Onn 3

ପ୍ରତିଶ୍ରୁତିରେ ବନ୍ଧା ଆଗରପଡ଼ା-ବରପଦା ରାସ୍ତା

State

ଆଗରପଡ଼ା: ଗତ ୩ ତାରିଖରେ ସିପିଆଇ(ଏମ)ପକ୍ଷରୁ ଭଦ୍ରକ ଜିଲ୍ଲା ପୂର୍ତ୍ତି ବିଭାଗ ଅଧନସ୍ଥ ଆଗରପଡ଼ା-ବରପଦା ରାସ୍ତାର ସ୍ଥାୟୀ ମରାମତି ଦାବି ପୁର୍ବକ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା । ଏହାର ତୁରନ୍ତ ମରାମତି କରାନଗଲେ ଧାରଣା ଦିଆଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଥିଲା । କିନ୍ତୁ ୧୫ ଦିନ ପରେ ମଧ୍ୟ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆ ନଯିବାରୁ ସୋମବାର ଦଳ ପକ୍ଷରୁ ଆଗରପଡ଼ା ମୁଖ୍ୟ ବଜାର କୁପାରୀ ଛକ ନିକଟରେ ଧାରଣା ଦିଆଯାଇଥିଲା । ପରେ ବିଭାଗୀୟ ଯନ୍ତ୍ରୀ ଘଟଣାସ୍ଥଳରେ ପଦଂଚି ମଙ୍ଗଳବାର ଠାରୁ ରାସ୍ତାର ଉଭୟ ପଟୁ ଫାଟିଥିବା ଅଂଶକୁ ଖୋଳାଯାଇ ପିଚୁ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । କିନ୍ତୁ ଘୋଷଣାକୁ ଗୋଟିଏ ଦିନ ବିତିଯାଇଥିଲେ ସୁଦ୍ଧା ବିଭାଗ କୌଣସି ପଦକ୍ଷେପ ନେଇ ନଥିବାରୁ ଅଧିକାରୀଙ୍କ ପ୍ରତିଶ୍ରୁତିରେ ଆଗରପଡ଼ା- ବରପଦା ରାସ୍ତା ବନ୍ଧା ପଡ଼ିଯିବାର ସମ୍ଭାବନା ସୃଷ୍ଟି ହୋଇଛି । ଭଦ୍ରକ ଜିଲ୍ଲା ପୂର୍ତ୍ତି ବିଭାଗ ଅଧନସ୍ଥ ଆଗରପଡ଼ା-ବରପଦା ରାସ୍ତାର ସ୍ଥାୟୀ ମରାମତି କାଗଜ କଲମରେ ସୀମିତ ରହିଥିବା ବେଳେ ଜାମ୍ବବଣୀ ଛକ ଠାରୁ ବରପଦା ପର୍ଯ୍ୟନ୍ତ ରାସ୍ତା ମରଣକୁ ଡ଼ାକୁଥିବା ପରିସ୍ଥିତିରେ ପହଂଚିଥିବା ଦେଖିବାକୁ ମିଳିଛି ।

କୌଣସି ମୂହୁର୍ତ୍ତରେ କୌଣସି ବଡ଼ଧରଣର ଅଘଟଣ ନଘଟିବ କେହିବି କହି ପାରିବେନି । ରାସ୍ତା ଦବି ବା ସହ ଫାଟି ଯାଇଥିବାରୁ ଅନ୍ଧାରରେ ଆସିବା ଅର୍ଥ ମରଣକୁ ଡ଼ାକିବା । ବର୍ତ୍ତମାନ ବର୍ଷା ଦିନ ଚାଲୁଥିବାରୁ ଏହା ଗମନା ଗମନରେ ବଡ ଼ବିପଦ ସୃଷ୍ଟି କରିବା ସମ୍ଭାବନା ସୃଷ୍ଟି କରିଛି । ତଥାପି ବିଭାଗ ଚୁପ ହୋଇ ବସିପଡ଼ିବା ବିଭାଗର କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ଆଗରପଡ଼ା-ବରପଦା ରାସ୍ତାର ସ୍ଥାୟୀ ମରାମତି ପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ବର୍ଷ ୨୦୨୧ ଜୁନ ମାସରେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ମାଟିର ଆଦ୍ରତା ଯୋଗୁଁ ନିର୍ମିତ ରାସ୍ତା ପ୍ରତିବର୍ଷ ଫାଟୁଛି ,ଏହି ସମସ୍ୟାର ଏକ ସ୍ଥାୟୀ ସମାଧାନ ପାଇଁ ପ୍ରସ୍ତୁତି ସରିଛି ବୋଲି କହିଥିଲେ । କିନ୍ତୁ ଇତି ମଧ୍ୟରେ ୨ବର୍ଷ ପୁରିଯାଇଥିଲେ ସୁଦ୍ଧା ବିଭାଗ ତରଫରୁ ରାସ୍ତାର ସ୍ଥାୟୀତ୍ୱ ପ୍ରତି କୌଣସି ପଦକ୍ଷେପ ନିଆଯାଇନଥିବାରୁ ପୂର୍ତ୍ତବିଭାଗ ରାସ୍ତାଟି ମରଣଯନ୍ତା ପାଲଟିଲାଣି । ବିଭିନ୍ନ ଗଣମାଧ୍ୟମରେ ଏଥିନେଇ ବାରମ୍ବାର ଖବର ପ୍ରକାଶିତ ହେବା ପରେ ଗତ ବର୍ଷ ୨୦୨୨ମାର୍ଚ୍ଚ ମାସରେ ଉକ୍ତ ରାସ୍ତାର ମରାମତି କାର୍ଯ୍ୟ ବିଭାଗ ପକ୍ଷରୁ କରାଯାଇଥିଲା । ଇତି ମଧ୍ୟରେ ମରାମତିକୁ ବର୍ଷେ ପୂରିବା ସହ ଉକ୍ତ ରାସ୍ତା ସମ୍ପୂର୍ଣ୍ଣ ଦବି ଯିବା ସହ ବହୁ ଜାଗା ଫାଟି କେରା କେରା ହୋଇ ମରଣଯନ୍ତା ପାଲଟିଲାଣି । ଅପରପକ୍ଷରେ କାଦବରାଙ୍ଗ ବଜାର ଠାରୁ କାଦବରାଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ପାଖାପାଖି ୪୫୦ମିଟର କଂକ୍ରିଟ ନିର୍ମିତ ରାସ୍ତା ମଧ୍ୟ ବର୍ତ୍ତମାନ ମଝିରୁ ଦୁଇଫାଳ ହୋଇଯାଇଛି ।

