Onn 3

ଆଦିବାସୀ ଯୁବକଙ୍କ ଉପରେ ବିଜେପି ନେତା ପରିସ୍ରା କରିବା ଘଟଣା, କଠୋର ଭାଷାରେ ନିନ୍ଦା ସହ କାର୍ଯ୍ୟାନୁଷ୍ଠାନ ଦାବୀ କଲେ ଅର୍ଜୁନ ମୁର୍ମୁ

State

ବାରିପଦା : ଜଣେ ନିରୀହ ଆଦିବାସୀ ଯୁବକଙ୍କ ଉପରେ ମଧ୍ୟପ୍ରଦେଶର ଜୈନିକ ବିଜେପି ନେତା ପ୍ରବେଶ ଶୁକ୍ଲା ପରିସ୍ରା କରୁଥିବାର ଦୃଶ୍ୟ ଗତକାଲି ସୋସିଆଲ୍ ମିଡିଆରେ ବ୍ୟାପକ ଭାଇରାଲ୍‌ ହୋଇଥିବାରୁ ଏବଂ ଆଜି ଦେଶର ସମ୍ବାଦପତ୍ରଗୁଡିକରେ ଏହି ସମ୍ବାଦ ପ୍ରକାଶ ପାଇବାରୁ ଏମପିସି ଜୁନିଅର କଲେଜର ପୂର୍ବତନ ସମ୍ପାଦକ ଅର୍ଜୁନ ମୁର୍ମୁ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସଙ୍ଗେସଙ୍ଗେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଅଭିଯୁକ୍ତ ବିଜେପି ନେତାଙ୍କ ବିରୁଦ୍ଧରେ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି । ଏସ୍‌ଟି ଏସି ଅତ୍ୟାଚାର ନିରୋଧ ଆଇନ ଅନୁଯାୟୀ ଏହି ମାମଲା ଫାଷ୍ଟ ଟ୍ରାକ କୋର୍ଟରେ ବିଚାର କରି ୩/୪ ମାସ ମଧ୍ୟରେ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦିଆଯାଉ । ପୀଡିତ ଯୁବକ ଜଣେ ନୀରିହ ଆଦିବାସୀ ହୋଇଥିବାରୁ ଏବଂ ଅଭିଯୁକ୍ତ ବିଜେପି ପରି ଶାସକଦଳର ନେତା ହୋଇଥିବାରୁ ଏହି ଘଟଣାର ତଦନ୍ତ ଓ ବିଚାର ଉପରେ ଅନେକ ଆଶଙ୍କା ସୃଷ୍ଟି କରୁଅଛି ।

ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ ଭାରତର ନ୍ୟାୟ ବ୍ୟବସ୍ଥା ଦେଶର ଆଦିବାସୀ, ହରିଜନ ଓ ଦଳିତମାନଙ୍କୁ ଯଥାଚିତ ନ୍ୟାୟ ପ୍ରଦାନ କରିବାରେ ସଫଳ ହୋଇପାରୁନାହିଁ ଏବଂ ଅନେକ ମାମଲାରେ ଅଭିଯୁକ୍ତ ଅଦାଲତରୁ ଦୋଷମୁକ୍ତ ହୋଇ ପୁଣି ଏମାନଙ୍କ ଉପରେ ଅତ୍ୟାଚାର କରିବାର ଦୃଷ୍ଟାନ୍ତ ଦେଶସାରା ଦେଖିବାକୁ ମିଳୁଛି । ଏହି ଘଟଣା ଏହା ମଧ୍ୟ ସୂଚାଇ ଦେଉଛି କି ସ୍ୱାଧୀନତାର ଏତେ ବର୍ଷପରେ ମଧ୍ୟ ଓ ଦେଶର ଆଦିବାସୀ ହରିଜନ ଓ ଦଳିତମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ଅନେକ ଆଇନକାନୁନର ବ୍ୟବସ୍ଥା ଥିଲେ ମଧ୍ୟ ଏମାନଙ୍କ ଉପରେ ଅତ୍ୟାଚାର ବଢି ବଢି ଚାଲିଛି ଓ ତଥାକଥିତ କେତେକ ରାଜନୈତିକ ଦଳ ଓ ଉଚ୍ଚ ଜାତିର ଲୋକମାନଙ୍କର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ମାନବିକତାକୁ ଭୁଲିଯାଇ ଏପରି ହୀନ ଓ ଜଘନ୍ୟ କାର୍ଯ୍ୟ କରିବାକୁ ଅଭିଯୁକ୍ତ ବିଜେପି ନେତା ସାହାସ କଲେ କିପରି ? ପୁଣି ଏହି ଘୃଣ୍ୟ ଦୃଶ୍ୟକୁ ଭିଡିଓରେ ସୁଟିଂ କରି ଭାଇରାଲ୍‌ କରିବାର ସୁଯୋଗ ସୃଷ୍ଟି କରିବାର ଉଦ୍ଦେଶ୍ୟ କଣ ? ଏଣୁ ଅର୍ଜୁନ ମୁର୍ମୁ ଦେଶର ଆଦିବାସୀ ହରିଜନ ଓ ଦଳିତବର୍ଗର ଲୋକମାନଙ୍କୁ ଏପରି ନୀରିହଭାବେ ନ ରହି ନିଜକୁ ଶକ୍ତିଶାଳୀଭାବେ ଗଢି ତୋଳିବାକୁ ଆହ୍ଵାନ ଜଣାଇବା ସହ ଏପରି ଘଟଣା ଯେପରି ପୁନରାବୃତ୍ତି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସଚେତନ କରିଛନ୍ତି ।