Onn 3

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନୁହେଁ ‘କରପଶନ ମୋବିଲାଇଜେସନ ଅଫିସ’-ବିଜେପି

Politics State
ଭୁବନେଶ୍ୱର: ଓଡିଶା ହେଉଛି ଦେଶର ସବୁଠାରୁ ଅଧିକ ଦୁର୍ନୀତିଗ୍ରସ୍ତ ରାଜ୍ୟ ।  ୩ ବର୍ଷ ହେଲାଣି ଆୟ ବର୍ହିଭୂତ ସମ୍ପତି ଠୁଳ ଅପରାଧରେ ଓଡିଶା ଦେଶରେ ଏକ ନମ୍ବର ସ୍ଥାନରେ ରହିଛି । ଏମିତି କହି ବିଜେଡି ସରକାରଙ୍କ ଉପରେ ବର୍ଷିଛି ବିଜେପି । ଏପରିକି ଓଡିଶାରେ ଯେତେ ଦୁର୍ନୀତି ଗ୍ରସ୍ତ ଅଧିକାରୀ ବା ବ୍ୟବସାୟୀ ଧରା ପଡୁଛନ୍ତି ସମସ୍ତଙ୍କର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସହିତ ମଧୁର ସର୍ମ୍ପକ ଥିବା ଅଭିଯୋଗ ଆଣିଛି ବିଜେପି ।
ଆଜି ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ବିଜେଡି ସରକାର ଦୁର୍ନୀତିଗ୍ରସ୍ତ ସରକାର ବୋଲି କହି କଟାକ୍ଷ କରିବା ସହ ସିଏମଓ ଦୁର୍ନୀତିକୁ ସଞ୍ଚାଳିତ କରୁଥିବା କାର୍ଯ୍ୟାଳୟ ବୋଲି କହି ସମାଲୋଚନା କରିଛନ୍ତି ।  ସେ କହିଛନ୍ତି,  ନବରଙ୍ଗପୁରରେ ପ୍ରଶାନ୍ତ ରାଉତ ନାମକ ଜଣେ ଅତିରିକ୍ତ ଉପ ଜିଲ୍ଲାପାଳ ର‌୍ୟାଙ୍କର ଅଫିସରଙ୍କ ଘରୁ ୫ କୋଟିର ଆୟ ବର୍ହିଭୁତ ସମ୍ପତି ଜବତ ହୋଇଥିଲା  । ଏଥିରୁ ୩ କୋଟି ଟଙ୍କା ନଗଦ ଅର୍ଥ ଥିଲା । ହେଲେ ଏହି ସରକାରୀ ଅର୍ଥ ଲୁଟର ର‌୍ୟାକେଟରେ ଆଉ କିଏ କିଏ ସାମିଲ ଥିଲେ ତାହା ଭିଜିଲାନସ ତଦନ୍ତ କରିଲା ନାହିଁ । କାହା ସୁପାରିଶ ଆଧାରରେ ୨୦୧୮ରେ ଗିରଫ ହୋଇଥିବା ସେହି ପ୍ରଶାନ୍ତଙ୍କୁ ୨୦୨୦ରେ ପଦନ୍ନୋତି ମିଳିଥିଲା ସେଦିଗରେ ମଧ୍ୟ ଭିଜିଲାନସ ତଦନ୍ତ କଲା ନାହିଁ । ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବଙ୍କ ସହିତ ପ୍ରଶାନ୍ତଙ୍କର ସର୍ମ୍ପକ ନିବିଡ ଥିଲା ।
ଏବେ ଆୟକର ବିଭାଗ ଦ୍ୱାରା ୧୦୦ କୋଟି ଟଙ୍କାରୁ ଅଧିକ କଳା ଟଙ୍କା ଜବତ ହୋଇଥିବା ବ୍ୟବସାୟୀ ଜଗଦୀଶ ନାୟକଙ୍କର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ସର୍ମ୍ପକ ବ୍ୟକ୍ତଗତ ସ୍ତରର । ମୁଖ୍ୟମନ୍ତ୍ରୀ ତାଙ୍କର ବ୍ୟାବସାୟିକ ଉତ୍ସବରେ ଯୋଗ ଦେଉଥିଲେ, ସାଥୀରେ ତାଙ୍କୁ ଜାପାନ ନେଇଥିଲେ ।
