Onn 3

ଆଉ ୨ବର୍ଷ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ୍ ଅବଧି

State

ଭୁବନେଶ୍ୱର: ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ର ଅବଧିକୁ କେନ୍ଦ୍ର ସରକାର ଆଉ ୨ବର୍ଷ ବୃଦ୍ଧିକରିଛନ୍ତି । ଟ୍ରିବ୍ୟୁନାଲଙ୍କ ଅବଧି ୨୦୨୬ ଏପ୍ରିଲ ୧୩ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଧାର୍ଯ୍ୟ ସମୟସୀମା ମଧ୍ୟରେ ଟ୍ରିବ୍ୟୁନାଲ ଏହି ବିବାଦର ସମାଧାନ କରିବାରେ ସକ୍ଷମ ହୋଇନଥିବାରୁ ଟ୍ରିବ୍ୟୁନାଲଙ୍କ ଅନୁରୋଧ ପରେ କେନ୍ଦ୍ର ସରକାର ଏହି ଅବଧି ବୃଦ୍ଧି କରିଛନ୍ତି । ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଏହି ଟ୍ରିବ୍ୟୁନାଲ ଗଠନ ହୋଇଛି ଓ ଏହାର କାର୍ଯ୍ୟକାଳ ପୂର୍ବରୁ ୨ବର୍ଷ ନିମନ୍ତେ ବୃଦ୍ଧି ହୋଇଥିଲା । ଏପଟେ ରାଜ୍ୟ ସରକାର ଆଜି ରାଜ୍ୟର ପ୍ରବାହିତ ପ୍ରମୁଖ ୪ ନଦୀ ଯଥା-ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଓ ଋଷିକୁଲ୍ୟାର ୫ଦିନ ଜଳସ୍ତର କେଉଁ ସ୍ଥାନରେ କେତେ ରହିଛି ନେଇ ରିପୋର୍ଟ ପଠାଇବାକୁ ନିଜର କ୍ଷେତ୍ରାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଆନ୍ତଃ ରାଜ୍ୟ ନଦୀ ଜଳବିବାଦ ଆଇନ-୧୯୫୬ର ଧାରା-୫(୨) ଅନୁସାରେ ଟ୍ରିବ୍ୟୁନାଲ ନିଜର ରିପୋର୍ଟ ଓ ନିଷ୍ପତ୍ତି ୩ବର୍ଷ ମଧ୍ୟରେ ଦାଖଲ କରିବା ଆବଶ୍ୟକ ।

କିନ୍ତୁ ୨୦୨୧ ମାର୍ଚ୍ଚ ୧୧ତାରିଖର ଧାର୍ଯ୍ୟ ସମୟସୀମା ମଧ୍ୟରେ ଟ୍ରିବ୍ୟୁନାଲ ନିଜର ରିପୋର୍ଟ ଦେବାରେ ବିଫଳ ହେବାପରେ କେନ୍ଦ୍ର ସରକାର ଏହି ଅବଧିକୁ ଆଉ ଦୁଇବର୍ଷ ଅର୍ଥାତ୍ ୨୦୨୩ ମାର୍ଚ୍ଚ ୧୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ତେବେ କୋଭିଡ ମହାମାରୀ ଯୋଗୁ ଟ୍ରିବ୍ୟୁନାଲ ନିଜ କାର୍ଯ୍ୟ କରିପାରିନଥିଲେ । କୋଭିଡ୍ ମହାମାରୀ ଯୋଗୁ ୨୦୨୦ ମାର୍ଚ୍ଚରୁ ୨୦୨୧ ଜୁନ୍ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିନଥିବା ଦର୍ଶାଇ ଟ୍ରିବ୍ୟୁନାଲ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପୁଣିଥରେ ଅବଧି ବୃଦ୍ଧି ପାଇଁ ଅନୁରୋଧ କରାଯାଇଥିଲା । ଉଲ୍ଲେଖଯୋଗ୍ୟ, ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳକୁ ନେଇ ବିବାଦ ବଢ଼ିବା ପରେ କେନ୍ଦ୍ର ସରକାର ୨୦୧୮ ମାର୍ଚ୍ଚ ୧୨ତାରିଖରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରିଥିଲେ ।

ଟ୍ରିବ୍ୟୁନାଲ ସଦସ୍ୟ ଇତିମଧ୍ୟରେ ମହାନଦୀ ପ୍ରବାହିତ ହେଉଥିବା ଓଡ଼ିଶା ସମେତ ଛତିଶଗଡ଼କୁ ଯାଇ ମହାନଦୀର ବାସ୍ତବ ସ୍ଥିତି ଅନୁଧ୍ୟାନ କରି ଫେରି ଯାଇଛନ୍ତି । ଏପଟେ ଆଜି ରାଜ୍ୟ ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ତଥା ଗୋୱାଟର ସବ୍‌କିମିଟି ଆବାହକ ଦେବୀଦତ୍ତ ଆର ପଟ୍ଟନାୟକ ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଓ ଋଷିକୁଲ୍ୟା ନଦୀର ୫ଦିନର ଜଳସ୍ତରର କ’ଣ ରହିଛି ତା’ର ରିପୋର୍ଟ ଦେବାକୁ କ୍ଷେତ୍ରସ୍ତରର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମହାନଦୀ ପ୍ରବାହିତ ହେଉଥିବା ଶରଡ଼ିହି, ହୀରାକୁଦ, ବେଲଗାଁ, ପଥରଳା, ଖଇରିମାଳ, ବରମୂଳ ଓ ମୁଣ୍ଡୁଳିଠାରେ ନଦୀର ଜଳସ୍ତର ଗତ ୫ଦିନ ଧରି କ’ଣ ରହିଛି ତାହା ଜଣାଇବାକୁ କହିଛନ୍ତି । ସେହିପରି ବ୍ରାହ୍ମଣୀ ନଦୀରେ ପାନପୋଷ, ରେଙ୍ଗାଳୀ, ତାଳଚେର ଓ ଜେନାପୁରଠାରେ ଜଳସ୍ତର, ବୈତରଣୀର ଚମ୍ପୁଆ, ଆନନ୍ଦପୁର, ଆଖୁଆପଦା ଓ ସାଳନ୍ଦୀ ଏବଂ ଋଷିକୁଲ୍ୟା ନଦୀର ପୁରୁଷୋତ୍ତମପୁରଠାରେ ଜଳସ୍ତର ଗତ ୫ଦିନ ଧରି କ’ଣ ରହିଛି ତାହା ଜଣାଇବାକୁ କହିଛନ୍ତି ।