Onn 3

ଆସିଲା ନୂଆ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’, ପ୍ରତି ପଂଚାୟତକୁ ମିଳିବ ୫୦ଲକ୍ଷ ଟଙ୍କା

State

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ୯ଟି ପ୍ରସ୍ତାବରେ ମୋହର ବାଜିଛି | ବିଶେଷ କରି ଆଜି ରାଜ୍ୟ କ୍ୟାବିନେଟ ‘ଆମ ଗାଁ, ଆମ ବିକାଶ’ର ନିର୍ଦ୍ଦେଶନାମାକୁ ସଂଶୋଧନ କରି ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଆର୍ଥିକ ବର୍ଷ ୨୦୨୩-୨୪ରେ ଆମ ଓଡିଶା ନବୀନ ଓଡିଶା ନାମରେ ଯୋଜନା ଆରମ୍ଭ କରିଛନ୍ତି | ଏହି ଯୋଜନା ପାଇଁ ୪୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ପ୍ରତ୍ୟେକ ଗ୍ରାମପଞ୍ଚାୟତ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ |

ପଂଚାୟତୱାରୀ ପ୍ରକଳ୍ପ ତାଲିକା ବ୍ଲକ ସ୍ତରରୁ ପ୍ରସ୍ତାବିତ ହୋଇ ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦ ସଭାପତିଙ୍କର ଦସ୍ତଖତ ସହିତ ସରକାରଙ୍କ ଅନୁମୋଦନ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗକୁ ପ୍ରେରଣ କରାଯିବ | ସେହିପରି ବିଦ୍ୟୁତ ବିତରଣ ଭିତ୍ତିଭୂମି ସୁଦୃଢ ସହ ପୁରୁଣା ଓ କ୍ଷତିଗ୍ରସ୍ତ ବିଦ୍ୟୁତ ତାର ପରିବର୍ତ୍ତନ, ନୂତନ ୩୩ କେଭି ଓ ୧୧ କେଭି ଲାଇନ ନିର୍ମାଣ ପାଇଁ ୩୮୪୩ କୋଟି ଟଙ୍କାର ବ୍ୟୟବରାଦକୁ ମଞ୍ଜୁରୀ ଦିଆଯାଇଛି |

ବଲାଙ୍ଗିରର ରାଜେନ୍ଦ୍ର କଲେଜକୁ ୮ ଏକର ୬୯୩ ଡ଼ିସିମିଲ ଜମି ମାଗଣାରେ ଯୋଗାଇଦିଆଯିବ | ସେହିପରି କୋରାପୁଟ ଜିଲ୍ଲାର ଲମତାପୁଟ ଡିଗ୍ରୀ ମହାବିଦ୍ୟାଳୟର କୋଠା ନିର୍ମାଣ ନିମନ୍ତେ ୫ ଏକର ଜମି ବିନା ପ୍ରିମିୟମରେ ଯୋଗାଇଦିଆଯିବ | କେନ୍ଦ୍ରାପଡ଼ାର ଖରସ୍ରୋତାରେ ନୂଆବଜାର ଓ ବାଲିତରା ଘାଟ ମଧ୍ୟରେ ହେବାକୁ ଥିବା ପୋଲକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦିଆଯାଇଛି | ଏଥିପାଇଁ ଖର୍ଚ୍ଚ ହେବାକୁ ଥିବା ୯୭ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟବରାଦକୁ ମଞ୍ଜୁରୀ ଦିଆଯାଇଛି |