Onn 3

ଆମ ଓଡ଼ିଶା, ୫୦ % ପିସି ଓଡ଼ିଶା : ସମୀର ମହାନ୍ତି

Politics State

ଭୁବନେଶ୍ୱର, : ରାଜ୍ୟ ସରକାର ତଥ୍ୟର ମାପକାଠି ନ କରି ୨୩ ବର୍ଷ ଶାସନର ବିଫଳତାର ଗୋଲାପୀ ଚିତ୍ର ଦେଖାଉଛନ୍ତି । ତଥ୍ୟ, ପରିସଂଖ୍ୟାନ ଏବଂ ବିଫଳ ଯୋଜନାକୁ ସଂଶୋଧିତ କରିବାର ନୂଆ ଭର୍ସନ ହେଉଛି ‘ଆମ ଓଡିଶା ନବୀନ ଓଡିଶା’ । ନବୀନ ସରକାର ଆମ ଓଡ଼ିଶାକୁ ୫୦ % ପିସି ଓଡ଼ିଶାରେ ପରିଣତ କରିଛନ୍ତି ବୋଲି ମଙ୍ଗଳବାର ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ।
ସେ କହିଛନ୍ତି ଯେ ଗତକାଲି ରାଜ୍ୟ ସରକାର ଗୋଟେ ଯୋଜନା ଘୋଷଣା କରିଛନ୍ତି, ‘ଆମ ଓଡିଶା ନବୀନ ଓଡିଶା’ । ଯାହା ଲାଗୁଛି, ଏବେ ବିଜୁ ଓଡ଼ିଶାରୁ ନବୀନ ଓଡ଼ିଶା ଆଡକୁ ବିଜୁ ଜନତା ଦଳ ଗତି କରୁଛି । ଏହା ପରେ ଓଡ଼ିଶାକୁ କେଉଁ ନାଁରେ ଚିତ୍ରଣ କରିବେ ତାହା ଓଡ଼ିଶାବାସୀ ଦେଖିବା ଅପେକ୍ଷାରେ? ‘ଆମ ଓଡିଶା ନବୀନ ଓଡିଶା’ ଓଡ଼ିଶା ସରକାରଙ୍କ ପୂର୍ବ ଯୋଜନା \”ଆମ ଗାଁ, ଆମ ବିକାଶ\”ର ନୂଆ ଭର୍ସନ । ଏହି ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗ୍ରାମବାସୀ/ଗ୍ରାମ ପଂଚାୟତ ମଧ୍ୟରେ ସିଧାସଳଖ ଉନ୍ନୟନ ମୂଳକ ପ୍ରକଳ୍ପକୁ ମଞ୍ଜୁର କରୁଥିଲେ, । କିନ୍ତୁ ଦୁଃଖର ବିଷୟ, ସେହି ଯୋଜନାରେ ୫୦ ପ୍ରତିଶତ ଅଗ୍ରଗତି ହୋଇନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ଗାଁ, ଆମ ବିକାଶ ଯୋଜନା\’ରେ ଏ ପର୍ଯ୍ୟନ୍ତ ୩ ଲକ୍ଷ ୨୪ ହଜାର ୫୨୩ରୁ ଅଧିକ ପ୍ରକଳ୍ପ ମଞ୍ଜୁର କରିଥିବା ବେଳେ ୨ ଲକ୍ଷ ୯୪ ହଜାର ୬୨୩ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରିନାହିଁ, ଯାହା ବିଫଳତାକୁ ସ୍ପଷ୍ଟ ଇଙ୍ଗିତ କରୁଛି ।

ଶ୍ରୀ ମହାନ୍ତି କହିଛନ୍ତି ଯେ ମୋ ସରକାର ନାଁରେ ଯେଉଁ ଭେଳିକି ଚାଲିଛି, ତା ର ଗତି କୂଆଡେ? ଆମକୁ ଲାଗୁଛି, ମୋ ସରକାରର ସାରଥୀ ମାନେ ହେଲେ ଦୁର୍ନୀତିରେ ଲିପ୍ତ ଥିବା ବ୍ୟବସାୟୀ ଜଗଦୀଶ ନାଏକ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ନବରଙ୍ଗପୁରର ପୂର୍ବତନ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ, ସହକାରୀ ଯନ୍ତ୍ରୀ ବିକାଶ ଭୂଆଁ, କରଞ୍ଜିଆ ପୂର୍ବତନ ତହସିଲଦାର ଚାଲ୍ସ ନାଏକ, ଖଣି ବିଭାଗର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ଜେନା, ପୂର୍ତି ବିଭାଗର ଅଜୟ ସେନାପତି, ଏହିଭଳି କେତେ ନାଁ ଅଛି, କହିବା ସମ୍ଭବପର ନୁହେଁ ।

