Onn 3

ଧାନଘର ବିଦ୍ୟାଳୟ ମିଶ୍ରଣ ପ୍ରସଙ୍ଗ, ନିଜସ୍ୱ ବିଦ୍ୟାଳୟରେ ଶିକ୍ଷାଲାଭ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

State

ଆଗରପଡ଼ା: ବିଭାଗୀୟ ଅଧିକାରୀଙ୍କ ଉଚ୍ଛାଶକ୍ତି ଏବଂ ପରସ୍ପରଙ୍କ ମଧ୍ୟରେ ସମନ୍ନୟର ଅଭାବ ଯୋଗୁଁ ପିଲାମାନେ ଠିକ୍ ଭାବରେ ଶିକ୍ଷା ଲାଭ କରିବାରୁ ବଂଚିତ ହେବା ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ବିଟିପୁର ପଂଚାୟତ ଅନ୍ତର୍ଗତ ଧାନଘର ଠାରେ ପ୍ରତିଷ୍ଠିତ ଧାନଘର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଠାରେ । ବର୍ଷେ କି ଦୁଇ ବର୍ଷ ନୁହେଁ ପ୍ରତିଷ୍ଠାକୁ ଦୀର୍ଘ ୧୫ ବର୍ଷ ବିତିବା ପରେ ନିଜସ୍ୱ ବିଦ୍ୟାଳୟରେ ଶିକ୍ଷାଲାଭର ସୁଯୋଗ ପାଇଥିବା ଛାତ୍ରଛାତ୍ରୀ ମାତ୍ର ୩ମାସ ପରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ,ଓସେପା,ଓଡିଶାଙ୍କ ଗତ ୧୯ ତାରିଖ ଆଦେଶ ଅନୁସାରେ ପୁଣି ଉକ୍ତ ସୁଯୋଗରୁ ବଂଚିତ ହେବାକୁ ଯାଉଥିବା ଜଣାପଡ଼ିଥିଲା । ଏହା ଜଣାପଡ଼ିବା ପରେ ଉକ୍ତ ଗ୍ରାମର ବିକ୍ରମ କେଶରୀ ଦାସ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ,ଓସେପା,ଓଡିଶାଙ୍କ ଆଦେଶ ବିରୁଦ୍ଧରେ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ହାଇକୋର୍ଟ ଉକ୍ତ ମାମଲାକୁ ବିଚାରକୁ ନେଇ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ପିଲାମାନେ ପୁର୍ବପରି ନିଜସ୍ୱ ବିଦ୍ୟାଳୟରେ ଶିକ୍ଷାଲାଭ କରିବେ ବୋଲି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ପିଲାମାନଙ୍କୁ ଶିକ୍ଷା ମନସ୍କ ଓ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପାଇଁ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ମଧ୍ୟରୁ ସର୍ବଶିକ୍ଷା ଅଭିଯାନ ଅନ୍ୟତମ । ଉକ୍ତ ଯୋଜନା ମାଧ୍ୟମରେ ମାଧ୍ୟମରେ ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ଚେଷ୍ଟା କରୁଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବଯୋଗୁଁ ଏହା ସଫଳ ହେବା ବଦଳରେ ପ୍ରହସନରେ ପରିଣତ ହେବାକୁ ଯାଉଛି । ଏହିପରି ଏକ ଦୃଷ୍ଟାନ୍ତ ଧାନଘର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ । ୨୦୦୮ ମସିହାରେ ଗ୍ରାମବାସୀଙ୍କ ଉଦ୍ୟମ କ୍ରମେ ଏକ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଏଠାରେ ପ୍ରତିଷ୍ଠା ହୋଇଥିଲା ।

