Onn 3

ଗାଜାରେ ଲକ୍ଷାଧିକ ଲୋକ ବିସ୍ଥାପିତ: ଶତାଧିକ ଇସ୍ରାଏଲୀ ପଣବନ୍ଦୀ

National & International

cid8ddgg_gaza-school-shelter-afp_625x300_08_October_23

ନୂଆଦିଲ୍ଲୀ: ଇସ୍ରାଏଲ ସେନା ଓ ହମାସ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷ ଓ ଯୁଦ୍ଧ ଆଜିକୁ ୩ ଦିନ ହେଲା ଚାଲିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। କେବଳ ସେତିକି ନୁହେଁ ଗାଜାରେ ୧ ଲକ୍ଷରୁ ଅଧିକ ‌ଲୋକଙ୍କୁ ବିସ୍ଥାପିତ କରାଗଲାଣି। ଅନ୍ୟପକ୍ଷରେ ଶତାଧିକ ଇସ୍ରାଏଲୀଙ୍କୁ ହମାସ ପଣବନ୍ଦୀ ରଖିଥିବା ଦାବି କରିଛି। ହମାସ କରିଥିବା ରକେଟ ଆକ୍ରମଣର ଜବାବରେ ଇସ୍ରାଏଲର ପ୍ରତିରକ୍ଷା ବାହିନୀ ରାତାରାତି ଏହି ଆତଙ୍କବାଦୀ ସଂଗଠନର ୫୦୦ରୁ ଅଧିକ ସ୍ଥାନକୁ ଟାର୍ଗେଟ କରି ମାଟିରେ ମିଶାଇ ଦେଇଛି। ହମାସର ଏଭଳି ଅତର୍କିତ ଆକ୍ରମଣକୁ ଇସ୍ରାଏଲ ପ୍ରତିରକ୍ଷା ବିଭାଗ ୯/୧୧ ଅବା ପର୍ଲ ହାରବୋର ଆକ୍ରମଣ ମୁହୂର୍ତ୍ତ ସହ ତୁଳନା କରିଛି। ଇସ୍ରାଏଲ ଇତିହାସରେ ନିରୀହ ନାଗରିକଙ୍କ ଏହା ସବୁଠୁ ବୀଭତ୍ସ ଗଣହତ୍ୟା ବୋଲି ବିଭାଗ କହିଛି। ଆଇଏସଆଇଏସ ତୁଳନାରେ ହମାସ ଅଧିକ ହିଂସ୍ର ଓ ଅସଭ୍ୟ।

ଏଭଳି ଭୟଙ୍କର ଆତଙ୍କ ବିରୋଧରେ ଶକ୍ତିଶାଳୀ ପଦକ୍ଷେପ ଆବଶ୍ୟକ ଯାହା ଆମେ କରୁଛୁ ବୋଲି ପ୍ରତିରକ୍ଷା ବିଭାଗ କହିଛି। ହମାସକୁ ଇରାନ ପାଣ୍ଠି ଯୋଗାଉଛି ବୋଲି ଇସ୍ରାଏଲ ଅଭିଯୋଗ କରୁଛି। କିନ୍ତୁ ଏଭଳି ଅଭିଯୋଗକୁ ଇରାନ ଖଣ୍ଡନ କରିଛି। ଇସ୍ରାଏଲ-ହମାସ ଯୁଦ୍ଧରେ ଜାତିସଂଘ ସୁରକ୍ଷା ପରିଷଦ ମଧ୍ୟ କୌଣସି ବିବୃତି ଜାରି କରିବା ନେଇ ସହମତିରେ ପହଞ୍ଚି ପାରିନାହିଁ। ଇସ୍ରାଏଲ ଉପରେ ସ୍ଥଳ, ଜଳ ଓ ଆକାଶ ମାର୍ଗରୁ ହମାସ ଅଚାନକ ଆକ୍ରମଣ କରିବା ଫଳରେ ସେଠାରେ ରହୁଥିବା ଅନେକ ଆମେରିକୀୟ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏଥିପାଇଁ ଇସ୍ରାଏଲରେ ଲଢ଼ୁଆ ଯୁଦ୍ଧ ଜାହାଜ ଏବଂ ବିମାନ ମୁତୟନ ପାଇଁ ଆମେରିକା ପଦକ୍ଷେପ ନେଇଛି। କେବଳ ଆମେରିକା ନୁହେଁ, ଥାଇଲାଣ୍ଡ ମଧ୍ୟ ଏହାର ୧୨ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଏବଂ ୧୧ ଜଣଙ୍କୁ ଅପହରଣ କରି ନିଆଯାଇଥିବା ଅଭିଯୋଗ କରିଛି। ଏହାବ୍ୟତୀତ ବ୍ରାଜିଲ, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଆୟର୍ଲାଣ୍ଡ, ମେକ୍ସିକୋ, ନେପାଳ ଏବଂ ୟୁକ୍ରେନର ଅନେକ ନାଗରିକଙ୍କୁ ହୁଏତ ହତ୍ୟା କରାଯାଇଛି କିମ୍ବା ଅପହରଣ କରାଯାଇଛି କିମ୍ବା ସେମାନେ ନିଖୋଜ ଅଛନ୍ତି। ଅନ୍ୟପକ୍ଷରେ ହମାସକୁ ସମର୍ଥନ କରି ଇରାନ ସମର୍ଥିତ ଲେବାନନର ହିଜବୁଲ୍ଲା ଇସ୍ରାଏଲର ବିଭିନ୍ନ ସ୍ଥାନକୁ ରକେଟ ଓ କ୍ଷେପଣାସ୍ତ୍ର ମାଡ଼ କରୁଛି।