Onn 3

୨୦୨୦ ଦିଲ୍ଲୀ ଦଙ୍ଗା ମାମଲା; ୨୪ରେ ଉମର ଖଲିଦଙ୍କ ଜାମିନ ଶୁଣାଣି

National & International

ନୂଆଦିଲ୍ଲୀ : ୨୦୨୦ ଫେବୃଆରୀରେ ଦିଲ୍ଲୀରେ ଘଟିଥିବା ସାଂପ୍ରଦାୟିକ ଦଙ୍ଗାରେ ଅନ୍ୟତମ ଷଡଯନ୍ତ୍ରକାରୀ କୁହାଯାଉଥିବା ଜେଏନ୍‌ୟୁର ପୂର୍ବତନ ଛାତ୍ରନେତା ଉମର ଖଲିଦ୍‌ଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୨୪ରେ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ବୁଧବାର ଜଷ୍ଟିସ ଏ.ଏସ.ବୋପନ୍ନା ଓ ଜଷ୍ଟିସ ଏମ.ଏମ.ସୁନ୍ଦରେଶଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠରେ ମାମଲାର ଶୁଣାଣି କରାଯାଇଥିଲା ।

ତେବେ ପାଲଟା ସତ୍ୟପାଠ ଦାଖଲ କରିବାକୁ ଦିଲ୍ଲୀ ପୁଲିସ ଓକିଲ ଅଧିକ ସମୟ ମାଗିବାରୁ ଖଣ୍ଡପୀଠ ପରବର୍ତ୍ତୀ ଶୁଣାଣି ୨୪କୁ ଧାର୍ଯ୍ୟ କରିଛନ୍ତି । ଏହି ୫୩ ଜଣ ପ୍ରାଣ ହରାଇଥିବାବେଳେ ୭୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ ଏବଂ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା । ଏହି ଦଙ୍ଗାକୁ ଉସ୍‌କାଇଥିବା ଅଭିଯୋଗରେ ପୁଲିସ ୨୦୨୦ ସେପ୍ଟେମ୍ବରରେ ଉମରଙ୍କୁ ଗିରଫ କରିଥିଲା । ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିବାପରେ ଉମର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।