Onn 3

‘ମୋ ସରକାର’ ଅଧିନରେ ଆସିବ ଜନ ଅଭିଯୋଗ ଶୁଣାଣି: ମୁଖ୍ୟମନ୍ତ୍ରୀ

State

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ବାରା ବିଭିନ୍ନ ଜିଲ୍ଲାରେ କରାଯାଉଥିବା ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ।

ଢେଙ୍କାନାଳରୁ ଭିଡିଓ କନ୍‌ଫରେସନ୍‌ସ ଜରିଆରେ ଯୋଡ଼ି ହୋଇ ୫ଟି ସଚିବ ଭି.କେ. ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଯେ ଗତ ଦୁଇ ଦିନ ଧରି ସେ ଅନୁଗୁଳ ଜିଲ୍ଲା ଗସ୍ତ କରି ଲୋକଙ୍କ ଅଭିଯୋଗ ଓ ସମସ୍ୟା ସଂପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି । ସେ କହିଥିଲେ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ବର୍ତ୍ତମାନ ସୁଦ୍ଧା ଲୋକଙ୍କ ଠାରୁ ୧୮ ହଜାର ଆବେଦନ ଗ୍ରହଣ କରାଯାଇଛି ।

ମୁଖ୍ୟ ଶାସନ ସଚିବପି.କେ. ଜେନା କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗ୍ରହଣ କରାଯାଉଥିବା ଅଭିଯୋଗ ଓ ଯାଚିକା ସଂପର୍କରେ ପଦକ୍ଷେପ ନିଆଯାଉଛି । ବିଭିନ୍ନ ବିଭାଗ ଦ୍ବାରା ସମୀକ୍ଷା ବୈଠକରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରାଥମିକତା ଦିଆଯାଉଛି ।

ମୁଖ୍ୟମନ୍ତ୍ରୀ କହିଲେ ଯେ ଜନ ଅଭିଯୋଗ ଶୁଣାଣୀ ମୋ ପାଇଁ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ । ମୁଁ ଚାହେଁ ଯେ ସବୁ ବିଭାଗ ଓ ଜିଲ୍ଲା ପ୍ରଶାସନ ଲୋକଙ୍କ ଅଭିଯୋଗ, ଅସୁବିଧାକୁ ସମ୍ବେଦନଶୀଳ ହୋଇ ଶୁଣିବା ସହିତ ଶୀଘ୍ର ସମାଧାନ କରିବା ଆବଶ୍ୟକ। ସେଥିପାଇଁ ଲୋକଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବିଭିନ୍ନ ଜିଲ୍ଲାକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଛି । ଆମର ଅଧିକାରୀମାନେ ବିଭିନ୍ନ ଜିଲ୍ଲା, ଏପରି କି ବ୍ଲକ୍‌ ସ୍ତରକୁ ଯାଇ ଅଭିଯୋଗ ଶୁଣାଣୀ କରୁଛନ୍ତି ଏବଂ ଏହିସବୁ କାର୍ଯ୍ୟକ୍ରମରୁ ବର୍ତ୍ତମାନ ସୁଦ୍ଧା ୧୮ ହଜାରରୁ ଅଧିକ ଯାଚିକା ଗ୍ରହଣ କରାଯାଇଛି ।

ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ମୁଁ ଆଶା କରୁଛି ସମସ୍ତ ବିଭାଗ ଗୁଡ଼ିକ ଲୋକଙ୍କ ଅଭିଯୋଗକୁ ପ୍ରାଥମିକତା ଭିତ୍ତିରେ ଶୁଣାଣି କରି ସମାଧାନ କରିବେ । ରାଜ୍ୟର ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଲୋକଙ୍କ ଅଭିଯୋଗ ଉପରେ ଗୁରୁତ୍ବ ଦେଇ ସମାଧାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜନ ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ‘ମୋ ସରକାର’ ଅଧିନରେ ଗ୍ରହଣ କରାଯାଇ ଲୋକଙ୍କ ସମସ୍ୟାର ସମାଧାନ କିପରି କରାଯାଉଛି, ସେ ବିଷୟରେ ତଥ୍ୟ ସଂଗ୍ରହ କରାଯିବ। ଆସନ୍ତା ମାସ ଠାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜନସାଧାରଣଙ୍କୁ ଫୋନ କରାଯାଇ ସେମାନଙ୍କ ସମସ୍ୟାର କିପରି ସମାଧାନ କରାଯାଉଛି, ସେ ସଂପର୍କରେ ମତାମତ ନିଆଯିବ ।

ମୁଖ୍ୟମନ୍ତ୍ରୀ କହିଥିଲେ, ଦେଶର ସ୍ବାଧୀନତା ସଂଗ୍ରାମରେ ତଥା ଓଡିଶାର ବିକାଶରେ ବିଶିଷ୍ଟ ଜନନେତା ପବିତ୍ର ମୋହନ ପ୍ରଧାନଙ୍କ ଅବଦାନକୁ ସମ୍ମାନ ଦେଇ ତାଙ୍କ ସ୍ମୃତିପୀଠର ବିକାଶ କରାଯିବ । ତାଳଚେର ମେଡିକାଲ କଲେଜ ଓ ହସ୍‌ପିଟାଲକୁ ମଧ୍ୟ ତାଙ୍କ ନାମରେ ନାମିତ କରାଯିବ । କଣିହାରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମଣାଧୀନ ସେତୁକୁ ମଧ୍ୟ ତାଙ୍କ ନାମରେ ନାମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।