ଯଦ୍ୱରା ସାଇକେଲ କିମ୍ବା ମୋଟରସାଇକେଲ ଆରୋହୀ ରାସ୍ତାରେ ଯିବାକୁ ନିରାପଦ ମଣୁ ନାହାନ୍ତି । ଟିକେ ଅସାବଧାନତାରେ ଗାଡ଼ିଚକା ଫାଟିଥିବା ରାସ୍ତାରେ ପସି ଦୃର୍ଘଟଣା ଘଟିବ ଏଥିରେ ସନ୍ଦେହ ନାହିଁ । ରାସ୍ତା ମରାମତି ନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ଏହି ରାସ୍ତାକୁ ୭ ମିଟର ଓସାର କରିବା ସହ ନୂଆ ରାସ୍ତା ନିର୍ମାଣ ପାଇଁ ୪୪ କୋଟି ଟଙ୍କାର ଯୋଜନା ଅଟକଳ ମଂଜୁର ପାଇଁ ଦିଆଯାଇଛି । ଏହି ଅଟକଳ ମଧ୍ୟରେ ଛୋଟ ପୋଲ ଓ ଜମି ଅଧିଗ୍ରହଣ କରାଯିବ । ଅଟକଳ ମଂଜୁର ହେବାପରେ ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭ ହେବାର ସୂଚନା ଦେବାକୁ ଇତି ମଧ୍ୟରେ ୬ ମାସ ବିତିବାକୁ ବସିଥିଲେ ସୁଦ୍ଧା ରାସ୍ତା ମରାମତିର କୌଣସି ଗନ୍ଧସମ୍ବନ୍ଧ ନଥିବାରୁ ରାସ୍ତା ମରାମତି ଯୋଜନା କାଗଜକଲମରେ ସୀମିତ ରହିଗଲା ପରି ଜଣାପଡ଼ୁଛି । ପ୍ରକାଶ ଥାଉକି;ରାସ୍ତାଟି ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ୟସ୍ତ ବହୁଳ ରାସ୍ତା । ଏହି ରାସ୍ତାରେ ପ୍ରତିଦିନ ଶତାଧିକ ଯାତ୍ରୀବାହୀ ଯାନବାହନ ସମେତ ଅନ୍ୟାନ୍ୟ ଗାଡ଼ିମଟର ଚଳାଚଳ କରିଥାଏ । ତେଣୁ ଉକ୍ତ ରାସ୍ତାର ଗୁରୁତ୍ୱକୁ ନେଇ ବିଭାଗ ତରଫରୁ ଗତ ୨୦୧୫ ମସିହାରେ ୧୯ କୋଟି ଟଙ୍କା ମଂଜୁର ଅର୍ଥରେ ରାସ୍ତା ନିର୍ମିତ ହୋଇଥିଲା । କିନ୍ତୁ ନିର୍ମାଣ ସମୟରେ ଏହାର ସ୍ଥାୟିତ୍ୱ ପ୍ରତି ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଉକ୍ତ ରାସ୍ତା ନିର୍ମାଣ ଏକ ପ୍ରହସନରେ ପରିଣତ ହୋଇଛି । ତେଣୁ ରାସ୍ତାର ସ୍ଥାୟୀତ୍ୱକୁ ଆଖି ଆରରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ପାଳନ କରିବା ସହିତ ବିଭାଗୀୟ ଅଧିକାରୀ ନିଜେ ଦେଇଥିବା ପ୍ରତିଶ୍ରୁତି କୁ ପାଳନ ପୂର୍ବକ ରାସ୍ତା ମରାମତି ଯୋଜନାକୁ କାଗଜକଲମରେ ସୀମିତ ନରଖି ଏହାର ନିର୍ମାଣ ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ କରିବାକୁ ସାଧାରଣରେ ଦାବି ହୋଇଛି ।