Onn 3

ତମାଖୁ ମୁକ୍ତ ଯୁବା ଅଭିଯାନ -2023 ସମ୍ଭନ୍ଧୀୟ ଜିଲ୍ଲା ସ୍ତରୀୟ ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ

State

ବାରିପଦା: ଆଜି ପୂର୍ବାହ୍ନ ରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ଙ୍କ ଅଧ୍ୟକ୍ଷତା ରେ ତମାଖୁ ମୁକ୍ତ ଯୁବା ଅଭିଯାନ -2023 ସମ୍ଭନ୍ଧୀୟ ଏକ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି | ପ୍ରାରମ୍ଭ ରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜ୍ଞାନେନ୍ଦ୍ର ମହାନ୍ତି ଉପସ୍ଥିତ ସମସ୍ତ ଙ୍କୁ ସ୍ୱାଗତ କରିବା ସହ ଏହି ଅଭିଯାନ ରେ ମୁଖ୍ୟ ଉଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ପ୍ରତିପାଦନ କରିଥିଲେ | ବିଶେଷ କରି ତମାଖୁ ବା ଗୁଟଖା ସେବନ କରିବା ଦ୍ୱାରା ଏହାର କୁପ୍ରଭାବ ରେ ଆମ ଶରୀର ର ବିଭିନ୍ନ ମୂଲ୍ୟବାନ ଅଙ୍ଗ ଗୁଡିକ କିପରି ପ୍ରଭାବିତ ହୁଏ ସେ ବିଷୟରେ ଆଲୋକପାତ କରିଥିଲେ | ଏହାପରେ ଡାକ୍ତର ଶାନ୍ତନୁ କୁମାର ଦାଶ ଜିଲ୍ଳାକୁ ତମାଖୁ ମୁକ୍ତ କରିବା ପାଇଁ ଏହି ଅଭିଯାନ ଅନ୍ତର୍ଗତ କି କି ପ୍ରସ୍ତୁତି ତଥା ଏପର୍ଯ୍ୟନ୍ତ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଅବଗତ କରାଇଥିଲେ |

ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ, ପୋଲିସ ବିଭାଗ, ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ସମନ୍ୱୟ ରେ ସ୍କ୍ୱାଡ଼ ଗଠନ କରି ଜିଲ୍ଲାର ସମସ୍ତ ବିଦ୍ୟାଳୟ ର 100 ମିଟର ପରିଧି ମଧ୍ୟରେ ଯେପରି କୌଣସି ପ୍ରକାର ତମାଖୁ ଦ୍ରବ୍ୟ ର ବିକ୍ରୟ ନହୁଏ ସେଥି ପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ | ଏହା ବ୍ୟତୀତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ତମାଖୁ ଦ୍ରବ୍ୟ ସେବନ ନକରିବା ସମ୍ବନ୍ଧରେ ଶପଥ ପାଠ କରାଇବା,ଜିଲ୍ଲାରେ ସ୍ମାର୍ଟ କ୍ଲାସ ଉପଲବ୍ଧ ଥିବା ଉଚ୍ଚ ବିଦ୍ୟାଳୟ ଗୁଡିକରେ ପାୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମ ରେ ଛାତ୍ରଛାତ୍ରୀ ମାନଙ୍କୁ ତମାଖୁ ସେବନ ର କୁପରିଣାମ ସମ୍ଭନ୍ଧ ରେ ବ୍ୟାପକ ସଚେତନ କରାଇବା ପାଇଁ ମଧ୍ୟ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ | ସିନେମା ହଲ, ବସ ଷ୍ଟାଣ୍ଡ, ଡାକ୍ତରଖାନା, ହାଟ ବଜାର ଇତ୍ୟାଦି ଜନଗହଳିପୂର୍ଣ୍ଣ ସାଧାରଣ ସ୍ଥାନ ମାନଙ୍କ ରେ ତମାଖୁଜାତ ଦ୍ରବ୍ୟ ବିକ୍ରୟ ଓ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରିବା ପାଇଁ ଏନଫୋର୍ସମେଣ୍ଟ କୁ ଅଧିକ କ୍ରିୟାଶୀଳ କରାଇବା ପାଇଁ ନିର୍ଦେଶ ଦେଇଛନ୍ତି | ଏତଦ ବ୍ୟତୀତ ଲୋକଙ୍କୁ ସଚେତନ କରିବା ପାଇଁ ଗ୍ରାମସଭା, ପଂଚାୟତ ସମିତି ବୈଠକ ଓ ଅନ୍ୟାନ୍ୟ ବୈଠକରେ ସ୍ଥାନୀୟ ଜନପ୍ରତିନିଧି, ସ୍ୱଚ୍ଛlସେବୀ ସଂଗଠନକୁ ସାମିଲ କରାଇ ଏସମ୍ଭନ୍ଧ ରେ ଆଲୋଚନା କରିବା ପାଇଁ ପରାମର୍ଶ ଦେଇଥିଲେ |

ଆଜିର ଅନୁଷ୍ଠିତ ବୈଠକ ରେ ନବ ନିଯୁକ୍ତ ଭାରତୀୟ ପ୍ରଶାସନିକ ସେବା ର ପ୍ରୋବେଶନର ଶ୍ରୀ ଅକ୍ଷୟ ପିଲ୍ଲାୟ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଉମାଶଙ୍କର ମହାରଣା, ଅବକାରୀ ନିରୀକ୍ଷକ ଶ୍ରୀ ବିକାଶ ଟପ୍ନ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖ ଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |