Onn 3

ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବିତ କଲା କଂଗ୍ରେସ

Politics State

ଭୁବନେଶ୍ୱର: କାରଣ ଦର୍ଶାଅ ନୋଟିସ୍ ପରେ ନିଲମ୍ବନ । କଂଗ୍ରେସରୁ ନିଲମ୍ବିତ ହେଲେ ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ଦଳ ବିରୋଧୀ କାର୍ଯ୍ୟ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ କ୍ରମେ ଏଆଇସିସି ଉଭୟଙ୍କୁ ଦଳରୁ ସସପେଣ୍ଡ କରିଛି ।

ମେ ମାସ ଶେଷ ସପ୍ତାହରେ ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ଏଆଇସିସି ପକ୍ଷରୁ କାହିଁକି କାର୍ଯ୍ୟାନୁଷ୍ଠାନ ନିଆ ନଯିବ ସେନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ଦଳ ବିରୋଧୀ ମନ୍ତବ୍ଯ ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା ଏଆଇସିସି ।

ମେ ୮ରେ ଦୁଇ ନେତା ଭୁବନେଶ୍ୱରର ଏକ କାର୍ଯ୍ୟକ୍ରମରେ ଦଳର ନେତୃତ୍ୱକୁ ନେଇ ଖୋଲାଖୋଲି ପ୍ରଶ୍ନ କରିଥିଲେ । ଝାରସୁଗୁଡ଼ା ଉପନିର୍ବାଚନରେ ଦଳର ପ୍ରାର୍ଥୀ ଚୟନ ଏବଂ ପ୍ରଚାରକୁ ନେଇ ଚିରଞ୍ଜୀବ ବିଶ୍ୱାଳ ପ୍ରଶ୍ନ କରିଥିଲେ ।

ଏହା ପରେ ଦଳ ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା । ଉଭୟ ଦେଇଥିବା ଉତ୍ତରରେ ଏଆଇସିସି ସନ୍ତୁଷ୍ଟ ନ ହେବାରୁ ନିଲମ୍ବନ କରିଛି । ତେବେ ଦଳରୁ ନିଲମ୍ବିତ ହେବା ପରେ ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।