Onn 3

ତାମିଲନାଡୁ : ମୁଖ୍ୟମନ୍ତ୍ରୀଙ୍କ ବିନା ପରାମର୍ଶରେ ଜେଲରେ ଥିବା ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ବହିଷ୍କାର କଲେ ରାଜ୍ୟପାଳ

National & International

ଚେନ୍ନାଇ: ତାମିଲନାଡୁ ରାଜ୍ୟପାଳ ଆର୍ ଏନ୍ ରବି ଜେଲରେ ଥିବା ରାଜ୍ୟ ଶକ୍ତି ଓ ଅବକାରୀ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କୁ ବହିଷ୍କାର କରିଛନ୍ତି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ସହ ପରାମର୍ଶ କରିନଥିବା କୁହାଯାଉଛି । ରାଜ୍ୟପାଳଙ୍କ ଏହି ପଦକ୍ଷେପ ପରେ ଡିଏମକେ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ବିବାଦ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି ।
ସେନ୍ଥିଲ ବାଲାଜୀ ଚାକିରି ବଦଳରେ ନଗଦ ଟଙ୍କା ନେବା ଏବଂ ମନି ଲଣ୍ଡରିଂ ସମେତ ଅନେକ ଦୁର୍ନୀତି ମାମଲା ତଥା କେତେକ ଗୁରୁତର ଅପରାଧିକ ମାମଲାର ସମ୍ମୁଖୀନ ହେଉଛନ୍ତି ବୋଲି ରାଜଭବନ ପକ୍ଷରୁ କୁହାଯାଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ତଦନ୍ତ କରାଯାଉଥିବା ଏକ ଅପରାଧିକ ମାମଲାରେ ସେ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ଏଣୁ ଏସବୁକୁ ଦୃଷ୍ଟିରେ ରଖି ତାଙ୍କୁ ବହିଷ୍କାର କରାଗଲା ବୋଲି ରାଜଭବନ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।
ତେବେ ରାଜ୍ୟପାଳଙ୍କ ଏହି ପଦକ୍ଷେପ ପରେ ତାମିଲନାଡୁରେ ବିବାଦ ବଢିବାର ସମ୍ଭାବନା ରହିଛି । କାରଣ ମୁଖ୍ୟମନ୍ତ୍ରୀଙ୍କ ବିନା ପରାମର୍ଶରେ ରାଜ୍ୟପାଳ କୌଣସି ମନ୍ତ୍ରୀଙ୍କୁ ବହିଷ୍କାର କରିବାର ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି । ଏହା ବିରୋଧରେ ତାମିଲନାଡ଼ୁର ଷ୍ଟାଲିନ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବାର ସମ୍ଭାବନା ରହିଛି ।

ଚେନ୍ନାଇର ଏକ କୋର୍ଟ ବୁଧବାରଦିନ ସେନ୍ଥିଲ ବାଲାଜୀଙ୍କ ହାଜତ ମିଆଦକୁ ବଢାଇଦେଇଥିଲେ ।