Onn 3

ଆପ୍‌ ସମର୍ଥନ କଲେ ୟୁନିଫର୍ମ ସିଭିଲ କୋଡ୍‌ ବିଲ ସହଜରେ ରାଜ୍ୟସଭାରେ ପାଶ୍ ହୋଇପାରେ

National & International

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) ବା ଏକକ ନାଗରିକ ସଂହିତା ଲାଗୁ କରିବା ସପକ୍ଷରେ ମତ ରଖିବା ପରେ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି। ଚର୍ଚ୍ଚା ହେଉଛି ଯେ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ୟୁସିସି ପ୍ରସଙ୍ଗ ଉଠାଇଛି ଓ ଏହାକୁ ଲାଗୁ କରିବା ମୁଡରେ ରହିଛି। ସଂସଦରେ ଏସଂକ୍ରାନ୍ତ ବିଲ୍‌ ଉପସ୍ଥାପନ କରି ଦଳ ଏହାକୁ ପାରିତ କରିବାକୁ ଯୋଜନା ରଖିଛି।
ତେବେ ବିଲକୁ ପାସ୍‌ କରିବା ପାଇଁ ଶାସକ ଦଳ ପାଖରେ ଆବଶ୍ୟକ ସଂଖ୍ୟା ରହିଛି ତ? ଲୋକସଭାରେ ଦଳର ୩୦୦ରୁ ଅଧିକ ସାଂସଦ ଅଛନ୍ତି। ତେଣୁ ଏଠାରେ ବିଜେପି କୌଣସି ଅସୁବିଧାର ସମ୍ମୁଖୀନ ହେବନି। କିନ୍ତୁ ରାଜ୍ୟସଭାରେ ଦଳ କ’ଣ କରିବ?
ୟୁନିଫର୍ମ ସିଭିଲ କୋଡ୍‌ ପ୍ରସଙ୍ଗରେ ବିଜେପିର ବିରୋଧୀ ଆପ୍‌ ଦେଇଥିବା ଗୋଟିଏ ବିବୃତି ନୂଆ ସମ୍ଭାବନା ସୃଷ୍ଟି କରିଛି। ଅରବିନ୍ଦ କେଜ୍ରିୱାଲଙ୍କ ଦଳର ଜଣେ ବରିଷ୍ଠ ନେତା ଗତକାଲି କହିଥିଲେ ଯେ ଆପ୍‌ ୟୁନିଫର୍ମ ସିଭିଲ କୋଡ୍‌ ଦାବିକୁ ସମର୍ଥନ କରୁଛି। କିନ୍ତୁ ସବୁ ପକ୍ଷଙ୍କ ସହ ଆଲୋଚନା କରି ସହମତି ଭିତ୍ତିରେ ଏହାକୁ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି। ତେଣୁ ବିଜେପିକୁ ରାଜ୍ୟସଭାରେ ଆପ୍‌ର ସମର୍ଥନ ମିଳିବାର ସମ୍ଭାବନା ରହିଛି।
ରାଜ୍ୟସଭାରେ ବର୍ତ୍ତମାନ ୨୩୭ ଜଣ ସଦସ୍ୟ ଥିବା ବେଳେ ୮ଟି ସିଟ୍‌ ଖାଲି ପଡ଼ିଛି। ଖାଲି ପଡ଼ିଥିବା ସିଟ ଗୁଡ଼ିକ ମଧ୍ୟରେ ୨ ଜଣ ମନୋନୀତ ସଦସ୍ୟ। ତେଣୁ ରାଜ୍ୟସଭାରେ ବିଲ୍‌ ପାରିତ କରିବା ପାଇଁ ୧୧୯ ସାଂସଦଙ୍କ ସମର୍ଥନ ଦରକାର। ବିଜେପି ପାଖରେ ୯୨ ଜଣ ସାଂସଦ ଥିବା ବେଳେ ସହଯୋଗୀ ଏଆଇଏଡିଏମକେ ପାଖରେ ୪ ଓ ୭ ଛୋଟ ଦଳର ଜଣେ ଲେଖାଏ ସାଂସଦ ଅଛନ୍ତି। ଏହାକୁ ମିଶାଇଲେ ସଂଖ୍ୟା ୧୦୩ ଛୁଇଁବ।