ରାଜ୍ୟ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ହେଉଛନ୍ତି କି ନାହିଁ, ତାହା ଏବେ ଏକ ରହସ୍ୟଜନକ ଘଟଣା ଭଳି ମନେ ହେଉଛି । ଆମକୁ ଲାଗୁଛି, ଏଆଇ (ଆର୍ଟିଫିସିଆଲ ଇଂଟେଲିଜେନ୍ନ) ଟେକ୍ନୋଲୋଜିକୁ ବ୍ୟବହାର କରି ମୁଖ୍ୟମନ୍ତ୍ରୀଙ୍କ କଥା ଓ ଛବିକୁ ବ୍ୟବହାର କରୁନାହାନ୍ତି ତ ? ଯାହା ଆଜି ସନ୍ଦେହ ଘେରରେ । ସେଥିପାଇଁ ଲାଗୁଛି, ବିଜୁ ଓଡ଼ିଶା ନାରାରୁ ନବୀନ ଓଡ଼ିଶା ନାରାକୁ ଗତି କରୁଛି ? ରତ୍ନଭଣ୍ଡାର ନ ଖୋଲିବା ଘଟଣାରେ ମାନ୍ୟବର ହାଇକୋର୍ଟଙ୍କ ତାଗିଦ୍ ପରେ ସରକାର ବୁଢିଆଣି ସୂତାରେ ଛନ୍ଦି ହେବା ଭଳି ମନେହେଉଛି । ସେଥିପାଇଁ ଏକ ଯୋଜନା ତିଆରି କରି ଓଡ଼ିଆ ଲୋକଙ୍କୁ ବୋକା ବନାଇବା ପାଇଁ ଚେଷ୍ଟା କରୁଛନ୍ତି । ଆମ ଓଡ଼ିଶା ନବୀନ ଓଡ଼ିଶା’ର ମୁଖ୍ୟ ଲୁକ୍କାୟିତ ଏଜେଣ୍ଡା ହେଉଛି ପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବା ଏବଂ ରତ୍ନଭଣ୍ଡାରର ମରାମତି ପରି ମୁଖ୍ୟ ପ୍ରସଙ୍ଗରୁ ସାଢ଼େ ୪ କୋଟି ଓଡ଼ିଆଙ୍କ ଧ୍ୟାନ ହଟାଇବା ।

ଏହି ଯୋଜନା ବିଜୁ ଜନତା ଦଳର ଦୁର୍ନୀତିର ହେବ ବଡ ଯୋଜନା । ଏଥିପାଇଁ ଆମେ କହୁଛୁ, ଏଠି ବିନା ଟେଣ୍ଡରରେ ଦଳୀୟ କର୍ମୀଙ୍କୁ ନିର୍ବାଚନ ଖର୍ଚ୍ଚକୁ ସରକାରୀ ଟଙ୍କା ଯାଏ , ତାହାର ଭବିଷ୍ୟତ ଯାହା ହେବ, ଆପଣମାନେ ଜାଣିଛନ୍ତି । ଏହା ପୂର୍ବରୁ ଯେଉଁ ଯୋଜନା ଗୁଡିକ ଗାଁ ପାଇଁ କରିଥିଲେ, ସେ ଯୋଜନା ଗୁଡିକ କଣ ଥିଲା ଏବଂ ତାହାର ବର୍ତମାନ ସ୍ଥିତି କଣ ? ପିଠା ଯୋଜନା, ଯୁବ ବାହିନୀ, ବିଜୁ ଆତ୍ମ ନିଯୁକ୍ତି ଯୋଜନା, ବିଜୁ କନ୍ୟା ରତ୍ନ ଯୋଜନା, ବିଜୁ ଗାଁ ଗାଡି ଚାଳକ ବୀମା ଯୋଜନା, ଏହିଭଳି ବହୁତ ଯୋଜନା କେବଳ ଯୋଜନାରେ ସୀମିତ ହୋଇ ରହିଛି, ଏହାର ସୁଫଳ ଓଡ଼ିଶାବାସୀ ଜାଣିସାରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ତଥା ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ଓ ଅନିଲ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।