ଛାତରୁ ଖସୁଛି ପ୍ଲାଷ୍ଟର; ବିପଦରେ କର୍ମଚାରୀ ଓ ଛାତ୍ରୀ
ଆଗରପଡ଼ା: ସରକାରୀ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ସହ ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାର ୫-ଟି ରୂପାନ୍ତରଣ ଯୋଜନା ମାଧ୍ୟମରେ ଉଚ୍ଚାକାଂକ୍ଷା ବିଦ୍ୟାଳୟମାନ ନିର୍ମାଣ କରୁଛନ୍ତି । ଏଥି ବାବଦରେ ଲକ୍ଷାଧିକ ଅର୍ଥ ମଧ୍ୟ ଖର୍ଚ୍ଚ ହେଉଛି । ଯଦ୍ୱାରା ବାହ୍ୟ ରୂପରେଖରେ ପରିବର୍ତ୍ତନ ଆସୁଛି କିନ୍ତୁ ଶିକ୍ଷାଲାଭର ମୁଲ୍ୟାଙ୍କନରେ ପରିବର୍ତ୍ତନ ହୋଇପାରୁନି । କାରଣ ଏଥିରେ ପ୍ରତିବନ୍ଧକ ସାଜିଛି ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ । ଯଦ୍ୱାରା ଏହି ଯୋଜନା ଅସଫଳ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ । ସୂଚନା ଅନୁଯାୟୀ; ଉକ୍ତ ବିଦ୍ୟାଳୟ ବର୍ତ୍ତମାନ ୫-ଟି ରୂପାନ୍ତରଣ ବିଦ୍ୟାଳୟର ମାନ୍ୟତା ପାଇ ସାରିଛି । ଏବଂ ଉକ୍ତ ଯୋଜନାରେ ୩୮ ଲକ୍ଷ ଟଙ୍କା ମଧ୍ୟ ଏଠାରେ ବିନିଯୋଗ ହୋଇଛି । ଫଳକରେ ଲିପିବଦ୍ଧ ହୋଇଥିବା ଯୋଜନାର ବିବରଣୀ ଅନୁଯାୟୀ ଅତ୍ୟାଧୁନିକ ଶ୍ରେଣୀ କକ୍ଷ(୯ମ) ବାବଦରେ ୩ଲକ୍ଷ ୭୫ହଜାର, ଅତ୍ୟାଧୁନିକ ଶ୍ରେଣୀ କକ୍ଷ(୧୦ମ) ବାବଦରେ ୩ଲକ୍ଷ ୬୩ହଜାର, ଅତ୍ୟାଧୁନିକ ପାଠାଗାର ବାବଦରେ ୫ଲକ୍ଷ ୮୫ହଜାର,ବିଜ୍ଞାନ ପ୍ରୟୋଗଶାଳା ବାବଦରେ ୩ଲକ୍ଷ ୧୫ ହଜାର,ପାରିପାର୍ଶିକ ଉନ୍ନତି କରଣ ବାବଦରେ ୫ଲକ୍ଷ ୮୦ହଜାର ଏବଂ ବିଜ୍ଞାନ ଉପକରଣ,କ୍ରିଡ଼ା ଉପକରଣ,ଇଣ୍ଟରଏକ୍ଟିଭ ପେନାଲ,ଅତ୍ୟାଧୁନିକ ଅଙ୍ଗ ବିଶିଷ୍ଠ ଦ୍ୱିବିଧ ମେଜ ଇତ୍ୟାଦି ବାବଦରେ ୧୯ଲକ୍ଷ ୮୨ହଜାର ଏହିପରି ସମୁଦାୟ ଅଟକଳ ମୂଲ୍ୟ ୩୮ଲକ୍ଷ ଅଟେ ।
ପାରିପାର୍ଶିକ ଉନ୍ନତି କରଣ ବାବଦରେ ଅଟକଳ ମୂଲ୍ୟ ୫ଲକ୍ଷ ୮୦ହଜାର ହୋଇଥିବା ବେଳେ ଜଳ ନିଷ୍କାସନର ବ୍ୟବସ୍ଥା ଠିକ୍ ଭାବେ ହୋଇନଥିବାରୁ ଏଠାରେ ଅସରାଏ ବର୍ଷା ହେଲେ ବିଦ୍ୟାଳୟ ପରିସରରେ ପାଣିର ସୁଅ ଛୁଟିବା ସହ ଛାତ୍ରୀମାନେ ଆଣ୍ଟୁଏ ପାଣିରେ ଯିବା ଆସିବା କରୁଥିବାର ଦେଖିବାକୁ ମିଳୁଛି । ଉକ୍ତ ବିଦ୍ୟାଳୟ ୫-ଟି ରୂପାନ୍ତରଣ ବିଦ୍ୟାଳୟର ମାନ୍ୟତା ପାଇ ସାରିଥିଲେ ମଧ୍ୟ ଏବେ ସୁଦ୍ଧା ବିଭିନ୍ନ କାର୍ଯ୍ୟ ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବାରୁ ଶିକ୍ଷା କ୍ଷେତ୍ରରେ ଘୋର ବ୍ୟାଘାତ ସୃଷ୍ଟି ହେଉଥିବାର ଜଣାପଡ଼ିଛି । ୧୯୬୧ ମସିହାରେ ପ୍ରତିଷ୍ଠିତ ଉକ୍ତ ବିଦ୍ୟାଳୟ ୬୨ ବର୍ଷରେ ପଦାର୍ପଣ କରିସାରିଥିଲେ ସୁଦ୍ଧା ଏହାର ଶିକ୍ଷାଦାନର ଭିତ୍ତୀଭୂମିରେ ପରିବର୍ତ୍ତନ ହୋଇ ନପାରିବା ବଡ଼ ଦୁଃଖ ଓ ଅନୁତାପର ବିଷୟ । ଉକ୍ତ ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩୭୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । କିନ୍ତୁ ୩୭୩ ଜଣଙ୍କୁ ଶିକ୍ଷାଦାନ କରୁଛନ୍ତି ୭ଜଣ ଶିକ୍ଷକ । ଯଦ୍ୱାରା ଶିକ୍ଷାଦାନରେ ଘୋର ସମସ୍ୟା ସୃଷ୍ଟି ହେଉଛି । ସରକାରୀ ନିୟମ ।ନୁସାରେ ଉକ୍ତ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ୧୪ ଜଣ ଶିକ୍ଷକଙ୍କ ଆବଶ୍ୟକ ଥିବା ବେଳେ ୭ଜଣ ନିୟମିତ ଶିକ୍ଷକ ନିଯୁକ୍ତି ପାଇଛନ୍ତି ଓ ୨ଜଣ ଶିକ୍ଷକ ଡ଼େପୁଟେସନରେ ସପ୍ତାହରେ ୩ଦିନ କରି ଆସୁଛନ୍ତି । ବିଡମ୍ବନାର ବିଷୟ ଏହିକି ଉକ୍ତ ବିଦ୍ୟାଳୟରେ କୌଣସି ନିୟମିତ ୪ର୍ଥ ଶ୍ରେଣୀ କର୍ମଚାରୀ ଓ କିରାଣୀ ନାହାନ୍ତି । ସେମାନେ ମଧ୍ୟ ଡ଼େପୁଟେସନରେ ଆସିଛନ୍ତି ।
ଯଦ୍ୱାରା ପ୍ରତି ଶନିବାର ଏମାନଙ୍କ ବିନା ସମସ୍ତ କାର୍ଯ୍ୟ ସଂପାଦନା କରିବା ଅସମ୍ଭବ ହୋଇପଡ଼ିଥାଏ । ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ଗୃହର କୌଣସି ମରାମତି କରାଯାଉନଥିବାରୁ ଏହାର ଛାତରୁ ବର୍ତ୍ତମାନ ପ୍ଲାଷ୍ଟର ସବୁ ଖସିବା ସହ ବର୍ଷାପାଣି ଝରୁଛି ଯାହାକି ପିଲାମାନଙ୍କ ଜିବନ ପ୍ରତି ବିପଦ ସୃଷ୍ଟି କରୁଛି । ସେହିପରି କର୍ମଚାରୀଙ୍କ କମନରୁମ ମଧ୍ୟ ଶୋଚନୀୟ ଅବସ୍ଥାରେ ଦଣ୍ଡାୟମାନ । ଏହିପରି ନାନାଦି ସମସ୍ୟା ମଧ୍ୟରେ ଉକ୍ତ ବିଦ୍ୟାଳୟ ଗତି କରୁଛି । ଲାଗି ରହିଥିବା ସମସ୍ୟା ବିଷୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜିତ ରାଉଳଙ୍କୁ ଯୋଗାଯୋଗ କରିବାରୁ ସେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ବିଷୟରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଥିଲେ । ତେଣୁ ଏତେ ପୁରାତନ ବିଦ୍ୟାଳୟରେ ଏହିପରି ଶିକ୍ଷାବ୍ୟବସ୍ଥାକୁ ସାଧାରଣରେ ନିନ୍ଦା କରାଯିବା ସହ ଶିକ୍ଷା ବିଭାଗର ଉକ୍ତ ବିଦ୍ୟାଳୟ ପ୍ରତି ଅଣ ଦେଖାକୁ ନେଇ ଶିକ୍ଷା କମିଟି ,ଅଭିଭାବକ,ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କିଛି ସୁଫଳ ଆଜି ସୁଦ୍ଧା ମିଳିପାରୁନଥିବାରୁ ରୂପାନ୍ତରିତ ବିଦ୍ୟାଳୟର ସଫଳ ରୂପାୟନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।