ଏହି ସଂଖ୍ୟାରେ ଜଣେ ସ୍ୱାଧୀନ ସାଂସଦ ଓ ୫ ଜଣ ମନୋନୀତ ସଦସ୍ୟଙ୍କୁ ମିଶାଇଲେ ମଧ୍ୟ ବିଜେପି ମ୍ୟାଜିକ ନମ୍ବର ଠାରୁ ୧୦ ଆସନ ପଛରେ ରହିବ। ନବୀନ ପଟନାୟକଙ୍କ ବିଜେଡିର ୯ ଜଣ ସାଂସଦ ୟୁନିଫର୍ମ ସିଭିଲ କୋଡ୍‌ ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ତଥାପି ବିଜେପି ୧୧୯ ସଂଖ୍ୟା ଛୁଇଁବାକୁ ସକ୍ଷମ ହେବନି।
ଆନ୍ଧ୍ର ପ୍ରଦେଶର କ୍ଷମତାସୀନ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ପୂର୍ବରୁ ବିଜେପିକୁ ସମର୍ଥନ କରୁଥିଲା। କିନ୍ତୁ ୟୁନିଫର୍ମ ସିଭିଲ କୋଡ୍‌ ପ୍ରସଙ୍ଗରେ ଦଳ କୌଣସି ପ୍ରକାରର ସମର୍ଥନ କରିବ ନାହିଁ ବୋଲି କହିଛି।
ରାଜ୍ୟସଭାରେ ଆପ୍‌ର ୧୦ ଜଣ ସାଂସଦ ରହିଛନ୍ତି। ଯଦି ଏହି ୧୦ ସାଂସଦ ୟୁନିଫର୍ମ ସିଭିଲ କୋଡ୍‌କୁ ସମର୍ଥନ କରିବେ, ତା’ହେଲେ ଏହା ରାଜ୍ୟସଭାରେ ବେଶ ଆରାମରେ ପାସ୍‌ ହୋଇଯିବ। ୨୦୨୪ ନିର୍ବାଚନକୁ ବିରୋଧୀ ଏକାଠି ହୋଇ ଲଢ଼ିବାକୁ ଲକ୍ଷ୍ୟ ରଖିଥିବା ବେଳେ ଆପ୍‌ ଓ କଂଗ୍ରେସ ମଧ୍ୟରେ ଦିଲ୍ଲୀ ଅଧ୍ୟାଦେଶକୁ ନେଇ ତିକ୍ତତା ଦେଖାଦେଇଛି।
ଆପ୍‌ ରାଜ୍ୟସଭାରେ ଏହାକୁ ଅଟକାଇବା ପାଇଁ କଂଗ୍ରେସର ସହାୟତା ଲୋଡ଼ିଛି। ହେଲେ କଂଗ୍ରେସ ଏଯାଏ କୌଣସି ପ୍ରକାରର ନିଷ୍ପତ୍ତି ନେଇନାହିଁ। ତେଣୁ ଆପ୍‌ ୟୁନିଫର୍ମ ସିଭିଲ କୋଡ୍‌କୁ ସମର୍ଥନ କରି ବିରୋଧୀଙ୍କ କ୍ୟାମ୍ପରେ ମଧ୍ୟ ହଇଚଇ ସୃଷ୍ଟି କରିଛି।
ଜୁଲାଇ ୩ୟ ସପ୍ତାହରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହାପରେ ରାଜ୍ୟସଭାର ୧୦ ଆସନ ପାଇଁ ନିର୍ବାଚନ ହେବ। ଏହି ୧୦ ଆସନରୁ ବେଙ୍ଗଲର ୫, ଗୁଜରାଟର ୩ ଓ ଗୋଆର ଗୋଟିଏ ଆସନ ପାଇଁ ଭୋଟ ହେବ। ବେଙ୍ଗଲର ୬ଟି ଆସନରୁ ଟିଏମସି ୫ଟି ଉପରେ ଦଖଲ ରଖିଛି। ଗୋଟିଏ ଆସନ କଂଗ୍ରେସ ପାଖରେ ଅଛି।
ତେବେ ଏଥର ବିଜେପି ପ୍ରଥମଥର ପାଇଁ ବେଙ୍ଗଲରୁ ରାଜ୍ୟସଭା ସାଂସଦ ପାଇବ। କାରଣ ୬ଟି ଆସନରୁ ଗୋଟିଏରେ ବିଜେପି ପ୍ରାର୍ଥୀ ଜିତିବା ସୁନିଶ୍ଚିତ ହୋଇଛି। ଗୁଜରାଟର ସମସ୍ତ ୩ ରାଜ୍ୟସଭା ଆସନ ବିଜେପିର ଓ ଗୋଆର ଗୋଟିଏ ଆସନ ମଧ୍ୟ ବିଜେପି ପାଖରେ ରହିବ।

ଖାଲି ପଡ଼ିଥିବା ୮ ଆସନରୁ ୨ଟି ମନୋନୀତ ଓ ୪ଟି ଜମ୍ମୁ-କଶ୍ମୀରର। ବିଜେପିର ହରିଦ୍ୱାର ଦୁବେ ପ୍ରାଣ ହରାଇବା ପରେ ଗୋଟିଏ ଆସନ ଖାଲି ପଡ଼ିଛି। ସେହିପରି ଲୁଇଝିନହୋ ଫାଲେଇରିଓ ଟିଏମସିରୁ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନ ମଧ୍ୟ ପୂରଣ କରାଯାଇନି।