ସେହିପରି ଏହା ପୂର୍ବରୁ  ଆୟ ବର୍ହିଭୁତ ସମ୍ପତି ଠୁଳ ମାମଲାରେ ଗିରଫ ହୋଇଥିବା ଜଣେ ବନ ଅଧୀକାରି ଅଭୟ ପାଠକଙ୍କ ପରିବାରର ମଧ୍ୟ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଅବାଧ ପ୍ରବେଶ ଥିଲା । ଆଗରୁ ଚିଟଫଣ୍ଡ କମ୍ପାନୀ ମାଲିକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ନିବିଡତା କଥା ସମସ୍ତେ ଜାଣିଥିଲେ ।
ଏସବୁକୁ ଦେଖିଲେ ଜଣାପଡେ,  ଦୁର୍ନୀତି ଖୋରଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କର  ସର୍ମ୍ପକ ଦିନକୁ ଦିନ ସୂଦୃଢ ହେଉଛି । ଓଡିଶାର ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ “ସିଏମଓ” କୁ “କରପସନ୍ ମୋବିଲାଇଜେସନ ଅଫିସ” ଅର୍ଥାତ ଦୁର୍ନିତିକୁ ସଂଚାଳିତ କରୁଥିବା କାର୍ଯ୍ୟାଳୟ ବୋଲି ଭାବୁଛନ୍ତି ବୋଲି କହିଛନ୍ତି  ଅନିଲ ବିଶ୍ୱାଳ  ।
ଶ୍ରୀ ବିଶ୍ୱାଳ କହିଛନ୍ତି, ଓଡିଶା ହେଉଛି ଦେଶର ସବୁଠାରୁ ଅଧିକ ଦୁର୍ନୀତି ଗ୍ରସ୍ତ ରାଜ୍ୟ । ଏନସିଆରବି ରିପୋର୍ଟ ତଥ୍ୟ ଅନୁସାରେ ୨୦୧୯ରେ ଓଡିଶାରେ ୮୮ଟି ଆୟ ବର୍ହିଭୁତ ସମ୍ପତି ମାମଲା ରୁଜୁ ହୋଇଥିଲା ଯାହା ଦେଶରେ ସର୍ବାଧିକ ଥିଲା । ୨୦୨୦ରେ ଥିଲା ୯୩ ଓ ୨୦୨୧ରେ   ଥିଲା ୯୨  । ଓଡିଶା ଲଗାତାର ୩ ବର୍ଷ ହେଲାଣି ଆୟ ବର୍ହିଭୁତ ସମ୍ପତି ଠୁଳ ଅପରାଧରେ ଦେଶରେ ଏକ ନମ୍ବର ସ୍ଥାନରେ ଅଛି । ଚୋର ବେଶି ଧରାପଡୁଛନ୍ତି ମାନେ ଚୋରି ମଧ୍ୟ ବେଶି ହେଉଛି । ୨୦୨୧ରେ ଓଡିଶାରେ ୧୦୭ କୋଟି ଆୟ ବର୍ହିଭୁତ ସମ୍ପତି ଜବତ ହୋଇଥିଲା  । ୨୦୨୨ରେ ଏହା ହେଲା ୧୭୪ କୋଟି । ୨୦୨୩ରେ ଏହା ୨୫୦ କୋଟିକୁ ପାରିହେବା ଭଳି ଲାଗୁଛି । ଏହାର ଅର୍ଥ ହେଲା ଓଡିଶାରେ ସରକାରୀ ଅର୍ଥ ଲୁଟ ବର୍ଷକୁ ବର୍ଷ ବଢୁଛି । ଯେଉଁ ମୁଖ୍ୟମନ୍ତ୍ରୀ ୨୦୧୭ରେ ‘ପିସି ମଷ୍ଟ ଷ୍ଟପଡ’ ବୋଲି କହୁଥିଲେ  ସେ ଏବେ କୁହନ୍ତୁ  ପିସି କମିଛି ନା ବଢିଛି ? ଓଡିଶା କେବଳ ଗରିବରେ ଏକ ନମ୍ବର ନୁହେଁ କି ମହିଳା ବିରୋଧୀ ହିଂସାରେ ଏକ ନମ୍ବର ନୁହେଁ ବରଂ ଓଡିଶା ଦୁର୍ନୀତିରେ ବି ଦେଶରେ ଏକ ନମ୍ବର ତାଲକାରେ ରହିବ  ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ବିଶ୍ୱାଳ ଅଭିଯାଗ କରିଛନ୍ତି,  ଓଡିଶାରେ ଗୋଟିଏ ବର୍ଷରେ ଯେତିକି ଦୁର୍ନୀତି ମାମଲା ରୁଜୁ ହେଉଛି ସେଥିରୁ ନଗଣ୍ୟ ମାମଲାରେ ଫାଇନାଲ ଚାର୍ଜସିଟ ଦାଖଲ ହେଉଛି । ୨୦୨୦ରେ ମୋଟ ୨୪୫ ଟି ମାମଲା ରୁଜୁ ହୋଇଥିଲା ହେଲେ ଫାଇନାଲ ଚାର୍ଜସିଟ ହେଲା ମାତ୍ର ୮ଟିରେ । ୨୦୨୧ରେ ମାମଲା ହେଲା ୨୬୫ଟା, ମାତ୍ର ଫାଇନାଲ ଚାର୍ଜସିଟ ହେଲା ମାତ୍ର ୧୦ଟିରେ । ଏହାର ଅର୍ଥ ହେଉଛି  ଦୁର୍ନିତିଗ୍ରସ୍ତ ସରକାରୀ ଅଧୀକାରିମାନେ ଦଣ୍ଡ ପାଆନ୍ତୁ  ସରକାର ଏକଥା ଚାହାନ୍ତି ନାହିଁ  ।
ଭିଜିଲାନସ ୪ କୋଟି ୨୦ ଲକ୍ଷ ଟଙ୍କାର କୃଷି ସବସିଡ ଘୋଟଲାରେ ରେମୁଣାର ବିଜୁ ଜନତା ଦଳ ବିଧାୟକ ସୁଧାଶୁଂ ପରିଡାଙ୍କ ବିରୋଧରେ ରିପୋର୍ଟ ଦେଲା ପରେ ବି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଆଜି ଯିଏ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଛନ୍ତି ରଂଜନ କୁମାର ଦାସ ତାଙ୍କ ବିରୋଧରେ ମଧ୍ୟ ଭିଜିଲାନସ ଯାଜପୁରରେ ହୋଇଥିବା କୋଟି କୋଟି ଟଙ୍କାର କଳାମୁଗୁନି ପଥର ଦୁର୍ନୀତିରେ ସମ୍ପୃକ୍ତ ଥିଲେ ବୋଲି ଲେଖି  ଦେଇଥିଲେ । ହେଲେ ସରକାର ତାଙ୍କୁ ଗିରଫ କରିବେ କ’ଣ ଓଲଟି ସୁପ୍ରିମକୋର୍ଟଙ୍କ ରାୟକୁ ଉଲଙ୍ଘନ କରି ତାଙ୍କର ପଦନ୍ନୋତି ଦେଲେ ।

ପୁର୍ବତନ ମନ୍ତ୍ରୀ ଦାମ ରାଉତ ଯେଉଁ ୮୦୦ କୋଟି ଟଙ୍କାର କୃଷି ରୁଣ ଦୁର୍ନୀତି କଥା ଉଠାଇଥିଲେ ତାହାର ତଦନ୍ତ କାହିଁକି କରାଗଲା ନାହିଁ ? ବହୁ ଚର୍ଚ୍ଚିତ ପିପିଇ କିଟ ଓ ମାସ୍କ କିଣାରେ କୋଟି କୋଟି ଟଙ୍କା ଲୁଟ ହୋଇଥିଲା, ଯେଉଁଥିରେ ରାଜ୍ୟର ୫ ଜଣ ମନ୍ତ୍ରୀ ଓ କିଛି ସଚିବ ବଜାର ଦର ଠାରୁ ଅଧିକ ଟଙ୍କାରେ ଜିନିଷ କିଣି କୋଟି କୋଟି ଟଙ୍କା ଆତ୍ମସାତ କରିଥିଲେ । ଆଠଗଡର ବର୍ତମାନର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବିରୋଧରେ ତାଙ୍କରି ଅଂଚଳରେ ହୋଇଥିବା କୃଷି ରୁଣ ଘୋଟାଲାରେ ସମ୍ପୃକ୍ତ ଥିବାର ଅଭିଯୋଗ ଅଛି । କୋଭିଡ ସମୟରେ ମଧ୍ୟ ଯେତେବେଳେ ପର୍ଯ୍ୟଟନ ସ୍ଥାନ ସବୁ ବନ୍ଦ ଥିଲର ସେତେବେଳେ ଓଡିଶା ପର୍ଯ୍ୟଟନ ନିଗମର ଅଧ୍ୟକ୍ଷା ଗାଡି ଖର୍ଚ୍ଚ ଆକାରରେ ୩୦ ଲକ୍ଷ ଟଙ୍କା ନେଇଯାଇଥିବାର ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏସବୁ କଣ ଦୁର୍ନୀତି ନୁହେଁ କି ? କାହିଁକି ରାଜ୍ୟ ସରକାର ଏ ସମସ୍ତଙ୍କ ବିରୋଧରେ ତାଙ୍କ ଦୁର୍ନୀତି ବିରୋଧୀ ନୀତି ଗ୍ରହଣ କରୁନାହାନ୍ତି ବୋଲି ଶ୍ରୀ ବିଶ୍ୱାଳ କଟାକ୍ଷ କରି କହିଛନ୍ତି ।