ସେଥି ପାଇଁ ଜାଗା ମଧ୍ୟ ନିରୂପଣ କରାଯାଇଥିଲା । କିନ୍ତୁ ନିର୍ଦ୍ଦାରିତ ସ୍ଥାନଟି ଶିକ୍ଷା ଲାଭ କରିବା ପାଇଁ ଉପଯୁକ୍ତ କି ନୁହେଁ ତାହା ପ୍ରତିଷ୍ଠା ବେଳେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ନଥିବାରୁ ପ୍ରତିଷ୍ଠାର ୧୪ବର୍ଷ ପରେ ଉକ୍ତ ବିଦ୍ୟାଳୟ ବିଦ୍ୟାଳୟରେ ପିଲାମାନେ ଶିକ୍ଷାଲାଭ କରିପାରିନଥିଲେ । ବିଦ୍ୟାଳୟ ପ୍ରତିଷ୍ଠା ହେବାପରେ ପିଲାମାନେ ଉକ୍ତ ବିଦ୍ୟାଳୟରେ ଅଧ୍ୟୟନ କରିବା ପାଇଁ ନାମ ଲେଖାଇଲେ ଓ ପିଲାମାନଙ୍କୁ ପାଠପଢାଇବା ପାଇଁ ଶିକ୍ଷକବି ନିଯୁକ୍ତି ପାଇଲେ । କିନ୍ତୁ ବିଦ୍ୟାଳୟର ଶ୍ରେଣୀଗୃହ ନଥିବାରୁ ଏହା ନିକଟସ୍ଥ ଏକାଦଶୀ ଏମ.ଇ ସ୍କୁଲରେ ଚାଲିଲା । ଉକ୍ତ ବିଦ୍ୟାଳୟ ଏକ ବ୍ଲକ ଗ୍ରଣ୍ଟ ସ୍କୁଲ ହୋଇଥିବାରୁ ତାର ୨ଟି (୬ଷ୍ଠ,୭ମ)ଶ୍ରେଣୀର ପିଲା ଗୋଟିଏ କୋଠରୀରେ ଓ ଧାନଘର ପ୍ରକଳ୍ପ ବିଦ୍ୟାଳୟର ୫ଟି ଶ୍ରେଣୀର ପିଲା ଗୋଟିଏ କୋଠରୀରେ ଅଧ୍ୟାପନା କରିବାକୁ ଲାଗିଲେ । ଉକ୍ତ ଖବରକୁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଗୋଚରକୁ ଆଣିବା ପରେ ଦୀର୍ଘ ୧୨ବର୍ଷ ପରେ ଅର୍ଥାତ ୨୦୨୦ ମସିହାରେ ଉକ୍ତ ବିଦ୍ୟାଳୟ ଏକ ସଂପୂର୍ଣ୍ଣ ବିଦ୍ୟାଳୟରେ ପରିଣତ ହୋଇଥିଲା । କିନ୍ତୁ ୨୦୨୦ ମାର୍ଚ୍ଚ ମାସରେ ସରକାର ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟା ଆରମ୍ଭ କରିଥିଲେ ଓ ଧାନଘର ପ୍ରକଳ୍ପ ବିଦ୍ୟାଳୟର ପାରିପାଶ୍ୱିର୍କ ପରିସ୍ଥିତିକୁ ବିଚାରକୁ ନେଇ ସରକାର ଉକ୍ତ ବିଦ୍ୟାଳୟକୁ ନିକଟସ୍ଥ ନୁଆପୋଖରୀ ପ୍ରାଥମିକ ବିଦ୍ୟାଳୟରେ ମିଶାଇ ଦେଇଥିଲେ । ଏହା ଜାଣିବା ପରେ ଗ୍ରାମବାସୀମାନେ ଏହାକୁ ବିରୋଧ କରି ବିଦ୍ୟାଳୟ ନିର୍ମାଣ ସଂପୁର୍ଣ୍ଣ ହୋଇଥିବାରୁ ନିର୍ମାଣାଧିନ ସ୍ଥାନରେ ପିଲାମାନେ ପଢିବାପାଇଁ ସୁଯୋଗ ମିଳୁବୋଲି ଦାବି କରି ଉଚ୍ଚନ୍ୟାୟାଳୟରେ ଏକ ମାମଲା ରୁଜୁ କରିଥିଲେ । ଗତ ୦୩.୦୧.୨୦୨୩ରେ ହାଇକୋର୍ଟ ଉକ୍ତ ମାମଲାର ବିଚାର କରି ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ,ଓସେପା,ଓଡିଶାଙ୍କୁ ଏହାର ତଦନ୍ତ କରି ୨ସପ୍ତାହ ମଧ୍ୟରେ ଅଭିଯୋଗ କାରୀଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବା ସହ ଶେଷ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଧାନଘର ଠାରେ ସ୍ଥାପିତ ବିଦ୍ୟାଳୟରେ ପିଲାମାନଙ୍କୁ ଶିକ୍ଷାଦାନ କରିବାପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।

କିନ୍ତୁ ଉକ୍ତ ନିର୍ଦ୍ଦେଶକୁ ୨ମାସ ବିତିଯିବା ପରେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇ ପାରୁନଥିବା ବେଳେ ସରକାରଙ୍କ ଧାର୍ଯ୍ୟ ତାରିଖ ଅନୁଯାୟୀ ଆସନ୍ତା ମାର୍ଚ୍ଚ ମାସ ୨୧ ତାରିଖରେ ଏସଏ-୨ ପରୀକ୍ଷା ହେବାକୁ ସ୍ଥିର କରାଯାଇଥିବାରୁ ଗ୍ରାମବାସୀଙ୍କ ସମେତ ଅଭିଭାବକମାନେ ତାଙ୍କ ପିଲାମାନେ ପରୀକ୍ଷାରୁ ଯେପରି ବଂଚିତ ନ ହୁଅନ୍ତି ଓ ସେମାନଙ୍କୁ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ଉପଳବ୍ଧ କରାଇବାରେ ଜିଲ୍ଲାପାଳ ଯେପରି ପ୍ରମୁଖ ଭୂମିକା ଗ୍ରହଣ କରନ୍ତୁ ଏଥିନେଇ ଜିଲ୍ଲାପାଳଙ୍କ ସମେତ ଅଧ୍ୟକ୍ଷ ଡ଼ିଏଲସିସି,ଭଦ୍ରକଙ୍କୁ ଲିଖିତ ଗୁହାରି କରିବା ସହ ଉକ୍ତ ଗୁହାରି ଉପରେ ଆସନ୍ତା ୧୫ ଦିନ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମାର୍ଚ୍ଚ ମାସ ୯ ତାରିଖ ଠାରୁ ଗଣଧାରଣା ଦିଆଯିବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ । ଶେଷରେ ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଡିଏଲସିସି ଭଦ୍ରକଙ୍କ ଆଦେଶ ଅନୁସାରେ ଜିଲ୍ଲା ଶିକ୍ଷାଧିକାରୀ ଭଦ୍ରକଙ୍କ କାର୍ଯ୍ୟାଳୟ ଆଦେଶ ନଂ ୩୧୨୨/୧୩.୦୩.୨୦୨୩ରେ ଜିଲ୍ଳା ଶିକ୍ଷାଧିକାରୀ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ବିଟିପୁର ପଂଚାୟତ ଅନ୍ତର୍ଗତ ଧାନଘର ଠାରେ ସ୍ଥାପିତ ଧାନଘର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟକୁ ଖୋଲି ସେଠାରେ ପିଲାଙ୍କୁ ଶିକ୍ଷାଦାନ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ,ଓସେପା,ଓଡିଶାଙ୍କ ତରଫରୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ କରିବା ପାଇଁ ଆଦେଶ ଦେଇଥିଲେ । ଏହା ସହିତ ବ୍ଲକ ଶିକ୍ଷାଧିକାରୀଙ୍କୁ ଉକ୍ତ ବିଦ୍ୟାଳୟରେ ପିଲାଙ୍କୁ ଶିକ୍ଷାଦାନ ପାଇଁ ୨ଜଣ ଶିକ୍ଷକ ଯୋଗାଇ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଉକ୍ତ ନିର୍ଦ୍ଦେଶ ପାଇବା ପରେ ବ୍ଲକ ଶିକ୍ଷାଧିକାରିଣୀ ନୁଆପୋଖରୀ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ଦେବବ୍ରତ ଦାଶ ଓ ହରିଜନ ମୁସଲିମ ସାହୀ ସହକାରୀ ଶିକ୍ଷକ ସୁରେନ୍ଦ୍ର କୁମାର ସେଠୀଙ୍କୁ ଧାନଘର ପ୍ରକଳ୍ପ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ନିଯୁକ୍ତି କରିଥିଲେ । ସମସ୍ତ ପ୍ରକ୍ରିୟା ସରିବା ପରେ ମାର୍ଚ୍ଚ ମାସ ୧୮ ତାରିଖ (ଶନିବାର) ପିଲାମାନେ ନିଜସ୍ୱ ବିଦ୍ୟାଳୟରେ ଦୀର୍ଘ ୧୫ ବର୍ଷ ପରେ ଶିକ୍ଷାଲାଭ କରିବାର ସୁଯୋଗ ପାଇଥିଲେ । ଏହିପରି ଏକ ଆନନ୍ଦର ମୂହୁର୍ତ୍ତରେ ପରିଚାଳନା କମିଟି ସଭାପତି ଓ ଗ୍ରାମବାସୀ ଜିଲ୍ଳାପାଳ,ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ସେମାନଙ୍କ ସମସ୍ତ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । କିନ୍ତୁ ଗତ ୧୯ ତାରିଖରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ,ଓସେପା,ଓଡିଶାଙ୍କ ଆଦେଶ ଅନୁସାରେ ପୁଣି ଉକ୍ତ ସୁଯୋଗରୁ ଛାତ୍ରଛାତ୍ରୀ ମାନେ ବଂଚିତ ହେବାକୁ ଯାଉଥିବା ଜଣାପଡ଼ିଥିଲା ।