ ବିଶ୍ରାମାଗାର ଗୁଡ଼ିକ ଯାତ୍ରୀଙ୍କ କୈାଣସି କାର୍ଯ୍ୟରେ ଲାଗିପାରୁ ନାହିଁ । କେବଳ ସଂଧ୍ୟା ପରେ ମଦ୍ୟପ ତଥା ଅସାମାଜିକ ଲୋକଙ୍କ ଏଠାରେ ଆଡ୍ଡା ଜମୁଥିବାର ପରିଲକ୍ଷିତ ହେଉଛି । ସେହିପରି ବରପଦା ଠାରୁ ଆଉ ଏକ ରାସ୍ତା ଯିଏକି ୫୩ ନଂ ରାଜ୍ୟ ରାଜପଥ । ଏବଂ ଉକ୍ତ ରାସ୍ତା ବନ୍ତ, ଆନନ୍ଦପୁର,କେନ୍ଦୁଝର ଆଦି ସ୍ଥାନକୁ ଲମ୍ବିଛି । ସେହିପରି ସ୍ଥଳେ ଉକ୍ତ ରାସ୍ତାର ବନ୍ତ ବ୍ଲକ ଛୟାଳସିଂହ ପଂଚାୟତ ଅନ୍ତର୍ଗତ ଆମ୍ବଗଡ଼ିଆ ଛକ ଠାରେ ଥିବା ଏକ ଯାତ୍ରୀ ବିଶ୍ରାମାଗାର ସମ୍ପୂର୍ଣ୍ଣ ନହୋଇ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଥିବାରୁ ଏହା ଯାତ୍ରୀମାନଙ୍କ କାମରେ ଲାଗି ପାରୁନଥିବା ବେଳେ ବର୍ତ୍ତମାନ ଏକ ଜଳଖିଆ ଦୋକାନ ପାଲଟିଛି । କୌଣସି ଏକ ବ୍ୟକ୍ତି ଏହାକୁ ଜଳଖିଆ ଦୋକାନର ରୂପ ଦେଇଥିବା ଦେଖିବାକୁ ମିଳିଛି । ଯାହାକି ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ଉକ୍ତ ବିଶ୍ରାମାଗାର ଉପରେ ଛୟାଳସିଂହ,ଓଡ଼ଙ୍ଗ,କାଦବରାଙ୍ଗ,ଗଣିଜାଙ୍ଗ,ନିଳୋକ ଏବଂ ଟିଲୋ ଆଦି ପଂଚାୟତର ଶତାଧିକ ଯାତ୍ରୀ ନିର୍ଭର କରିଥାନ୍ତି । ତେଣୁ ଯାତ୍ରୀଙ୍କ ସୁବିଧା ପାଇଁ ବିଶ୍ରାମାଗାର ଗୁଡିକୁ ସୁବ୍ୟବହାର କରାଯିବା ସହ ସ୍ଥାୟୀ ବିଶ୍ରାମାଗାର ନିର୍ମାଣ କରିବାକୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି ହେଉଛି ।