Onn 3

୨୪ ଘଣ୍ଟା ମଧ୍ୟରେ ୧୩ ଜିଲ୍ଲାରେ ଘୂର୍ଣ୍ଣିଝଡ଼ ସହ ପ୍ରବଳ ବର୍ଷା ସମ୍ଭାବନା; ୟେଲୋଓ୍ଵାର୍ଣ୍ଣିଂ ଜାରି

State

ଭୁବନେଶ୍ୱର: ମୌସୁମୀ ନିମ୍ନ ଚାପ ରେଖା ଆଜି ରାଜସ୍ଥାନର ଜସେଲମେରରୁ ବାହାରି ଦିଲ୍ଲୀ, ଲକ୍ଷ୍ନୌ, ମୁଜ଼ାଫରପୁର ଏବଂ ପଶ୍ଚିମବଙ୍ଗର ବାଲୁରଘାଟରୁ ଉତ୍ତର-ପୂର୍ବ-ଦିଗରେ ଆସାମ ମଧ୍ୟଦେଇ ଅରୁଣାଚଳ-ପ୍ରଦେଶ ଯାଏଁ ଲମ୍ବିଛି। ଅନ୍ୟପକ୍ଷରେ ବଙ୍ଗୋପସାଗରର ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୧୪ ଜୁଲାଇ, ଶୁକ୍ରବାର ଅପରାହ୍ନ ମଧ୍ୟରେ ଓଡ଼ିଶାର ୧୩ଟି ଜିଲ୍ଲାରେ ଘୂର୍ଣ୍ଣିଝଡ଼ ଓ ବଜ୍ରପାତ ସହ ବର୍ଷାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।
ଏ ପରିସ୍ଥିତରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଢ଼େଙ୍ଗାନାଳ, କଟକ, ପୁରୀ, ନୟାଗଡ଼, ଖୋର୍ଦ୍ଧା, ବୌଦ୍ଧ, କନ୍ଧମାଳ, ଗ୍ୟଜାମ ଓ ଗଜପତି ପ୍ରଭୃତି ୧୩ଟି ଜିଲ୍ଲାରେ ଘୂର୍ଣ୍ଣିଝଡ଼ ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ହଳଦିଆ ଚେତାବନୀ ବା ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଅନ୍ୟପକ୍ଷରେ ଟୁଇନ୍‌ ସିଟି କଟକ ଓ ଭୁବନେଶ୍ୱର ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି (ଗୁରୁବାର) ଆକାଶ ମେଘାଛନ୍ନ ରହିବା ସହ ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ ବଜ୍ରପାତ ସହ ଅସରାଏ, ଦୁଇଅସରା ହାଲୁକାରୁ ମଧ୍ୟମ ଧରଣର ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ସୂଚନାରେ କୁହାଯାଇଛି।