Onn 3

ଗୀତା ପ୍ରେସ୍ ଟ୍ରଷ୍ଟ୍ ନୁହେଁ, ଆସ୍ଥା: ମୋଦୀ

National & International

ଗୋରଖପୁର: ଚାରି ରାଜ୍ୟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଗୋରଖପୁରରେ ପହଞ୍ଚିଛନ୍ତି । ଗୀତା ପ୍ରେସ୍‌ର ଶତାବ୍ଦୀ ବର୍ଷ ସମାରୋହର ସମାପନ ଉତ୍ସବରେ ସାମିଲ ହେବାପରେ ଗୋରଖପୁର ଜଙ୍କସନ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ପତାକା ଦେଖାଇ ବନ୍ଦେ ଭାରତ ଟ୍ରେନ୍‌ର ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ୍ ଅଯୋଧ୍ୟା ହୋଇ ଲକ୍ଷ୍ନୌ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦି ବେନ୍ ପଟେଲ୍ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ । ବନ୍ଦେ ଭାରତ ଟ୍ରେନ୍ ଉପହାର ମିଳିବା ପରେ ରେଳ ଯାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା ।

ଏହା ପୂର୍ବରୁ ଗୀତା ପ୍ରେସ୍‌ର ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗୀତା ପ୍ରେସ୍ ବିଶ୍ୱର ଏକମାତ୍ର ପ୍ରିଣ୍ଟିଂ ପ୍ରେସ୍‌, ଯାହା କେବଳ ସଂସ୍ଥା ନୁହେଁ, ବରଂ ଜୀବନ୍ତ ଆସ୍ଥା । ମାନବ ମୂଲ୍ୟକୁ ବଞ୍ଚାଇବା ନିମନ୍ତେ ଗୀତା ପ୍ରେସ୍ ପରି ସଂସ୍ଥା ଜନ୍ମ ନେଇଥାନ୍ତି । ଗୀତା ପ୍ରେସ୍‌ର କାର୍ଯ୍ୟାଳୟ କୋଟି କୋଟି ଲୋକଙ୍କ ନିମନ୍ତେ କୌଣସି ମନ୍ଦିର ଠାରୁ ନ୍ୟୂନ ନୁହେଁ । ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଏହାର ନାମ ଓ କାମରେ ମଧ୍ୟ ଗୀତା ରହିଛି । ଯେଉଁଠାରେ ଗୀତା ରହିଛି ସେଠାରେ ସାକ୍ଷାତ କୃଷ୍ଣ ଉପସ୍ଥିତ । ସେଠାରେ କରୁରା, ଜ୍ଞାନ ସହିତ ବିଜ୍ଞାନ ଶୋଧ ମଧ୍ୟ ରହିଛି । ଏଠାରେ ସବୁ ବାସୁଦେବମୟ । ଏଠାକାର ପୁସ୍ତକଗୁଡ଼ିକ ଘରେ ଘରେ ସଂସ୍କୃତି ଓ ଐତିହ୍ୟକୁ ପହଞ୍ଚାଇଛି ।

ଗୀତା ପ୍ରେସ୍‌କୁ ସନ୍ଥମାନଙ୍କ କର୍ମସ୍ଥଳୀ ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଯେତେବେଳେ ସନ୍ଥମାନଙ୍କ ଆଶୀର୍ବାଦ ଫଳଭୂତ ହୋଇଥାଏ, ସେତେବେଳେ ଏପରି ସଂସ୍ଥାନ ନିର୍ମିତ ହୁଏ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଲୀଳା ଚିତ୍ର ମନ୍ଦିର ଦର୍ଶନ କରିଥିଲେ । ସେଠାରେ ଟେସୁ ଫୁଲରେ ନିର୍ମିତ ୬୭୫ ବର୍ଷ ପୁରୁଣା ରାମ-କୃଷ୍ଣଙ୍କ ଚିତ୍ର ଦେଖିଲେ । ସେହିପରି ଗୀତା ପ୍ରେସ୍‌ର ପ୍ରଥମ ପ୍ରିଣ୍ଟିଂ ମେସିନ୍ ମଧ୍ୟ ପରିଦର୍ଶନ କରିଥିଲେ । ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ବୋଧନ ପରେ ପ୍ରଧାନମନ୍ତ୍ରୀ ମୋଦୀ, ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ୍ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଗୀତା ପ୍ରେସ୍ ଉପରେ ଏକ ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ କରାଯାଇଥିଲା ।