Onn 3

ନିର୍ମାଣକୁ ବର୍ଷେ ପୂରିଲା, ଲକ୍ଷ୍ୟ ଠାରୁ ବହୁ ଦୂରରେ ଅମୃତ ସରୋବର

State

ଆଗରପଡ଼ା: ଭବିଷ୍ୟତ ପାଇଁ ଜଳକୁ ସଂଗୃହିତ କରି ରଖିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ୨୦୨୨ ମସିହା ଅପ୍ରେଲ ମାସ ୨୪ ତାରିଖରେ ଅମୃତ ସରୋବର ଯୋଜନାର ଶୁଭାରମ୍ଭ କରିଥିଲେ । ଆସନ୍ତା ଅଗଷ୍ଟ ୧୫ ସ୍ୱାଧିନତାର ଅମୃତ ସହୋତ୍ସବ ପାଳନ ଅବସରରେ ଅମୃତ ସରୋବର ଉକ୍ତ ମହୋତ୍ସବର ଏକ ଅଂଶ ବିଶେଷ ହେବା ନେଇ ସୂଚନା ମଧ୍ୟ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଭିନ୍ନ ପଂଚାୟତରେ ପଂଚାୟତ ସମିତି ବନ୍ତ ପକ୍ଷରୁ ଉକ୍ତ ଯୋଜନାର ଶୁଭାରମ୍ଭ ହୋଇଥିଲା । କିନ୍ତୁ ଯୋଜନାର କାର୍ଯ୍ୟପନ୍ଥାକୁ ଦେଖିଲେ ଏହା ଉକ୍ତ ଯୋଜନାର ମୂଳ ଲକ୍ଷ ଠାରୁ ବହୁ ଦୂରରେ ଥିବା ପରି ଜଣାପଡ଼ୁଛି । ଫଳକରେ ସ୍ଥାଣିତ ସୂଚନା ଅନୁଯାୟୀ ପଂଚାୟତ ସମିତି ବନ୍ତ ପକ୍ଷରୁ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ସରମରା ଗ୍ରାମରେ ୨୦୨୨-୨୩ ଆର୍ଥିକ ବର୍ଷରେ ଜୁନ ମାସ ୬ ତାରିଖରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଛିତ କର୍ମନିଯୁକ୍ତି ଯୋଜନାରେ ୧୦ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଉକ୍ତ ଯୋଜନାର କାର୍ଯ୍ୟାରମ୍ଭ ହୋଇଥିଲା ।

ଇତି ମଧ୍ୟରେ ୧ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଉକ୍ତ ପ୍ରକଳ୍ପ ନିର୍ମାଣ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଣ କରୁଛି । ଉକ୍ତ ଯୋଜନା ନିର୍ମାଣରେ ଶ୍ରମିକ ମାନେ କାର୍ଯ୍ୟକରିବାର ନିୟମ ଥିଲେ ସୁଦ୍ଧା ମେସିନ ଦ୍ୱାରା ଏହାର ଖନନ କାର୍ଯ୍ୟ ହୋଇଥିବାର ଅଭିଯୋଗ ହୋଇଛି । ସେହିପରି ଉକ୍ତ ସରୋବର ୫୦୦ ଫିଟ ଲମ୍ବ,୪୯୦ ଫିଟ ପ୍ରସ୍ତ ଓ ୧୭ ଫିଟ ଗଭିରତା ବିଶିଷ୍ଟ ହେବାର ନିୟମ ଥିବା ବେଳେ ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ସେହିପରି ପ୍ରତି ଅମୃତ ସରୋବର ଏକ ଏକର ପରିଧି ବିଶିଷ୍ଟ ହେବା ସହ ୧୦ହଜାର କ୍ୟୁବିକ ମିଟର ଜଳ ଉକ୍ତ ସରୋବରରେ ଗଚ୍ଛିତ ହୋଇ ରହିବା ଦରକାର । ତତ୍ ସହିତ ଏହାର ଚାରିପାଖ ନିମ୍ବ,ବର ଓ ଓସ୍ତ ଗଛ ରେ ଆଚ୍ଛାଦିତ ହେବା ସହ ସରୋବରରେ ଗଚ୍ଛିତ ଜଳ ଚାଷ କାର୍ଯ୍ୟ,ମତ୍ସ୍ୟ ଚାଷ,ବତକ ଚାଷ ଏବଂ ପାଣି ଫଳ ଚାଷ ଆଦିରେ ନିଯୋଜିତ ହେବା ସହ ଉକ୍ତ ସ୍ଥାନରେ ପାଖଆଖ ଅଂଚଳର ଲୋକମାନେ ଏକଜୁଟ ହୋଇପାରୁଥିବା ଦରକାର ।

କିନ୍ତୁ ପ୍ରକଳ୍ପ ନିର୍ମାଣ ସରିବାକୁ ଆଉ ସ୍ୱଳ୍ପ ସମୟ ବାକି ଥିବା ବେଳେ ସରମରା ଠାରେ ନିର୍ମାଣ ହେଉଥିବା ଅମୃତ ସରୋବର ତାର ମୂଳ ଲକ୍ଷ ଠାରୁ ବହୁ ଦୂରରେ ରହି ଯାଇଛି । ତେଣୁ ସ୍ୱଳ୍ପ ସମୟ ମଧ୍ୟରେ ଏହା କିପରି ତାର ଲକ୍ଷ ସ୍ଥଳରେ ପହଂଚି ପାରିବ ସେଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

Created/ Edited / Updated by : Mrutyunjay Parija