Onn 3

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଜୈବପ୍ରଯୁକ୍ତି ବିଦ୍ୟା ବିଭାଗର ଶିକ୍ଷକ ପ୍ରଶିକ୍ଷଣ କାର୍ଯକ୍ରମ

State

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଜୈବପ୍ରଯୁକ୍ତି ବିଦ୍ୟା ବିଭାଗ ଦ୍ୱାରା ଆୟୋଜିତ ଏକ ସପ୍ତାହବ୍ୟାପୀ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦ୍ୱାରା ରବିବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍‌ସର ପୂର୍ବତନ ନିର୍ଦ୍ଦେଶକ ଡ. ବି. ରବିନ୍ଦ୍ରନ ସମ୍ମାନିତ ଅତିଥି ଏବଂ ସି.ଟି.ସି.ଆର.ଆଇ.ର ପୂର୍ବତନ ନିର୍ଦ୍ଦେଶକ ଡ. ଆର୍‌. ସି. ରୟ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷା ତଥା ଆଇକ୍ୟୁଏସି ନିର୍ଦ୍ଦେଶିକା ପ୍ରଫେସର ଏମ୍‌. ହିମବିନ୍ଦୁ ପୌରହିତ୍ୟ କରିଥିଲେ । କାର୍ଯକ୍ରମ ପ୍ରାରମ୍ଭରେ ବିଭାଗୀୟ ମୁଖ୍ୟ ଡ. ବିଶ୍ୱଜିତ ରଥ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ଏହି କାର୍ଯ୍ୟକ୍ରମର ସଂଯୋଜକ ଡ. ସୁକାନ୍ତ କୁମାର ନାୟକ ଜୈବପ୍ରଯୁକ୍ତି ବିଦ୍ୟା ବିଭାଗ ବିଷୟରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମର ଆବାହକ ପ୍ରଫେସର ହୃଦୟନାଥ ଥାଟୋଇ କାର୍ଯ୍ୟକ୍ରମର ଉପାଦେୟତା ତଥା ଆଭିମୁଖ୍ୟ ବିଷୟରେ ସମ୍ବିଳିତ ଶିକ୍ଷକବୃନ୍ଦଙ୍କୁ ଅବଗତ କରାଇଥିଲେ । ସମ୍ମାନିତ ଅତିଥି ଡ. ବି. ରବିନ୍ଦ୍ରନ ଓ ମୁଖ୍ୟ ବକ୍ତା ଡ. ଆର୍‌. ସି. ରୟ କାର୍ଯ୍ୟକ୍ରମର ଶୀର୍ଷକ ‘ମଲିକ୍ୟୁଲାର ମାଇକ୍ରୋବାୟୋଲଜି ଆଣ୍ଡ୍‌ ଇମ୍ୟୁନୋଲଜି’ର ଉପଯୋଗୀତା ଓ ଉତ୍କର୍ଷତା ଉପରେ ସମ୍ୟକ୍‌ ଜ୍ଞାନ ଓ ଗବେଷଣାର ଉଜ୍ଜ୍ୱଳ ଭବିଷ୍ୟତ ବିଷୟରେ ଦିଗ୍‌ଦର୍ଶନ ପ୍ରଦାନ କରିଥିଲେ । କୁଳପତି ପ୍ରଫେସର ତ୍ରିପାଠୀ ଅଂଶଗ୍ରହଣକାରୀମାନଙ୍କୁ କାର୍ଯ୍ୟକ୍ରମର ଉପାଦେୟତା ସଠିକ୍‌ ଭାବରେ ଗ୍ରହଣ କରି ନିଜ ନିଜ ସଂସ୍ଥାନ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅନୁପ୍ରାଣୀତ କରାଇବା ପାଇଁ ଆହ୍ୱାନ କରିଥିଲେ, ଯା’ଦ୍ୱାରା ସେମାନେ ସମ୍ମାଜରେ ଭବ୍ୟପ୍ରତିଷ୍ଠିତ ହୋଇପାରିବେ । ଏହି ସଭାର ଅଧ୍ୟକ୍ଷା ପ୍ରଫେସର ଏମ୍‌ ହିମବିନ୍ଦୁ କାର୍ଯ୍ୟକ୍ରମର ସୁପରିଚାଳନା କରି ଏହାର ସୁଫଳ ବ୍ୟବହାର ଓ ସୁସମାଜ ଗଠନରେ ଏହାର ଭୂମିକା ଉପରେ ଆଲୋକପାତ କରି ଏହାର ଉତ୍କର୍ଷତା ବିଷୟରେ ଉଦ୍‌ବୋଧନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଶିକ୍ଷକମାନଙ୍କ ପ୍ରଶିକ୍ଷଣ ପାଇଁ ଏକ ଟ୍ରେନିଂ ମାନୁଆଲ ଉନ୍ମୋଚନ କରାଯାଇ ସମସ୍ତଙ୍କୁ ପ୍ରଦାନ କରାଯାଇଥିଲା । ଓଡ଼ିଶା ଓ ବାହାର ରାଜ୍ୟରୁ ଏହି ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଚାଳିଶିରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଜୈବପ୍ରଯୁକ୍ତି ବିଦ୍ୟା ବିଭାଗର ରିସର୍ଚ୍ଚ ସ୍କଲାର ମାନେ ଯୋଗଦେଇ ଏହାକୁ ଏକ ସଫଳ କାର୍ଯ୍ୟକ୍ରମରେ ରୂପାନ୍ତରିତ କରିଥିଲେ । ସର୍ବଶେଷରେ କାର୍ଯ୍ୟକ୍ରମର ଉପସଂଯୋଜକ ଡ. ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।